Sat. Mar 7th, 2026

୧୧ ଡିଗ୍ରିକୁ ଖସିଲା ଦାରିଙ୍ଗବାଡ଼ି ତାପମାତ୍ରା

193 Views

ଭୁବନେଶ୍ବର: ‘ବୁଲ୍‌ବୁଲ୍‌’ ଯିବା ପରେ ସାରା ରାଜ୍ୟରେ ରାତିର ତାପମାତ୍ରା ହ୍ରାସ ପାଇଛି। ଉପାନ୍ତ ଅଞ୍ଚଳରେ ଥଣ୍ଡା ପଡ଼ିଛି। ପ୍ରତିଦିନ ରାତିର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଉଛି। ଓଡ଼ିଶାର କଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ିରେ ଗତକାଲି ଚଳିତବର୍ଷର ସର୍ବନିମ୍ନ ତାପମାତ୍ରା‌ ରେକର୍ଡ କରାଯାଇଛି। ଏଠାରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରି ରହିଥିଲା। ଏହାବ୍ୟତୀତ ସୁନ୍ଦରଗଡ଼ରେ ୧୨, ଟିଟିଲାଗଡ଼ରେ ୧୪.୧, କୋରାପୁଟର ସର୍ବନିମ୍ନ ତାପମାତ୍ରା ୧୪.୬ ଡିଗ୍ରିକୁ ଖସିଆସିଛି। ତେବେ ଅନ୍ୟ ସମସ୍ତ ସହରର ତାପମାତ୍ରା ୧୫ ଡିଗ୍ରି ଉପରେ ରହିଛି। ଆସନ୍ତା ୩ ଦିନ ମଧ୍ୟରେ ତାପମାତ୍ରା ଆହୁରି କମିବ। ବିଶେଷକରି ଦକ୍ଷିଣ ଓଡ଼ିଶାର ତାପମାତ୍ରା ୨ରୁ ୩ ଡିଗ୍ରି କମିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଉପକୂଳ ଓଡ଼ିଶାରେ ଆକାଶ ମେଘମୁକ୍ତ ରହିବା ସହ ସର୍ବୋଚ୍ଚ ତାପମାତ୍ରା ୩୧ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୧୯ ଡିଗ୍ରି ରହିବ। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ହେବନି ବୋଲି ପାଣିପାଗ କେନ୍ଦ୍ର ସ୍ପଷ୍ଟ କରିଛି।

By amfnews

Related Post