Tue. Mar 10th, 2026

ସମସ୍ୟାରେ ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ର

215 Views

କଟକ : ସବୁ ଜିଲ୍ଲାରେ ଖୋଲିବ ଯନ୍ତ୍ରଣା ଉପଶମ କେନ୍ଦ୍ର। ସବୁଠି ରହିବ ୬ଟି ଲେଖାଏଁ ବେଡ୍‌ । ସେ ନେଇ ୧୦ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୧୦.୨୫ଲକ୍ଷ ଟଙ୍କା ମଧ୍ୟ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହା ଘୋଷଣା ହୋଇଛି। ହେଲେ , ରାଜ୍ୟର ପ୍ରମୁଖ କ୍ୟାନସର୍‌ ଚିକିତ୍ସାଳୟ- ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଖୋଲିଥିବା ପ୍ରଥମ ‌ଯନ୍ତ୍ରଣା ଉପଶମ କେନ୍ଦ୍ର( ପେନ୍‌ ଏଣ୍ଡ ପାଲିଟିଭ କେୟାର)ରେ ୮ମାସ ହେଲା ଇନ୍‌ଡୋର୍‌ ସେବା ବନ୍ଦ ରହିଛି। ସୁବକିଛି ଠିକ୍‌ ଚାଲିଛି ବୋଲି କର୍ତ୍ତୃପକ୍ଷ କହୁଥିବା ବେଳେ, ଏବେ କେବଳ ଆଉଟ୍‌ଡୋରରେ ରୋଗୀଙ୍କୁ ଚିକିତ୍ସା ମିଳୁଛି।

ସୂଚନା ଅନୁସାରେ, ଯନ୍ତ୍ରଣା ଉପଶମ ଚିକିତ୍ସା ହେଉଛି କର୍କଟ ରୋଗୀଙ୍କ ମୁଖ୍ୟ ଚିକିତ୍ସା। ଯେଉଁଥି ପାଇଁ ରାଜ୍ୟର ପ୍ରମୁଖ କର୍କଟ କେନ୍ଦ୍ର ଆଚାର୍ଯ୍ୟ ହରିହର ଆଂଚଳିକ କେନ୍ଦ୍ରରେ ୧୯୯୧ରେ ଆରମ୍ଭ ହୋଇଥିଲା ଯନ୍ତ୍ରଣା ଉପଶମ ଚିକିତ୍ସା। ଏପରିକି ଏହି କେନ୍ଦ୍ରକୁ ତଦାରଖ କରିବା ପାଇଁ ଡବ୍ଲୁଏଚ୍‌ଓ ପ୍ରତିନିଧିମଣ୍ଡଳୀ ମଧ୍ୟ ଆସିଥିଲେ। ୨୦୦୧ରେ ଏହି କେନ୍ଦ୍ରରେ ପ୍ରଥମ କରି ଆରମ୍ଭ ହୋଇଥିଲା ଇନ୍‌ଡୋର ଚିକିତ୍ସା। ପ୍ରଥମେ ୧୦ଟି ଶଯ୍ୟାରେ ରୋଗୀଙ୍କୁ ଚିକିତ୍ସିତ କରାଯାଉଥିବା ବେଳେ ପରବର୍ତ୍ତୀ ସମୟରେ ଶଯ୍ୟା ସଂଖ୍ୟା ୧୪କୁ ବୃଦ୍ଧି କରାଯାଇଥିଲା। ସବୁ ଠିକ୍‌ଠାକ୍‌ ଚାଲିଥିବାରୁ ରୋଗୀମାନେ ବେଶ୍‌ ଉପକୃତ ହେଉଥିଲେ। କିନ୍ତୁ ଗତ ୮ମାସ ହେଲା ହଠାତ୍‌ ଏହି କେନ୍ଦ୍ରରେ ଯନ୍ତ୍ରଣା ଉପଶମ ପାଇଁ ରୋଗୀଙ୍କୁ ଆଉ ମିଳୁନି ଇନ୍‌ଡୋର ସୁବିଧା। କେବଳ ଆଉଟ୍‌ଡୋର ଚିକିତ୍ସା ସେବା ମିଳୁଛି। ତା’ ପୁଣି ଦିନ ୧୨ଟାରୁ ୨ଟା ପର୍ଯ୍ୟନ୍ତ।

ରୋଗୀମାନେ ପ୍ରଥମେ ଆସି ଓପିଡି ଟିକଟ୍ କାଟିବା ପରେ ଯନ୍ତ୍ରଣା ଉପଶମ କେନ୍ଦ୍ରକୁ ଆସିଥାନ୍ତି। ସେଠାରେ ରୋଗୀଙ୍କୁ ଭର୍ତ୍ତି କରିବାର (ଇନ୍‌ଡୋର ସେବା) ସୁବିଧା ନ ଥିବାରୁ ସେମାନଙ୍କୁ କେବଳ ଔଷଧ ଦେଇ ଛାଡି ଦେଉଛନ୍ତି। କୌଣସି ରୋଗୀର ଅବସ୍ଥା ଅଧିକ ଗୁରୁତର ଥିଲେ ତାଙ୍କୁ ସଂପୃକ୍ତ ବିଭାଗକୁ ପଠାଇ ଦିଆଯାଉଛି। ଅନ୍ୟପଟେ, ୨୦୧୧/୧୨ଆର୍ଥିକ ବର୍ଷରେ ଏହି କେନ୍ଦ୍ରରେ ପାଲିଟିଭ୍‌ ମେଡିସିନ୍‌ ଏମ୍‌.ଡି କୋର୍ସ ଖୋଲିବା ପାଇଁ ପରିଚାଳନା କମିଟିରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। କିନ୍ତୁ, ଆଜି ପର୍ଯ୍ୟନ୍ତ ଏହି ପାଠ୍ୟକ୍ରମ କର୍କଟ କେନ୍ଦ୍ରରେ ଖୋଲି ପାରିନି। ରାଜ୍ୟର ପ୍ରଥମ ଯନ୍ତ୍ରଣା ଉପଶମ ଚିକିତ୍ସା ସୁବିଧା ମିଳୁଥିବା କେନ୍ଦ୍ରର ଇନ୍‌ଡୋର ବ୍ୟବସ୍ଥାକୁ କାହିଁକି ବନ୍ଦ କରାଗଲା ଓ ଶଯ୍ୟାସବୁ ଉଠାଯାଇ ଏମରଜେନ୍‌ସି ଓ କାଜୁଆଲିଟିକୁ ପଠାଗଲା ତାହା ବୁଝିବା କଷ୍ଟକର ହୋଇପଡ଼ିଛି। କିନ୍ତୁ, ରୋଗୀ ଅଥବା ସମ୍ପର୍କୀୟମାନେ ମୁହଁ ଖୋଲି କିଛି କହିବାର ସାହସ ଜୁଟାଇ ପାରୁ ନାହାନ୍ତି। କେବଳ ହନ୍ତସନ୍ତ ହେବା ସାର ହେଉଛି। ଏଦିଗରେ ରାଜ୍ୟ ସରକାର ଓ ସ୍ବାସ୍ଥ୍ୟ ବିଭାଗ ଗୁରୁତର ସହ ବିଚାର କରିବା ପାଇଁ ରୋଗୀ ଓ ସଂପର୍କୀୟମାନେ ଦାବି କରିଛନ୍ତି।

By amfnews

Related Post