Sun. Nov 24th, 2024

ସମୁଦ୍ରପଥରେ ଯୋଡ଼ିହେବ ଚେନ୍ନାଇ-ଭ୍ଲାଦିଭୋସ୍ତୋକ୍‌

By amfnews Sep 5, 2019 #Featured
160 Views

ନୂଆଦିଲ୍ଲୀ  : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୁଷ ଗସ୍ତରେ ସେ ସେଠାକାର ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍‌ଙ୍କ ସହ ୧୫ଟି ଏମ୍‌ଓୟୁ ସ୍ୱାକ୍ଷର କରିଛନ୍ତି। ବିଶେଷ କରି ଯୋଗାଯୋଗ, ତୈଳ, ଗ୍ୟାସ୍‌, ସମୁଦ୍ର, ମହାକାଶ, ଶକ୍ତି ଏବଂ ଅନ୍ୟ କିଛି ପ୍ରସଙ୍ଗରେ ଉଭୟ ରାଷ୍ଟ୍ର ମିଳିତ ଭାବେ କାମ କରିବା ନେଇ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏତଦ୍‌ବ୍ୟତୀତ ରୁଷ୍‌ ଏବଂ ଭାରତକୁ ଜଳପଥରେ ସଂଯୋଗ କରି ଚେନ୍ନାଇଠାରୁ ଭ୍ଲାଦିଭୋସ୍ତୋକ୍‌କୁ ଯୋଡ଼ାଯିବ ବୋଲି ସେ ଏହି ଅବସରରେ ଘୋଷଣା କରିଛନ୍ତି।

ଏହି ଚୁକ୍ତି ବ୍ୟତୀତ ଉଭୟ ରାଷ୍ଟ୍ର ଆସନ୍ତା ୨୦୨୫ ମସିହା ସୁଦ୍ଧା ୩୦୦ କୋଟି ଡଲାରର ବ୍ୟବସାୟ କରିବାକୁ ଟାର୍ଗେଟ୍‌ ରଖିଛନ୍ତି। ଏହା ବର୍ତ୍ତମାନ ୧୧୦ କୋଟି ଡଲାରରେ ପହଞ୍ଚିଛି। ଭାରତ ଶକ୍ତି କ୍ଷେତ୍ରରେ ଆହୁରି ବିକଶିତ ହେବା ପାଇଁ ରୁଷ୍‌ର କିଛି ସ୍ଥାନରେ ତୈଳ ଉତ୍ତୋଳନ କ୍ଷେତ୍ରରେ ମଧ୍ୟ ବିକଶିତ କରିବାର ଅଛି ବୋଲି ଜଣାପଡ଼ିଛି।

