Tue. Dec 24th, 2024

ସେଲ୍ ଅଧ୍ୟକ୍ଷଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ଓ ଦାବିପତ୍ର ପ୍ରଦାନ କଲା ସିଆଇଟିୟୁ

By amfnews Nov 13, 2018 #Featured
154 Views

ରାଉରକେଲା, ୧୩/୧୧  : ୟୁନିୟନର ସାଧାରଣ ସମ୍ପାଦକ ବସନ୍ତ ନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ସେଲ୍ ଅଧ୍ୟକ୍ଷଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରି ଇସ୍ପାତ ଶ୍ରମିକମାନଙ୍କ ସମସ୍ୟା ସମାଧାନ ପାଇଁ ଆଲୋଚନା କରିଥିଲେ । ଇସ୍ପାତ ଶିଳ୍ପକୁ ଘରୋଇକରଣରୁ ରକ୍ଷା କରିବା ସହ ଇସ୍ପାତ ଶ୍ରମିକମାନଙ୍କ ନୂତନ ମଜୁରୀ ଚୁକ୍ତିନାମା ପାଇଁ ତୁରନ୍ତ ତୁରନ୍ତ ଆଲୋଚନା ଆରମ୍ଭ କରିବାକୁ ପ୍ରତିନିଧିମାନେ ଦାବି କରିଥିଲେ । ବିଗତ ଦିନରେ କ୍ଷତିର ଆଳରେ ଇସ୍ପାତ ଶ୍ରମିକମାନଙ୍କ ମଜୁରୀ ଚୁକ୍ତିନାମାକୁ ବିଳମ୍ବିତ କରିବା ଆଦୌ ଉଚିତ୍ ନୁହେଁ ।

କାରଣ କ୍ଷତି ପାଇଁ ଶ୍ରମିକମାନେ ଆଦୌ ଦାୟୀ ନୁହଁନ୍ତି । କ୍ଷତି ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଓ ଉପର ସ୍ତରର ଦୁର୍ନୀତି ପାଇଁ ହେଉଥିଲା । ବର୍ତ୍ତମାନ ସେଲ୍ ଲାଭାର୍ଜନ କରୁଛି । ଇସ୍ପାତ ଶ୍ରମିକମାନଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ସେଲ୍ ସର୍ବକାଳୀନ ଉତ୍ପାଦନରେ ଅଭିବୃଦ୍ଧି କରୁଛି । ତେଣୁ ଇସ୍ପାତ ଶ୍ରମିକମାନଙ୍କ ନ୍ୟାର୍ଯ୍ୟ ଦାବି ମଜୁରୀ ଚୁକ୍ତିନାମା ଯେତେଶୀଘ୍ର ସମ୍ଭବ କରାଯାଉ । ରାଜିନାମା ହେବା ପରେ ମଧ୍ୟ ଇସ୍ପାତ ଶ୍ରମିକମାନଙ୍କ ପେନ୍ସନ ସ୍କିମକୁ କାର୍ଯ୍ୟକାରୀ କରାଯାଉ ନାହିଁ । ଯାହା ତୁରନ୍ତ କାର୍ଯ୍ୟକାରୀ କରାଯିବା ଆବଶ୍ୟକ ।

ସମଗ୍ର ସେଲ୍ରେ କୁଶଳୀ ଶ୍ରମିକମାନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ତୁରନ୍ତ ସ୍ଥାୟୀ ନିଯୁକ୍ତି ପାଇଁ ପଦକ୍ଷେପ ନେବା ସହ ସ୍ଥାନୀୟ ବେକାର ଯୁବକ ଯୁବତୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଗ୍ରହଣ କରାଯାଉ । ୟୁନିୟନର ଦୀର୍ଘଦିନର ଦାବି ପୂର୍ବଭଳି ଡିପ୍ଲୋମାମାନଙ୍କୁ ଏସ୍-୬ ଏବଂ ଆଇଟିଆଇଙ୍କୁ ଏସ୍-୩ରେ ନିଯୁକ୍ତି ଦିଆଯାଉ । ରାଉରକେଲା ଇସ୍ପାତ କାରଖାନାର ଉତ୍ପାଦନ କ୍ଷମତା ୧୨ ମିଲିୟନ ଟନ୍କୁ ଅଭିବୃଦ୍ଧି କରାଯାଇ ନୂତନ ସିଆର୍ଏମ୍ ରଡ୍ ମିଲ୍ ସ୍ଥାପନ ସହ ପାଇପ୍ ପ୍ଲାଣ୍ଟ ଓ ସିଲିକନ ଷ୍ଟିଲ୍ ମିଲ୍ର ଆଧୁନିକୀକରଣ କରାଯାଇ କ୍ଷମତାର ଅଭିବୃଦ୍ଧି କରାଯାଉ ।

