Tue. Mar 10th, 2026

୩ଦିନରେ ଉଚ୍ଚସ୍ତରୀୟ ବୈଠକ, ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘର ଶକ୍ତି ଓ ରାଜସ୍ୱ ମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ

195 Views

ଭୁବନେଶ୍ୱର : ଆଜି ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘର ଏକ ପ୍ରତିନିଧି ଦଳ ସଭାପତି ସୁବାସ ସିଂହଙ୍କ ନେତୃତ୍ୱରେ ରାଜ୍ୟ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ଭେଟି ବିଦ୍ୟୁତ କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ଯଥା-ବିଭାଗରେ ଦୁର୍ଘଟଣା ଜନିତ ମୃତ୍ୟୁରେ ସ୍ୱତନ୍ତ୍ର ଆର୍ଥିକ ସହାୟତା ସହିତ ଥଇଥାନ ବ୍ୟବସ୍ଥା କରିବା, ଠିକା ଓ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ସ୍ଥାୟୀ କରିବା, ପ୍ରଶାସନିକ ଓ ବୈଷୟିକ କୁଶଳୀ ଶ୍ରମିକମାନଙ୍କ କ୍ଷେତ୍ରରେ ଥିବା ଦରମାର ତାରତମ୍ୟକୁ ଦୂର କରିବା, ବକେୟା ଦରମାର ଶତପ୍ରତିଶତ ପୈଠ କରିବା, ଓପିଟିସିଏଲ୍‌ରେ ଜେଏମ୍‌ଓଟି ଭାବେ ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କର ୩ବର୍ଷ ତାଲିମ ସମୟ ପରେ ସେମାନଙ୍କୁ କୁଶଳୀ ଶ୍ରମିକ ହିସାବରେ ବେତନ ଦେବା ସମ୍ପର୍କରେ ଆଲୋଚନା ହୋଇଥିଲା।

ଏହି ଆଲୋଚନାରେ କର୍ମଚାରୀମାନଙ୍କ ସମସ୍ୟା ସମ୍ପର୍କିତ ଏକ ସ୍ମାରକପତ୍ର ମାନ୍ୟବର ମନ୍ତ୍ରୀଙ୍କୁ ମହାସଂଘ ପକ୍ଷରୁ ପ୍ରଦାନ କରାଯାଇଥିଲା। ଆଗାମୀ ୩ଦିନ ମଧ୍ୟରେ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ କରି ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ମାନ୍ୟବର ମନ୍ତ୍ରୀ ଭେଟିଥିବା ପ୍ରତିନିଧି ଦଳଙ୍କ ନିର୍ଭର ପ୍ରତିଶ୍ରୃତି ଦେଇଥିଲେ। ଏହି ପ୍ରତିନିଧି ଦଳର କାର୍ଯ୍ୟକାରୀ ସଭାପତି ରାଜୀବ ମହାନ୍ତି, ସାଧାରଣ ସମ୍ପାଦକ ଅମର ଜୁମର ପ୍ରତାପ ସିଂହ, ସାଙ୍ଗଠନିକ ସମ୍ପାଦକ ବିଜୟ କୁମାର ଭୁଜବଳ, ସମ୍ପାଦକ କୁମାର ଜିତେନ୍ଦ୍ର ବିଶ୍ୱାଳ, ମନୋରଞ୍ଜନ ବିଶ୍ୱାଳ ଓ ଦେବବ୍ରତ ରାଉଳ, ଜ୍ଞାନ ରଞ୍ଜନ ବାରିକଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ଥିଲେ।

By amfnews

Related Post