ରାଷ୍ଟ୍ରର ଅନ୍ତରୀଣ ମାମଲାରେ କୌଣସି ଅନ୍ୟ ରାଷ୍ଟ୍ର ମୁଣ୍ଡ ଖେଳାଇବା ଉଚିତ ନୁହେଁ ବୋଲି ଉଭୟ ରାଷ୍ଟ୍ର ଏହି ଅବସରରେ ସହମତି ପ୍ରକାଶ କରିଛନ୍ତି। ଏକ ମିଳିତ ବିବୃତି ଜରିଆରେ ମୋଦି ଏବଂ ପୁଟିନ୍‌ ଏହି ମତ ରଖିଛନ୍ତି। ସୂଚନାଯୋଗ୍ୟ ଯେ, ଭାରତ ଜମ୍ମୁ-କଶ୍ମୀର ପାଇଁ ଲାଗୁ ହେଉଥିବା ସ୍ୱତନ୍ତ୍ର ୩୭୦ ଧାରା ଉଚ୍ଛେଦ କରିବା ପରେ ପାକିସ୍ତାନ ପ୍ରତିକ୍ରିୟାଶୀଳ ହୋଇ ଉଠିଛି। କିନ୍ତୁ ରୁଷ୍‌ ପକ୍ଷରୁ ଭାରତକୁ ସମର୍ଥନର ସ୍ୱର ଶୁଭିଥିଲା। ରୁଷ୍‌ ପକ୍ଷରୁ କୁହାଯାଇଥିଲା ଏହା ଭାରତର ସମ୍ବିଧାନ ଅଧୀନରେ କରାଯାଇଛି। ଆଜି ମୋଦିଙ୍କ ରୁଷ ଗସ୍ତରେ ମୋଦି ପୁଟିନ୍‌ଙ୍କ ସହ ଏକ ଜାହାଜରେ ବେଶ୍‌ କିଛି ସମୟ ଆଲୋଚନା କରିବା ପରେ ଏକ ପ୍ରତିନିଧିସ୍ତରୀୟ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ହୋଇଥିବା ବିଭିନ୍ନ ଆଲୋନା ମଧ୍ୟରେ ପ୍ରମୁଖ ଥିଲା ଭାରତର ସବୁଠାରୁ ଦାମୀ ମହାକାଶ ମିଶନ୍‌ ‘ଗଗନଯାନ’ରେ ରୁଷର ସାହାଯ୍ୟ। ମିଳିଥିବା ସୂଚନା ଅନୁଯାୟୀ, ଭାରତ ମହାକାଶକୁ ମହାକାଶଚାରୀ ପଠାଇବା ଦିଗରେ ପ୍ରକଳ୍ପ ଆରମ୍ଭ କରିଥିବାବେଳେ ରୁଷ ଏହି ମହାକାଶଚାରୀଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟ୍ରେନିଂ ଦେବ।

ମୋଦି ଏହି ଅବସରରେ କହିଥିଲେ, ଉଭୟ ରାଷ୍ଟ୍ର ମଦ୍ୟରେ ବନ୍ଧୁତା ତୀବ୍ର ଗତିରେ ଆଗେଇ ଚାଲିଛି। ଆମର ଏହି ସ୍ୱତନ୍ତ୍ର ସହଯୋଗ କେବଳ ଦେଶର ସହାୟତା କରିନାହିଁ, ବରଂ ଆମ ଲୋକଙ୍କ ବିକାଶରେ ମଧ୍ୟ ଯୋଗଦାନ କରିଛି। ସେହିଭଳି ପୁଟିନ୍‌ କହିଥିଲେ, ଭାରତ ସହ ରୁଷ୍‌ର ସମ୍ପର୍କ ବହୁ ଦିନ ଧରି ରହିଆସିଛି। ଏହା କୂଟନୀତିକ ଦୃଷ୍ଟିକୋଣରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ସେ ଉଭୟ ରାଷ୍ଟ୍ର ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ବାବଦରେ କହିଥିଲେ, ଭାରତକୁ ରୁଷ ବୃହତ୍‌ ମାତ୍ରାରେ ତୈଳ ଏବଂ ଖଣିଜ ଉତ୍ପାଦ ଯୋଗାଇ ଆସୁଛି। ଗତବର୍ଷ ୩.୩ ମିଲିଅନ୍‌ ଟନ୍‌ ତୈଳ, ୫୫୦ ହଜାର ଟନ୍‌ ତୈଳଜାତ ଉତ୍ପାଦ ଏବଂ ୪.୫ ମିଲିଅନ୍‌ ଟନ୍‌ କୋଇଲା ପଠାଯାଇଛି। ଏହି ଅବସରରେ ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟର ରୁଷ ଗସ୍ତ କଥା ମନେ ପକାଇଥିଲେ। ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସହ ରୁଷ୍‌ ଗସ୍ତରେ ଯାଇଥିଲେ ଏବଂ ସେବେଠାରୁ ପୁଟିନ୍‌ଙ୍କ ସହ ବନ୍ଧୁତା ବାବଦରେ ସେ ଆଜି ମନେ ପକାଇଥିଲେ।

By amfnews

Related Post