Mon. Nov 25th, 2024

ରୋଟାରୀ କ୍ଲବ ଅଫ୍ ରାଉରକେଲା ମିଡ୍ ଟାଉନ୍ ପକ୍ଷରୁ ୫ ଦିନିଆ ଆକ୍ୟୁପ୍ରେସର ଥେରାପି କ୍ୟାମ୍ପ୍ ୧୫ରୁ

By amfnews Jan 15, 2019 #Featured
224 Views

ରାଉରକେଲା, ୧୫ା୧: ରୋଟାରୀ କ୍ଲବ ଅଫ୍ ରାଉରକେଲା ମିଡ୍ଟାଉନ ପକ୍ଷରୁ ୫ ଦିନିଆ ଆକ୍ୟୁପ୍ରେସର ଥେରାପି କ୍ୟାମ୍ପ୍ ଆୟୋଜନ କରାଯାଇଛି । ସିଭିଲ ଟାଉନସିପ୍ ସ୍ଥିତ ଦୀଶା ନେଚରପ୍ୟାଥି ସେଣ୍ଟର ଠାରେ ୫ ଦିନିଆ କ୍ୟାମ୍ପ୍ର ଆୟୋଜନ କରାଯାଇଛି । ରାଜସ୍ଥାନ ଯୋଧପୁର ଅଞ୍ଚଳର ବିଶିଷ୍ଟ ଥେରାପିଷ୍ଟ ଆର୍.କେ. ଶର୍ମା ଏବଂ ତାଙ୍କ ଦଳ ଶିବିର ପରିଚାଳନା କରିବେ । ତେଣୁ ସୁନ୍ଦରଗଡ଼ ବାସୀ ଏହାର ସୁଯୋଗ ନେବାକୁ କ୍ଲବ୍ କର୍ମକର୍ତ୍ତାମାନେ ଅନୁରୋଧ କରିଛନ୍ତିି । ସ୍ଥାନୀୟ ବ୍ରାହ୍ମଣୀ କ୍ଲବ୍ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କ୍ଲବ୍ ସଭାପତି ସତୀଶ ଅଗ୍ରୱାଲ, ଚେୟାରମ୍ୟାନ ଆଲୋକ ବାଗେଡ଼ିଆ, ଦୀଶା ନେଚରପ୍ୟାଥିର ଆଦିତ୍ୟ ମହାପାତ୍ର, ଏଫ୍.ସି. ମହାନ୍ତି, ଜିତେନ୍ଦ୍ର ପ୍ରସାଦ, ଗୌତମ ଶର୍ମା ଓ ମୁକେଶ ଭାଜିକା ପ୍ରମୁଖ ୫ ଦିନିଆ ଆକ୍ୟୁପ୍ରେସର ଶିବିର ସମ୍ପର୍କରେ ସବିଶେଷ ସୂଚନା ଦେଇଛନ୍ତି ।

ସ୍ୱାସ୍ଥ୍ୟ ସଚେତନତା କ୍ଷେତ୍ରରେ ରୋଟାରୀ କ୍ଲବ ଏକ ବିଶେଷ ଭୂମିକା ନିର୍ବାହ କରିଆସୁଛି । ପଲସ୍ ପୋଲିଓ କାର୍ଯ୍ୟକ୍ରମ ରୋଟାରୀ କ୍ଲବ୍ର ଅବଦାନ ବୋଲି ଉପରୋକ୍ତ କ୍ଲବ୍ ସଦସ୍ୟମାନେ କହିଥିଲେ । ବିଶ୍ୱକୁ ପୋଲିସ ମୁକ୍ତ କରିବା ପାଇଁ କ୍ଲବ ଦୀର୍ଘ ୨୦ ବର୍ଷ ତଳୁ ଏଭଳି ଉଦ୍ୟମ ଆରମ୍ଭ କରିଥିବା ବେଳେ ଏହା ଅଦ୍ୟାବଧି ବଳବତ୍ତର ରହିଛି ବୋଲି କ୍ଲବ୍ ପକ୍ଷରୁ କୁହାଯାଇଛି । ପଲସ୍ ପୋଲିଓ କାର୍ଯ୍ୟକ୍ରମ ପାଇଁ କ୍ଲବ ଭାରତ ସରକାରଙ୍କୁ ୯୮୦୦ କୋଟି ଟଙ୍କା ପ୍ରଦାନ କରିଥିବା ସଭ୍ୟମାନେ ସୂଚନା ଦେଇଥିଲେ । ଦେଶରୁ ଏକ ପ୍ରକାର ପୋଲିଓ ଦୂର ହେବାକୁ ଯାଉଛି ବୋଲି ସେମାନେ ଉଲ୍ଲେଖ କରିଥିଲେ । ଏହି ପରିପ୍ରେକ୍ଷୀରେ କ୍ଲବ୍ ପକ୍ଷରୁ ପ୍ରଥମ ଥର ପାଇଁ ଆକ୍ୟୁପ୍ରେସର ଥେରାପି ଜରିଆରେ ଲୋକଙ୍କୁ ରୋଗମୁକ୍ତ କରିବାକୁ ଉଦ୍ୟମ ଆରମ୍ଭ କରାଯାଇଛି । ଏହି କ୍ରମରେ ଚଳିତ ମାସ ୧୫ରୁ ୧୯ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପି ଏହି ଶିବିର ଆୟୋଜିତ ହେବ ।

ସିଭିଲ ଟାଉନସିପ୍ ସ୍ଥିତ ଏଏ/୧୫ ଠାରେ ଥିବା ଦୀଶା ନେଚରପ୍ୟାଥି ସେଣ୍ଟରରେ ଏହି ଶିବିର ଆୟୋଜନ କରାଯିବ । ଏହା ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ଏବଂ ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚାଲୁ ଚାଲିବ । ରାଜସ୍ଥାନ ଯୋଧପୁର ଅଞ୍ଚଳର ବିଶିଷ୍ଟ ଆକ୍ୟୁପ୍ରେସର ଥେରାପିଷ୍ଟ ଶ୍ରୀ ଶର୍ମା ଓ ତାଙ୍କ ଦଳ ଲୋକମାନଙ୍କୁ ଚିକିତ୍ସା କରିବା ସହ ପ୍ରଶିକ୍ଷଣ ପ୍ରଦାନ କରିବେ । ଏହି ୫ ଦିନର ଚିକିତ୍ସା ପାଇଁ ମୁଣ୍ଡ ପିଛା ମାତ୍ର ୨୦୦ ଟଙ୍କା ଧାର୍ଯ୍ୟ କରାଯାଇଛ । ଶିବିରରେ ବ୍ଲଡ୍ ପ୍ରେସର, ଡାଇବେଟିସ୍, ଥାଇରଡ଼, ଗ୍ୟାସ୍ ସମସ୍ୟା, କୋଷ୍ଠ କାଠିନ୍ୟ, ପିଠି ବିନ୍ଧା, ମେରୁଦଣ୍ଡ ସମସ୍ୟା, ଆଣ୍ଠୁଗଣ୍ଠି ସମସ୍ୟା, ପାରାଲିସିସ୍, ଆଜ୍ମା ସମେତ ବିଭିନ୍ନ ରୋଗର ଚିକିତ୍ସା କରାଯିବ । ତେଣୁ ଜିଲାବାସୀ ଏହାର ସୁଯୋଗ ନେବାକୁ ରୋଟାରୀ କ୍ଲବ୍ ଅଫ୍ ରାଉରକେଲା ମିଡ୍ଟାଉନ୍ ପକ୍ଷରୁ ଅନୁରୋଧ କରାଯାଇଛି ।

By amfnews

Related Post