Sat. Mar 7th, 2026

୪ କୁଇଣ୍ଟାଲ୍‌ ଗଞ୍ଜେଇ ଭର୍ତ୍ତି ଟ୍ରକ୍‌ ଜବତ, ପୋଖରୀକୁ ଡେଇଁ ଚମ୍ପଟ ଉଦ୍ୟମ ବେଳେ ଚାଳକ ଗିରଫ

218 Views

ଛତ୍ରପୁର : ଗାଞ୍ଜାମ ଉପକଣ୍ଠ ଜଙ୍ଗଲରୁ ହରିଆନାକୁ ଲମ୍ବିଛି ଗଞ୍ଜେଇ ଚୋରା ଚାଲାଣର ଚେର। ଦିଗପହଣ୍ଡି ଓ ଚିକିଟି ଅଞ୍ଚଳରୁ ହରିଆନାକୁ ଗଞ୍ଜେଇ ଚାଲାଣ ହେଉଥିବାବେଳେ କେନ୍ଦ୍ରୀୟ ନାରକୋଟିକ୍ସ୍‌ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ଭୁବନେଶ୍ବର ସ୍ବତନ୍ତ୍ର ଟିମ୍‌ ଚଢାଉ କରିଥିଲା। ଚଢ଼ାଉ ପରେ ଏଚ୍‌ଆର ୭୪-୪୬୧୮ ନମ୍ବର ଏକ ଟ୍ରକ ସହିତ ସେଥିରେ ଥିବା ୪ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଚଢାଉ ବେଳେ ଟ୍ରକ ଡ୍ରାଇଭର ନିକଟସ୍ଥ ପୋଖରୀକୁ ଡେଇଁ ପହଁରି ଚମ୍ପଟ ଉଦ୍ୟମ କରିଥିଲା। ତେବେ ଉକ୍ତ ଟିମ ତାକୁ କାବୁ କରିବାରେ ସକ୍ଷମ ହୋଇଛି।

ଗତକାଲି ବିଳମ୍ବିତ ରାତିରେ ଏନ୍‌ସିବି ଟିମ୍‌ ଗଞ୍ଜେଇ ଚାଲାଣ ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇଥିଲା। ଗଞ୍ଜେଇ ଥିବା ଟ୍ରକ୍‌କୁ ଧରିବା ପାଇଁ ଜାତୀୟ ରାଜପଥ ଅଞ୍ଚଳରେ ଛକି ରହିଥିଲା। ଗଞ୍ଜାମ ଥାନା ଅନ୍ତର୍ଗତ ପୁଇଁତୋଳା ଛକ ଠାରେ ଟ୍ରକ୍‌ ପହଞ୍ଚିବା ପରେ ଟିମ୍‌ର ସଦସ୍ୟମାନେ ଚଢ଼ାଉ କରିଥିଲେ। ୧୬ ବସ୍ତା ଗଞ୍ଜେଇ, ଟ୍ରକ ଜବତ କରିବା ସହିତ ଚାଳକକୁ ଗିରଫ କରିଥିଲେ। ଟ୍ରକ ଚାଳକ ଘର ହରିଆନା ରାଜ୍ୟ ପାଲୱାଲ ଜିଲ୍ଲାର ନାସିର ବୋଲି ଜଣାପଡିଛି। ଏନ୍‌ସିବି ଟିମ୍‌ର ଗୁଇନ୍ଦା ଅଧିକାରୀ ବିଶ୍ବନାଥ ଘୋଷଙ୍କ ସୂଚନା ଅନୁଯାୟୀ, ବ୍ରହ୍ମପୁର ନିକଟ ଦିଗପହଣ୍ତି ଓ ଚିକିଟି ଅଞ୍ଚଳର ଏକ ଜଙ୍ଗଲରୁ ୪ କୁଇଣ୍ଟାଲ ଗଞ୍ଜେଇ ହରିଆନା ଚାଲଣ ହେଉଥିଲା। ୧୬ବସ୍ତା ଜବତ ହୋଇଥିବା ବେଳେ ପ୍ରତ୍ୟେକ ବସ୍ତାରେ ୨୫ କିଲୋ ଲେଖାଁଏ ଗଞ୍ଜେଇ ରହିଛି। ଚଳିତ ବର୍ଷ ଏନ୍‌ସିବି ପକ୍ଷରୁ ଓଡିଶାର ବିଭିନ୍ନ ସ୍ଥାନରୁ ୧୦ ହଜାର ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି ବୋଲି ସେ କହିଛନ୍ତି।

By amfnews

Related Post