Mon. Sep 30th, 2024

ଶପଥ ଗ୍ରହଣ କଲେ ଓଡ଼ିଶା ହାଇକୋର୍ଟର ମୁଖ୍ୟବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ

By amfnews Apr 27, 2020 #Featured
168 Views

ଭୁବନେଶ୍ବର:  ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ମହମ୍ମଦ ରଫିକ ଆଜି  ଶପଥ ଗ୍ରହଣ କରିଛନ୍ତି। ଲୋକସେବା ଭବନରେ  ସକାଳ ୯ଟା ସମୟରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଓଡ଼ିଶା ହାଇକୋର୍ଟର ୩୧ତମ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ମହମ୍ମଦ ରଫିକ  ଦାୟିତ୍ବ ଗ୍ରହଣ କରିଛନ୍ତି। ଏହି ସ୍ବତନ୍ତ୍ର ଉତ୍ସବରେ ସାମାଜିକ ଦୂରତା ବଜାୟ ରଖାଯାଇଥିଲା। ଓଡ଼ିଶା ହାଇକୋର୍ଟର ସମସ୍ତ ବିଚାରପତି ଓ ରାଜ୍ୟର ଆଡଭୋକେଟ୍ ଜେନେରାଲ୍ ଶପଥ ଗ୍ରହଣ ଅବସରରେ ଉପସ୍ଥିତ ଥିଲେ। ସେହିଭଳି ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜି ମଧ୍ୟ ଉପସ୍ଥିତ ଥିଲେ।  ଗତକାଲି ଏକ ସ୍ବତନ୍ତ୍ର ବିମାନ ଯୋଗେ ମୁଖ୍ୟ ବିଚାରପତି ଜଷ୍ଟିସ ରଫିକ ଓଡ଼ିଶାରେ ଆସି ପହଞ୍ଚିଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟରତ ଜଷ୍ଟିସ ମହମ୍ମଦ ରଫିକଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ବଦଳି କରାଯିବା ନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ଏପ୍ରିଲ ୨୩ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏପ୍ରିଲ ୧୮ ତାରିଖରେ ସୁପ୍ରିମକୋର୍ଟ କଲେଜିୟମ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ବଦଳି ପାଇଁ ତାଙ୍କ ନାମ ସୁପାରିସ କରିଥିଲା। ଏହାପରେ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ ମିଳିବା ପରେ ଏ ସଂପର୍କିତ ବିଜ୍ଞପ୍ତି କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଥିଲା।

୧୯୬୦, ମେ’୨୫ରେ ସେ ରାଜସ୍ଥାନର ଚୁରୁ ଜିଲ୍ଲାର ସୁଜନଗଡରେ ଜନ୍ମଗ୍ରହଣ କରିଥିଲେ। ୨୦୦୬, ମେ’ ୧୫ରେ ସେ ରାଜସ୍ଥାନ ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ରାଜସ୍ଥାନ ହାଇକୋର୍ଟରେ ବିଚାରପତି ଭାବେ ନିଜ କାର୍ଯ୍ୟକାଳ ଭିତରେ ସେ ଦୁଇ ଥର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ୨୦୧୯, ଏପ୍ରିଲ ୭ରୁ ମେ’ ୪ ଓ ସେପ୍ଟେମ୍ବର ୨୩ରୁ ଅକ୍ଟୋବର ୫ ପର୍ଯ୍ୟନ୍ତ ସେ ରାଜସ୍ଥାନ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ଏହାପରେ ୨୦୧୯, ନଭେମ୍ବର ୧୩ରେ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ସେ ଶପଥ ଗ୍ରହଣ କରିଥିଲେ।

By amfnews

Related Post