ନୂଆଦିଲ୍ଲୀ : ଦୁଇରୁ ଅଧିକ ସନ୍ତାନ ଥିବା ଲୋକମାନଙ୍କୁ ସରକାରୀ ଚାକିରି ଦିଆଯିବ ନାହିଁ ବୋଲି ଆସାମ ସରକାରଙ୍କ ନିୟମକୁ ବିରୋଧ କରିଛନ୍ତି ଅଲ ଇଣ୍ଡିଆ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ ( ଏଆଇୟୁଡିଏଫ) ମୁଖ୍ୟ ବଦରୁଦ୍ଦିନ ଅଜମଲ । ସେ କହିଛନ୍ତି ଯେ ସରକାର ଯାହା ନିୟମ କଲେ ବି ମୁସଲିମମାନେ ଅଧିକ ସନ୍ତାନ ଜନ୍ମ କରିବେ । ଏହାକୁ ଅଟକାଇବା ପ୍ରକୃତିର ବିରୋଧୀ । ମୁସଲିମମାନଙ୍କୁ ନିଯୁକ୍ତିରୁ ବଞ୍ଚିତ କରିବାକୁ ଆସାମ ସରକାର ଏହି ନିୟମ ଆଣିଛନ୍ତି । ଏହା ସତ୍ତ୍ୱେ ମୁସଲିମମାନେ ଅଧିକ ସନ୍ତାନ ଜନ୍ମ କରିଚାଲିବେ । ଆମ ଧର୍ମ ବିଶ୍ୱାସ ଅନୁସାରେ ଯିଏ ଏହି ଦୂନିଆକୁ ଆସିବାକୁ ଚାହୁଁଛି ତାକୁ ଆସିବାକୁ ଦିଆଯାଉ । ସରକାର ଯାହା ବି ନିୟମ ଆଣନ୍ତୁ ତାହାକୁ ମୁସଲିମମାନେ ମାନିବେ ନାହିଁ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଗୋଟିଏ ପଟେ ଆରଏସଏସ ମୁଖ୍ୟ ମୋହନ ଭାଗବତ ହିନ୍ଦୁମାନଙ୍କୁ ୧୦ ଟି ସନ୍ତାନ ଜନ୍ମ କରିବାକୁ କହୁଥିବାବେଳେ ମୁସଲିମମାନଙ୍କ ପ୍ରତି ଅବିଚାର ଠିକ ନୁହେଁ ।
ଗତ ୨୧ ତାରିଖରେ ଆସାମ ସରକାର ଏକ ନିୟମ ଆଣି କହିଛନ୍ତି ଯେ ୨୦୨୧, ଜାନୁୟାରୀ ୧ ପରଠାରୁ ୨ରୁ ଅଧିକ ସନ୍ତାନ ଥିବା ଲୋକମାନଙ୍କୁ ସରକାରୀ ଚାକିରି ଦିଆଯିବ ନାହିଁ ।
104 Views