Thu. Mar 13th, 2025

‘ସୁନ୍ଦରୀ’ ପୋଷା ବନିବା ଭୟ : ବଡ଼ ହେବ କ୍ଷୁଦ୍ର ଏନ୍‌କ୍ଲୋଜର

By amfnews Nov 29, 2018 #Featured
95 Views

ଅନୁଗୁଳ, ନଭେମ୍ବର ୨୯ : ଆଜିକୁ ୨୨ଦିନ ବିତିଲା। ରାଇଗୁଡ଼ାର ଏନକ୍ଲୋଜର ଭିତରେ ବନ୍ଦୀ ହୋଇ ରହିଛି ସାତକୋଶିଆ ବାଘୁଣୀ ‘ସୁନ୍ଦରୀ’। ତାର ବାଡ଼ ଘେରା ଜମି ଭିତରେ ବାଘୁଣୀ ଚକ୍କର କାଟୁଛି। ଆ‌ହୁରି ଏମିତି କେତେ ଦିନ କାଟିବ ତାର ବି କିଛି ଠିକଣା ନାହିଁ। ସବୁ କିଛି ରହିଛି ଏବେ ଦିଲ୍ଲୀରେ ବସିଥିବା ଏନ୍‌ଟିସିଏ ହାକିମମାନଙ୍କ ହାତରେ। ଏଭଳି ପରିସ୍ଥିତିରେ ଅଧିକ ଦିନ ବାଘୁୁଣୀ ବନ୍ଦୀ ଜୀବନ କାଟିଲେ ତାର ପ୍ରକୃତିଦତ୍ତ ହିଂସ୍ରପଣ ପ୍ରଭାବିତ ହୋଇପାରେ। ଶିକାର ଭୁଲି ସବୁଦିନ ପାଇଁ ପୋଷା ବନିପାରେ। ତେଣୁ ବାଘୁଣୀ ଯେତିକି ଦିନ ଏନକ୍ଲୋଜର ଭିତରେ ରହିବ, ସେତିକି ଦିନ ତାକୁ ପ୍ରାକୃତିକ ଜଙ୍ଗଲୀ ପରିବେଶ ଯୋଗାଇ ଦେବା ପାଇଁ ଏନକ୍ଲୋଜର ସୀମା ବୃଦ୍ଧି ଯୋଜନା ହୋଇଛି। ନିକଟରେ ଏନଟିସିଏ ଆଇଜି ଅମିତ୍ ମଲ୍ଲିକ ସୁନ୍ଦରୀ ସ୍ଥିତି ପରଖିବା ପରେ ଏନକ୍ଲୋଜଜର ପରିସୀମା ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ। ସେଥିପାଇଁ ସାତକୋଶିଆ କର୍ତୃପକ୍ଷ ଯୋଜନା ତିଆରି କରୁଛି। ଏନଟିସିଏ ଯୋଜନା ପାରିତ କଲେ ଅର୍ଥ ବ୍ୟବସ୍ଥା କରିବ ବୋଲି ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ସାତକୋଶିଆକୁ ବାଘ, ବାଘୁଣୀ ଆସିବା ପୂର୍ବରୁ ରାଇଗୁଡ଼ାର ୫ଏକର ଜମିରେ ଦୁଇଟି ଏନକ୍ଲୋଜର କରାଯାଇଛି। ମୃତ ମହାବଳ ମହାବୀର ଏବଂ ବାଘୁଣୀ ସୁନ୍ଦରୀ ଏକାଠି ଦୁଇଟି ଯାକ ଏନକ୍ଲୋଜରରେ ପାଖାପାଖି ସପ୍ତାହେ କାଳ ରହିଥିଲେ। ମହାବୀର ତ ମରିଗଲା। ବିଭିନ୍ନ କାଣ୍ଡ କାରଖାନା ପାଇଁ ବାଘୁଣୀ ଏନକ୍ଲୋଜରକୁ ଫେରିବାକୁ ପଡ଼ିଲା।

କିନ୍ତୁ କ୍ଷୁଦ୍ର ଏନକ୍ଲୋଜର ଭିତରେ ଦୀର୍ଘ ଦିନ ବାଘୁଣୀ ରହିଗଲେ ପୋଷା ବନିଯିବାର ଭୟ ରହିଛି। ତେଣୁ ୫ଏକର ଏନକ୍ଲୋଜର ସହିତ ଆଉ ପ୍ରାୟ ୬ଏକର ଜଙ୍ଗଲ ଯୋଡ଼ି ବାଘୁଣୀର ଏନକ୍ଲୋଜରକୁ ବଡ଼ କରିବାକୁ ଯୋଜନା ତିଆରି ଚାଲିଛି। ୧୧ଏକର ଏନକ୍ଲୋଜର ଭିତରେ ବାଘୁଣୀକୁ ପ୍ରାକୃତିକ ଜଙ୍ଗଲୀ ପରିବେଶ ମିଳି ପାରିବ। ତା’ ମଧ୍ୟରେ ଯନ୍ତୁ ଖୋଜି ବାଘୁଣୀ ଶିକାର କରିପାରିବ ବୋଲି ଆଶା କରାଯାଉଛି। ‌ସେହିପରି ବର୍ତ୍ତମାନର କ୍ଷୁଦ୍ର ଏନକ୍ଲୋଜର ପାଖରେ ପ୍ରାକୃତିକ ଝରଣା ବହିଯାଇଛି। ତାକୁ ଏନକ୍ଲୋଜର ଭିତରକୁ ଆଣିବାକୁ ମଧ୍ୟ ଯୋଜନା ହୋଇଥିବା ଜଣାପଡ଼ିଛି।

By amfnews

Related Post