Mon. Feb 24th, 2025

ସୁପ୍ରିମ୍‌ କୋର୍ଟ ବିଚାରପତିଙ୍କ ବିସ୍ଫୋରକ ବୟାନ

By amfnews Sep 2, 2018 #Featured
268 Views

ମତେ ପ୍ରଭାବିତ କରିବାକୁ ଉଦ୍ୟମ ହୋଇଥିଲା

ନୂଆଦିଲ୍ଲୀ   :   ସୁପ୍ରିମ୍‌ କୋର୍ଟର ୮ ନମ୍ବର କୋର୍ଟରୁମ୍‌ରେ ଗତକାଲି ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଏକ ମାମଲାର ଶୁଣାଣି ଚାଲିଥିବା ବେଳେ ବିଚାରପତି ଇନ୍ଦିରା ବାନାର୍ଜୀ ଏକ ବିସ୍ଫୋରକ ତଥ୍ୟ ପ୍ରଘଟ କରି କହିଥିଲେ ଯେ ତାଙ୍କୁ ଏହି ମାମଲାରେ ପ୍ରଭାବିତ କରିବାକୁ ଭିନ୍ନ ଭିନ୍ନ ଉପାୟରେ ଉଦ୍ୟମ ହୋଇଥିଲା। ଏହା ସହିତ ସେ ମାମଲାର ଶୁଣାଣିରୁ ଓହରିଯିବା ଉଚିତ ହେବ ବୋଲି କହିଥିଲେ। ଜଷ୍ଟିସ୍‌ ବାନାର୍ଜୀଙ୍କ ସହିତ ଏହି ଖଣ୍ଡପୀଠରେ ଥିବା ଅନ୍ୟତମ ବିଚାରପତି ଅରୁଣ ମିଶ୍ର କହିଥିଲେ ଯେ କୌଣସି ମାମଲାରେ ବିଚାରପତିଙ୍କୁ ପ୍ରଭାବିତ କରିବାକୁ ଏଭଳି ଉଦ୍ୟମ ଅଦାଲତ ଅବମାନନା ସହିତ ସମାନ।

ଏହା ବିରୋଧରେ ଅଦାଲତ ଅବମାନନା ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜଷ୍ଟିସ୍‌ ମିଶ୍ର କହିଥିଲେ। ଏହା ସହିତ ଜଷ୍ଟିସ୍‌ ବାନାର୍ଜୀଙ୍କୁ ସେ ପରାମର୍ଶ ଦେଇ ମାମଲାର ଶୁଣାଣିରୁ ଓହରି ନଯିବାକୁ ପରାମର୍ଶ ଦେଇଥିଲେ। ଜଷ୍ଟିସ୍‌ ବାନାର୍ଜୀ କହିଥିଲେ ଯେ କେତେକ ଅଜ୍ଞାତ ବ୍ୟକ୍ତି ତାଙ୍କୁ ‘ହୋଟେଲ ରୟାଲ ପ୍ଲାଜା’ ମାମଲାରେ ବାରମ୍ବାର ଫୋନ୍‌ କରିଥିଲେ। ସୁପ୍ରିମ୍‌ କୋର୍ଟର କେତେକ ବରିଷ୍ଠ ଆଇନଜୀବୀ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇବା ବାହାନାରେ ଆସି ନିର୍ଦ୍ଦିଷ୍ଟ ମାମଲା ଉତ୍‌୍‌ଥାପନ କରିଥିବା ଜଷ୍ଟିସ୍‌ ବାନାର୍ଜୀ କହିଥିଲେ।

କୋର୍ଟରୁମ୍‌ରେ ଜଷ୍ଟିସ୍‌ ବାନାର୍ଜୀଙ୍କ ଏଭଳି ତଥ୍ୟ ପ୍ରଘଟ ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା। ଏହାପରେ ହୋଟେଲ ରୟାଲ ପ୍ଲାଜା ମାମଲାର ଶୁଣାଣି ଯଥାରୀତି ଚାଲିଥିଲା ଏବଂ ଅଦାଲତ ଏହି ମାମଲାରେ ରାୟ ସଂରକ୍ଷିତ ରଖିଥିଲେ। ନିକଟରେ ସୁପ୍ରିମ୍‌ କୋର୍ଟରେ ଯେଉଁ ୩ ଜଣ ନୂତନ ବିଚାରପତି ନିଯୁକ୍ତି ପାଇଥିଲେ, ସେମାନଙ୍କ ମଧ୍ୟରୁ ଜଷ୍ଟିସ୍‌ ଇନ୍ଦିରା ବାନାର୍ଜୀ ଅନ୍ୟତମ। ଅନ୍ୟ ଦୁଇ ଜଣ ହେଲେ ଜଷ୍ଟିସ୍‌ ବିନିତ ଶରଣ ଏବଂ କେ ଏମ୍‌ ଯୋଶେଫ୍‌।

By amfnews

Related Post