Sat. Mar 7th, 2026

୭ ମାସରେ ଫାଟିଲା ୫୦ କୋଟି ଟଙ୍କାର ପୋଲ

349 Views

ବାଲେଶ୍ୱର : ପ୍ରାୟ ୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିଲା ଫ୍ଲାଏ ଓଭର୍‌ ବ୍ରିଜ୍‌। କିନ୍ତୁ କାମ ଶେଷ ହେବାର ୭ ମାସ ନ ପୂରୁଣୁ  ବ୍ରିଜ୍‌ ରାସ୍ତାରେ ଦେଖା ଦେଲାଣି ଫାଟ। ଏପରି ଅବସ୍ଥା ଦେଖା ଦେଇଛି, ବାଲେଶ୍ୱର ସହରର ପ୍ରବେଶ ପଥ ତାମୁଳିଆ ଫ୍ଲାଏ ଓଭର ବ୍ରିଜ୍‌ରେ। ବାଲେଶ୍ୱରବାସୀଙ୍କ ଦୀର୍ଘ ଦିନର ଦାବି ପରେ ଏହି ଫ୍ଲାଏ ଓଭର୍‌ ନିର୍ମାଣ ହୋଇଥିଲେ ମଧ୍ୟ ଏବେ ରାସ୍ତାର ଅବସ୍ଥା ଦେଖି ମୁଣ୍ଡରେ ହାତ ଦେଲେଣି ଅଞ୍ଚଳବାସୀ।

ତାମୁଳିଆ ଫ୍ଲାଏ ଓଭର ବ୍ରିଜ ହେଉଛି ବାଲେଶ୍ୱର ସହରର ପ୍ରବେଶ ପଥ। ଏହାର ନିର୍ମାଣ ପାଇଁ ଦୀର୍ଘଦିନରୁ ବାଲେଶ୍ୱରବାସୀ ଦାବି କରି ଆସୁଥିଲେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ପ୍ରାୟ ୫୦ କୋଟି ଟଙ୍କା ବ୍ୟୟ ଅଟକଳରେ ଏହାକୁ ନିର୍ମାଣ କରାଯାଇଥିଲ। ମାତ୍ର ୭ ମାସ ପୂର୍ବେ ମୁଖ୍ୟମନ୍ତ୍ରୀ ଏହାର ଉଦ୍‌ଘାଟନ କରିଥିଲେ। କିନ୍ତୁ ଏବେ ତିନି ଦିନ ଧରି ହୋଇଥିବା ଲଗାଣ ବର୍ଷା ପରେ ଏହାର ଆପ୍ରୋଚ୍‌ ରୋଡ୍‌ରେ ଫାଟ ଦେଖା ଯାଇଛି। ଏହା ଦେଖି ବ୍ରିଜ୍‌ କାମର ମାନ ଉପରେ ସନ୍ଦେହ ପ୍ରକଟ କରିଛନ୍ତି ଜିଲ୍ଲାବାସୀ।

ଲଗାଣ ବର୍ଷାରେ ଆପ୍ରୋଚ୍‌ ରୋଡ୍‌ ଦବି ଯିବା ସହ ବଡ଼ ବଡ଼ ଗାତ ମଧ୍ୟ ସୃଷ୍ଟି ହୋଇଛି। ଏହାବ୍ୟତୀତ ଫ୍ଲାଏ ଓଭର ବ୍ରିଜ୍‌ର ଅନେକ ସ୍ଥାନରେ ଫାଟ ମଧ୍ୟ ସୃଷ୍ଟି ହୋଇଛି। ବ୍ରିଜର ଦକ୍ଷିଣ ପାର୍ଶ୍ୱ ଆପ୍ରୋଚ୍ ରୋଡ୍ ଦବିଯିବା ସହ ସେଥିରେ ଗାତ ସୃଷ୍ଟି ହୋଇଛି। ନିର୍ମାଣ କାମ ଠିକ୍ ଭାବେ ହୋଇନଥିବାରୁ ଏପରି ଅବସ୍ଥା ଉପୁଜିଛି ବୋଲି ଅଭିଯୋଗ ହୋଇଛି। ଏଥିଯୋଗୁ ଦୈନଦିନ ଛୋଟ ବଡ଼ ଦୁର୍ଘଟଣା ମଧ୍ୟ ଘଟୁଛି।

ସ୍ଥାନୀୟ ଲୋକଙ୍କ ଆକ୍ରୋଶ ଓ ଅଭିଯୋଗ ପରେ ତରବରିଆ ଭାବେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପୋଲ ଉପରେ ସୃଷ୍ଟି ହୋଇଥିବା ଗାତର ମରାମତି କରିଛି ପୂର୍ତ୍ତ ବିଭାଗ। ବାଲେଶ୍ୱର ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ରମେଶ ଚନ୍ଦ୍ର ମହାପାତ୍ର କହିଛନ୍ତି, କନଷ୍ଟ୍ରକ୍ସନ୍‌ କମ୍ପାନୀକୁ ପୂରା ଟଙ୍କା ଦିଆଯାଇନି। ୩ ବର୍ଷ ଭିତରେ ପୋଲର ଯେକୌଣସି ଅସୁବିଧା ହେବ ସେ କାମ ଉକ୍ତ କମ୍ପାନୀ ହିଁ କରିବ। ଅନ୍ୟପକ୍ଷରେ ଉକ୍ତ କମ୍ପାନୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବାଲେଶ୍ୱରବାସୀ।

By amfnews

Related Post