Mon. Dec 23rd, 2024

ଲେଉଟିଗଲେ ଜୀବନ ସଂଘର୍ଷ ର ସଫଳ ନାୟକ ଡି ପ୍ରକାଶ ରାଓ

By amfnews Jan 14, 2021 #Featured
166 Views

ଭୁବନେଶ୍ୱର, ଜାନୁଆରୀ ୧୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଭେଟିଥିଲେ । ରାଷ୍ଟ୍ରପତି ଦେଇଥିଲେ ରାଷ୍ଟ୍ରର ସର୍ବୋଚ୍ଚ ସମ୍ମାନ ପଦ୍ମଶ୍ରୀ । ବକ୍ସି ବଜାର ସମାଜ ଅଫିସ ନିକଟରେ ଚା’ବିକି ପେଟ ପୋଷୁଥିବା ରାଓ ବାବୁ ଙ୍କୁ ଏମିତି ମିଳିଥିଲା ଦେଶବାସୀ ଙ୍କ ଶ୍ରଦ୍ଧା ଆଉ ମମତା । ପ୍ରକାଶ ଚା ବିକାଳୀ ଥିଲେ ସତ ହେଲେ ତାଙ୍କର ଥିଲା ବହୁତ ବଡ଼ ହୃଦୟ । କଟକ ମେଡ଼ିକାଲ ରେ କାହାର କିଛି ସହାୟତା ଦରକାର ପଡୁଥିଲେ ସେ ଖୋଜୁଥିଲେ ଏହି ସଦା ହସ ହସ ଚେହେରା ର ମଣିଷ ଟିକୁ । 

 ବସ୍ତିର ୮୨ ଗରିବ ପିଲାଙ୍କୁ ଖାଇବାକୁ ଦେବା ସହ ପଢ଼ାଉ ଥିଲେ । ଅନେକ ଥର ରକ୍ତଦାନ କରି ସେ ଚର୍ଚ୍ଚା କୁ ଆସିଥିଲେ । ୧୯୭୩ ମସିହାରେ ୮୫ ପ୍ରତିଶତ ମାର୍କ ରଖି ମାଟ୍ରିକ ପାଇଁ ସେଣ୍ଟଅପ ହେଲେ କିନ୍ତୁ ୪୨ ଟଙ୍କା ଫର୍ମ ଫିଲପ ପାଇଁ ଦେଇ ନ ପାରି ପାଠରେ ଡୋରି ବାନ୍ଧିଲେ । 

 କୈଶୋର ସମୟରେ ଦିନ ଦିନ ଧରି ଭୋକ ରେ ରହୁଥିବାରୁ ସେ ଶଯ୍ୟାଶାୟୀ ହୋଇ ମେଡ଼ିକାଲ ରେ ଭର୍ତ୍ତି ହୋଇଥିଲେ । ମେରୁହାଡ଼ ରେ ଟ୍ୟୁମର ସହିତ ଯକ୍ଷ୍ମା ବୋଲି ଡାକ୍ତର କହିଲେ । ସେତେବେଳେ ଜଣେ ଅଜ୍ଞାତ ତାଙ୍କୁ ରକ୍ତ ଦେଇଥିଲେ । ପରେ ପ୍ରକାଶ ଏଥିରେ ପ୍ରଭାବିତ ହୋଇ ପ୍ରତି ୩ ମାସରେ ଆରମ୍ଭ କଲେ ରକ୍ତ ଦାନ । ସମୁଦାୟ ସେ ୨୧୮ ଥର ରକ୍ତଦାନ କରିଛନ୍ତି ।

 ପ୍ରକାଶ ଏବେ ପରଲୋକ ରେ । ତାଙ୍କ ଆବର୍ତ୍ତମାନ ରେ ସେ ବୁଝୁଥିବା ସ୍କୁଲ ଦାୟିତ୍ୱ ତାଙ୍କ ଝିଅ ନିଜ କାନ୍ଧକୁ ନେବାର ଘୋଷଣା କରି ଜଣାଇଛନ୍ତି ପ୍ରକୃତ ଶ୍ରଦ୍ଧାଞ୍ଜଳି । ଜଣେ ଅତି ସାଧାରଣ ବ୍ୟକ୍ତି କିଭଳି ଅସାଧାରଣ ସମ୍ମାନ ଓ ଶ୍ରଦ୍ଧା ପାଇପାରେ ପ୍ରକାଶ ତାହା ପ୍ରମାଣିତ କରି ଲେଉଟିଯାଇଛନ୍ତି ।

By amfnews

Related Post