Sat. Mar 7th, 2026

୧୩ରେ ପୁଣି ଏକ ଲଘୁଚାପ : ୧୨ରୁ ଉତ୍ତର ଓ ଉପକୂଳରେ ବଢ଼ିବ ବର୍ଷା

282 Views

ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ। ୧୩ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ପ୍ରଭାବରେ ପଶ୍ଚିମବଙ୍ଗ ସମେତ ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।

୧୦ ତାରିଖ ଯାଏ ପାଗ ମୁଖ୍ୟତଃ ଶୁଖିଲା ରହିବ। ଏହାପରେ ବର୍ଷା ବଢ଼ିବ। ଅଗଷ୍ଟ ୧୨ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଲଘୁଚାପର ରୂପ ନେବ। ପ୍ରଭାବରେ ୧୨ ତାରିଖ ଅପରାହ୍‌ଣଠାରୁ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କେନ୍ଦୁଝର, ସୁନ୍ଦରଗଡ଼, ଯାଜପୁର, ଭଦ୍ରକ, ପୁରୀ, କଟକ ଜିଲ୍ଲାରେ ବର୍ଷା ବଢ଼ିବ। କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ବର୍ଷା ୨ରୁ ୩ ଦିନ ପର୍ଯ୍ୟନ୍ତ ଲାଗି ରହିବ। ପାଣିପାଗ ବିଜ୍ଞାନୀ ତଥା ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତୀ ସମୟରେ ତାହା ଅଧିକ ଘନିଭୂତ ହୋଇ ଲଘୁଚାପର ରୂପ ନେଇପାରେ। କିନ୍ତୁ ୧୧ ତାରିଖଠାରୁ ଉତ୍ତର ଓଡ଼ିଶାରେ ବର୍ଷା ବଢ଼ିବ। କେତେକ ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହେବାର ସୂଚନା ମିଳୁଛି।

ଅନ୍ୟପକ୍ଷରେ ଗତ ୩୬ ଘଣ୍ଟା ମଧ୍ୟରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି। ମାଲକାନଗିରିରେ ସର୍ବାଧିକ ୧୦୨ ମିମି ବର୍ଷା ହୋଇଥିବା ବେଳେ ହୀରାକୁଦରେ ୯୬.୭, ଝାରସୁଗୁଡ଼ାରେ ୯୦.୪, ଭବାନୀପାଟଣାରେ ୭୭.୪, ତାଳଚେରରେ ୪୭, ସମ୍ବଲପୁରରେ ୩୪.୨, କେନ୍ଦୁଝରରେ ୩୩.୧ ମିମି ବର୍ଷା ହୋଇଥିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

By amfnews

Related Post