Sat. Mar 7th, 2026

ସିବିଆଇରୁ ଅପସାରିତ ହେବା ପରେ ଆଇପିଏସ୍‌ ଚାକିରିରୁ ଇସ୍ତଫା ଦେଲେ ଆଲୋକ ବର୍ମା

233 Views

ନୂଆଦିଲ୍ଲୀ: ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଆଲୋକ ବର୍ମା ଶୁକ୍ରବାର ଆଇପିଏସ୍‌ ଅଫିସର୍‌ ଚାକିରିରୁ ଇସ୍ତଫା ଦେଇଛନ୍ତି।  ଦୁର୍ନୀତି ଅଭିଯୋଗ ଥିବାରୁ ଗତକାଲି ସିଲେକ୍ଟ କମିଟି ତାଙ୍କୁ ସିବିଆଇର ନିର୍ଦ୍ଦେଶକ ପଦରୁ ବହିିଷ୍କାର କରିଥିଲା। ଏହା ପରେ ଅଗ୍ନିଶମ ଓ ହୋମଗାର୍ଡ ମହାନିର୍ଦ୍ଦେଶକ ଭାବେ ତାଙ୍କୁ  ନିଯୁକ୍ତି ଦିଆଯାଇଥିଲା। ମାତ୍ର ଶ୍ରୀ ବର୍ମା ଏହି ପଦରେ ରହିବା ନେଇ ଅନିଚ୍ଛା ପ୍ରକାଶ କରିବା ସହ ସିଧାସଳଖ ଚାକିରିରୁ ଇସ୍ତଫା ଦେଇଛନ୍ତି।

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ସିଲେକ୍ଟ  ବୈଠକର ନିଷ୍ପତ୍ତି ପରେ ଗଣମାଧ୍ୟମରେ ନିଜର ଦୁଃଖ ପ୍ରକାଶ କରିଥିଲେ ଶ୍ରୀ ବର୍ମା। ସେ କହିଥିଲେ କି ‘ମୁଁ ଦୁଃଖୀତ ଯେ ମୋତେ ମିଥ୍ୟା ଏବଂ ଅପମାନଜନକ କାରଣ ଦର୍ଶାଯାଇ ମୋର ପଦରୁ ବାହାର କରାଯାଇଛି। କୌଣସି ପ୍ରକାରର ବାହାର ହସ୍ତକ୍ଷେପ ବିନା ସିବିଆଇକୁ କାମ କରିବା ଲାଗି ଉଦ୍ୟମ କରିଛି । ଯଦିଓ ଏହି ପ୍ରାଥମିକ ତଦନ୍ତ ଏଜେନ୍ସିକୁ ନଷ୍ଟ କରିବା ପାଇଁ ଅନେକ ଥର ପ୍ରୟାସ କରାଯାଇଛି, ମୁଁ କିନ୍ତୁ ସର୍ବଦା ତା’ର ଅଖଣ୍ଡତା ବଜୟ ରଖିବା ଲକ୍ଷ୍ୟରେ ରହିଥିଲି ।’

ଉଲ୍ଳେଖଯୋଗ୍ୟ, ଦୁର୍ନୀତି ଏବଂ କାର୍ଯ୍ୟରେ ଅବହେଳା  ଅଭିଯୋଗ ଆସିବା ପରେ ଆଲୋକ ବର୍ମାଙ୍କୁ କେନ୍ଦ୍ର ସରକାର ବାଧ୍ୟତାମୂଳକ ଛୁଟିରେ ପଠାଇଥିଲେ। ଏହାକୁ ସେ ସୁପ୍ରିମକୋର୍ଟରେ ଏହି ନିଷ୍ପତ୍ତିକୁ  ଚାଲେଞ୍ଜ କରିଥିଲେ ବର୍ମା।  ୭୭ ଦିନ ଛୁଟିରେ ରହିବା ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସେ ପଦକୁ ଫେରିଥିଲେ।  ଛୁଟିରୁ ଫେରି କାର୍ଯ୍ୟ ଗ୍ରହଣ କରିବାର ମାତ୍ର ୩୬ ଘଣ୍ଟା ମଧ୍ୟରେ ତାଙ୍କୁ ପଦରୁ ବହିଷ୍କାର କରାଯାଇ ଶୁକ୍ରବାର ଅଗ୍ନିଶମ ଓ ହୋମଗାର୍ଡ ମହାନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଥିଲା। ମାତ୍ର ସେ ଏହି ପଦରେ ରହିବା ପାଇଁ ଅମଙ୍ଗ ପ୍ରକାଶ କରି ଚାକିରି ଛାଡ଼ିଥିବା ସୂଚନା ରହିଛି। ଏବେ ବର୍ମାଙ୍କ ସ୍ଥାନରେ ସିବିଆଇ ନିର୍ଦ୍ଦେଶକ ଭାବେ କାର୍ଯ୍ୟଭାର ସମ୍ଭାଳୁଛନ୍ତି ଏମ୍‌ ନାଗେଶ୍ୱର ରାଓ ।

By amfnews

Related Post