Fri. Mar 6th, 2026

୨୩ ବର୍ଷରୁ କମ୍ ଷଡ଼ରାଷ୍ଟ୍ରୀୟ ହକି ଟୁର୍ଣ୍ଣାମେଣ୍ଟ ପାଇଁ ଘୋଷିତ ଭାରତୀୟ ହକି ଦଳରେ ଆରଏସପି ସେଲ୍ ହକି ଏକାଡ଼େମୀର ସିଲାନନ୍ଦ ଲାକ୍ରା

359 Views

ରାଉରକେଲା, ୪/୭: ୨୩ ବର୍ଷରୁ କମ୍ ଷଡ଼ରାଷ୍ଟ୍ରୀୟ ପୁରୁଷ ହକି ଟୁର୍ଣ୍ଣାମେଣ୍ଟ ପାଇଁ ଘୋଷିତ ଭାରତୀୟ ହକି ଦଳରେ ରାଉରକେଲା ଇସ୍ପାତ କାରଖାନାର ସେଲ୍ ହକି ଏକାଡ଼େମୀର କ୍ୟାଡ଼େଟ ସିଲାନନ୍ଦ ଲାକ୍ରାଙ୍କ ମନୋନୟନ ଇସ୍ପାତ ସହର ଓ ରାଜ୍ୟ ପାଇଁ ବିପୁଳ ଖୁସି ଆଣି ଦେଇଛି । ଏହି ଟୁର୍ଣ୍ଣାମେଣ୍ଟ ଜୁଲାଇ ୧୪ରୁ ୨୧ ତାରିଖ ପର୍ଯ୍ୟନ୍ତ ବେଲଜିଅମ ଠାରେ ଖେଳାଯିବ । ଭାରତ ବ୍ୟତୀତ ଏହି ଟୁର୍ଣ୍ଣାମେଣ୍ଟରେ ଆୟର୍ଲାଣ୍ଡ, ଗ୍ରେଟ୍ ବ୍ରିଟେନ, ନେଦରଲାଣ୍ଡ, କାନାଡ଼ା ଏବଂ ଆୟୋଜକ ବେଲଜିଅମ ଭାଗ ନେଉଛନ୍ତି ।

ଉକ୍ତ ଟୁର୍ଣ୍ଣାମେଣ୍ଟରେ ସିଲାନନ୍ଦଙ୍କ ବ୍ୟତୀତ ସେଲ୍ ହକି ଏକାଡ଼େମୀର ପୁରାତନ କ୍ୟାଡ଼େଟ ପଙ୍କଜ କୁମାର ରଜାକ ମଧ୍ୟ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି । ଉଲ୍ଲେଖନୀୟ ଯେ, ଫରୱାର୍ଡ଼ ଲାଇନ୍ରେ ଖେଳୁଥିବା ସିଲାନନ୍ଦ ୨୦୧୮ ମାର୍ଚ୍ଚ ମାସରେ ମାଲେସିଆର ଇପୋ ଠାରେ ଆୟୋଜିତ ୨୭ତମ ସୁଲତାନ ଅଜଲାନ ସାହ ହକି ପ୍ରତିଯୋଗିତାରେ ଭାରତୀୟ ସିନିୟର ଜାତୀୟ ହକି ଦଳର ପ୍ରତିନିଧିତ୍ୱ ସହିତ ଅନ୍ତର୍ଜାତୀୟ ଖେଳରେ ପଦାର୍ପଣ କରିଥିଲେ । ଉକ୍ତ ପ୍ରତିଯୋଗିତାରେ ଇଂଲଣ୍ଡ ବିରୋଧରେ ନିଜ ଅନ୍ତର୍ଜାତୀୟ କ୍ୟାରିୟରରେ ପ୍ରଥମ ଗୋଲ୍ ସ୍କୋର କରିଥିଲେ ।

ତାଙ୍କର ଗୋଲ ଜରିଆରେ ଭାରତ ଉକ୍ତ ମ୍ୟାଚ୍କୁ ୧-୧ରେ ଅମୀମାଂସିତ ରଖିବାରେ ସକ୍ଷମ ହୋଇଥିଲା । ମାଲେସିଆରେ ୨୦୧୭ ଅକ୍ଟୋବର ମାସରେ ଅନୁଷ୍ଠିତ ସୁଲତାନ ଜୋହର କପ୍ରେ କାଂସ୍ୟ ପଦକ ହାସଲ କରିଥିବା ଭାରତୀୟ ଜୁନିୟର ଦଳର ମଧ୍ୟ ସେ ପ୍ରତିନିଧିତ୍ୱ କରିଥିଲେ । ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ଼ ଜିଲାର କାଲିଜାପଥର ଗ୍ରାମ ନିବାସୀ କାର୍ଲସ ଲାକ୍ରା ଓ ମେରି ଗ୍ରେସ୍ ଲାକ୍ରାଙ୍କ ସୁପୁତ୍ର ସିଲାନନ୍ଦ ୨୦୧୫ ଅଗଷ୍ଟ ମାସରେ ସେଲ୍ ହକି ଏକାଡ଼େମୀରେ ଯୋଗ ଦେଇଥିଲେ । ସେ ଏକାଡ଼େମୀ ଯୋଗ ଦେବା ଠାରୁ ସେଲ୍ ହକି ଏକାଡ଼େମୀର ଭେଟେରାନ କୋଚ୍ ଯଥା ଏନ୍ଆଇଏସ୍ (ଜାତୀୟ କ୍ରୀଡ଼ା ପ୍ରତିଷ୍ଠାନ) ମାନ୍ୟତାପ୍ରାପ୍ତ କୋଚ୍ ରାଜୁକାନ୍ତ ସାଇନି ଏବଂ ଆରଏସ୍ପିର ହକି କୋଚ ତଥା ଭାରତୀୟ ଜୁନିୟର ହକି ଦଳର ପୂର୍ବତନ ଖେଳାଳୀ ପିଟର ତିର୍କୀଙ୍କ ଠାରୁ ଖେଳର ବିଭିନ୍ନ କୌଶଳ ଶିକ୍ଷା ଲାଭ କରିଆସୁଛନ୍ତି ।

Related Post