ଟାଉନସିପରେ ଖାଲି ପଡିଥିବା ଘର ଏବଂ ଜାଗାକୁ ଇସ୍ପାତ ଶ୍ରମିକମାନଙ୍କୁ ଦୀର୍ଘସୂତ୍ରୀ ଲିଜ୍ରେ ଦିଆଯାଉ । ଇସ୍ପାତ ହସ୍ପିଟାଲରେ ଅଧିକ ସଂଖ୍ୟକ ସ୍ପେସାଲିଷ୍ଟ ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫଙ୍କୁ ନିଯୁକ୍ତି ଦିଆଯିବା ସହ ବର୍ତ୍ତମାନ ଥିବା ଅଭାବ ଅସୁବିଧାକୁ ଦୂର କରାଯାଉ । ରୋଗୀମାନଙ୍କ ରେଫରାଲ କ୍ଷେତ୍ରରେ ଟିଏ ବ୍ୟବସ୍ଥାର ସରଳୀକରଣ ସହ ବାସ୍ତବିକତାକୁ ଦୃଷ୍ଟିରେ ରଖି ସେଥିରେ ଅଭିବୃଦ୍ଧି କରାଯାଉ ।

ବିଗତ ଦିନରେ ଘର ରକ୍ଷଣାବେକ୍ଷଣ ଅତ୍ୟନ୍ତ ବିପର୍ଯ୍ୟୟ ଅବସ୍ଥାରେ ଅଛି ଏଥିପ୍ରତି ତୁରନ୍ତ ଦୃଷ୍ଟି ଦିଆଯିବା ଆବଶ୍ୟକ । ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ସ୍ଥାୟୀ ସ୍ଥାନରେ କାମ କରୁଥିବା ଠିକା ଶ୍ରମିକମାନଙ୍କୁ ଠିକାଦାର ପରିବର୍ତ୍ତନ ନ ହେଲେ ମଧ୍ୟ ସେମାନଙ୍କୁ ପରିବର୍ତ୍ତନ କରାନଯାଉ । ରାଉରକେଲାର ଠିକା ଶ୍ରମିକମାନଙ୍କୁ କେନ୍ଦ୍ରୀୟ ହାରରେ ସର୍ବନିମ୍ନ ବେତନ ପ୍ରଦାନ, ଆର୍ଏସ୍ପି ଶ୍ରମିକମାନଙ୍କୁ ପ୍ରଦାନ କରାଯାଉଥିବା ମାସିକ ବୋନସ ରିୱାର୍ଡରେ ଅଭିବୃଦ୍ଧି କରାଯିବା ସହ ସିପିଆଇଏସ୍ (ଡିପିଆଇଏସ୍)କୁ ଲାଗୁ କରିବା ପାଇଁ ପ୍ରତିନିଧି ମଣ୍ଡଳୀ ଦାବି କରିଥିଲେ । ଏହି ପ୍ରତିନିଧି ମଣ୍ଡଳୀରେ ସୁରେନ୍ଦ୍ର ମହାନ୍ତି, ଅଶୋକ ମିଶ୍ର, ରତ୍ନାକର ନାୟକ, ୱାଇ. ସାହୁ, ପ୍ରକାଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ସାମିଲ୍ ଥିଲେ ।

By amfnews

Related Post