Fri. Mar 6th, 2026

ସୁପାରି ନେଇ ହତ୍ୟା କରିବାକୁ ପ୍ରସ୍ତୁତ ହେଉଥିଲା, ନିଜେ ଖାଇଲା ଗୁଳି

252 Views

ପୁରୀ : ପୁରୀ ସହରରେ ପୁଲିସ୍ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଦିବାନା ବେହେରା ଆହତ ହୋଇଛି। ତା’ ଡାହାଣ ଗୋଡ଼ରେ ଗୁଳି ବାଜିଛି। ତାକୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତା’ଠାରୁ ଗୋଟିଏ ପିସ୍ତଲ, ଗୁଳି ଓ ଏକ ବାଇକ୍ ଜବତ କରାଯାଇଛି।

ସୂଚନା ଅନୁଯାୟୀ, ଦିବାନା ନାଁରେ ବିଭିନ୍ନ ଥାନାରେ ୨୬ଟି ମାମଲା ରହିଛି। ତାକୁ ପୁଲସ୍ ବହୁ ଦିନ ହେଲା ଖୋଜୁଥିଲା। ତେବେ ଗତକାଲି ରାତି ପ୍ରାୟ ଦେଢ଼ଟାରେ ପୁଲିସ୍ କୌଣସି ସୁତ୍ରରୁ ଜାଣିବାକୁ ପାଇଲା ଯେ, ସେ ନବକଳେବର ରୋଡ୍ ଆଶ୍ରମ ଛକରେ ଅଛି। ପୁଲିସ୍ ପାଖରେ ଏହା ବି ସୂଚନା ଥିଲା ଯେ, ସେ ସୁପାରି ନେଇ କାହାକୁ ହତ୍ୟା କରିବାକୁ ପ୍ରସ୍ତୁତ ହେଉଛି। ଏହି ସୂଚନା ମିଳିବା ପରେ ପୁଲିସ୍‌ର ଏକ ଟିମ୍ ସେଠାରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଦିବାନା ପୁଲିସ୍ ଟିମ୍ ଉପରକୁ ଗୁଳି ଚଳାଇଥିଲା। ତା’ଗୁଳିରେ ବାସେଳିସାହି ଥାନା ଆଇଆଇସି ସାମାନ୍ୟ ଆହତ ହୋଇଛନ୍ତି। ଗୁଳିଟି ତାଙ୍କ ହାତକୁ ଛୁଇଁ ଚାଲି ଯାଇଥିଲା। ତେବେ ଏହା ପରେ ପୁଲିସ୍‌ର ପାଲଟା ଗୁଳିମାଡ଼ରେ ଦିବାନା ଆହତ ହୋଇଥିଲା। ତା’ ଡାହାଣ ଗୋଡ଼ରେ ଆଣ୍ଠୁ ତଳକୁ ଗୁଳି ବାଜିଛି।

gunଦିବାନାକୁ ଆହତ ଅବସ୍ଥାରେ ପ୍ରଥମେ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ପୁରୀ ଏସ୍‌ପିଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଦିବାନାର ଘର ଗୋଖା ସାହିରେ। ସେ ପୂର୍ବରୁ ହୋମ୍‌ଗାର୍ଡ ଚାକିରି କରୁଥିଲା। ବେଆଇନ୍ କାମ କରି ସେ କୋଟିପତି ହୋମ୍‌ଗାର୍ଡ ପାଲଟି ଯାଇଥିଲା। ତା’ପରେ ଅପରାଧ ଦୁନିଆରେ ସାମିଲ ହୋଇଯାଇଥିଲା।

By amfnews

Related Post