Sat. Mar 7th, 2026

୧୮ ବର୍ଷର କାରାଦଣ୍ଡ ପରେ ଘରକୁ ଫେରିଥିଲା ଭୁବନ, ପରିବାର ଲୋକ ନଆପଣେଇବାରୁ ଜୀବନ ହାରିଲା

187 Views

ନୂଆପଡ଼ା: ଜିଲ୍ଲାର ସଦର ଥାନା ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟସ୍ଥିତ କେଳମେଲି ପଞ୍ଚାୟତର ଗୋଲାବନ୍ଧ ଗାଁ ବାସିନ୍ଦା ଭୁବନ ମାଝୀ ନାମକ ବ୍ୟକ୍ତି ୧୮ ବର୍ଷ ଧରି ଆଜୀବନ କାରାଦଣ୍ଡ ପରେ ଜେଲରୁ  ଘରକୁ ଫେରିଥିଲେ। ଘରକୁ ଫେରିବା ପରେ ସଂପର୍କୀୟମାନେ ତାଙ୍କୁ ନ ଆପଣେଇବାରୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଗତକାଲି ଭୁବନ ପେଠିଆପାଲି ଗାଁ‌ ପାଖରେ ଏକ ଗଛରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ଖବରଟି ସନ୍ଧ୍ୟାରେ ଜଣା ପଡିବା ପରେ ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ପୁଲିସ ଘଟଣା ସ୍ଥଳକୁ ପହଞ୍ଚି ନଥିଲା।

ଆଜି ନୂଆପଡ଼ା ପୁଲିସ ଘଟଣାସ୍ଥଳକୁ ଯାଇ ମୃତଦେହ ଜବତ କରି ଏକ ମାମଲା ରୁଜୁ କରିଛି। ମୃତହେକୁ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ନୂଆପଡ଼ା ଥାନା ଅଧିକାରୀ ଆଦିତ୍ୟ ମହାକୁଡ଼ ସୂଚନା ଦେଇ କହିଛନ୍ତି।

ଉଲ୍ଲେଖଯୋଗ୍ୟ,  ଭୁବନ ମାଝୀଙ୍କ ଘରେ ସ୍ତ୍ରୀ ପାନ ମାଝୀ, ଝିଅ   ଓ ପୁଅ ମୋହନ ମାଝୀ ଥିଲେ। ୨୦୦୧ ମସିହା ଅକ୍ଟୋବରରେ କୌଣସି କାରଣରୁ ସ୍ତ୍ରୀ ପାନ ସହ ସାମାନ୍ୟ କଥାକୁ ନେଇ ଝଗଡ଼ା ହେବା ପରେ ରାଗରେ ଭୁବନ ଘରେ ଥିବା ଟାଙ୍ଗିଆରେ ସ୍ତ୍ରୀଙ୍କୁ କାଟି ପକାଇଥିଲା । ଘଟଣାସ୍ଥଳରେ ପାନଙ୍କର ମୃତ୍ୟୃ ହୋଇଥିଲା। ହତ୍ୟା ଅଭିଯୋଗରେ ଭୁବନକୁ ପୁଲିସ ଗିରଫ କରିଥିଲା। ପରେ କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ତ ଆଦେଶ ଦେଇଥିଲେ।

ଦୀର୍ଘ ୧୮ ବର୍ଷ କାରାଗାର ଦଣ୍ଡ ଭୋଗିବା ପରେ ଗତ ଅକ୍ଟୋବରରେ ମୁକ୍ତ ହୋଇଥିଲେ ଭୁବନ। ସେତେବେଳେକୁ କୁନି ଝିଅ ଦୌପଦୀର ବାହାଘର ସରି ଯାଇଥିଲା। ପୁଅ ମୋହନ ଭୁବନେଶ୍ୱରରେ ପାଠ ପଢୁଛି । ଗାଁ ଲୋକେ ତାଙ୍କ ପ୍ରତି ସାମାନ୍ୟ ବି ସମବେଦନା ଦେଖାଇଲେ ନାହିଁ। କାହା ଘର ବାରଣ୍ତା, କେଉଁ ସ୍କୁଲ, ଅଙ୍ଗନବାଡିରେ ରାତି ଶୋଇ, ଲୋକଙ୍କୁ ମାଗିଯାଚି ଖାଇ ବେଶ୍‌ କିଛି ଦିନ କଟିଗଲା। ଶେଷରେ ନିରାଶ ହୋଇ ଆଜି ଏକ ଗଛରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ଜାଣିବାକୁ ମିଳିଛି।

By amfnews

Related Post