141 Views
ଭୁବନେଶ୍ୱର, ଡିସେମ୍ବର ୧୩ : ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଡାକ୍ତରଙ୍କ ଅବହେଳା ଯୋଗୁଁ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ମୃତଦେହକୁ ରାସ୍ତା ଉପରେ ରଖି ମେଁ ଫେୟାର ହୋଟେଲରୁ ଜୟଦେବ ବିହାର ଛକ ରାସ୍ତାକୁ ଅବରୋଧ କରିଛନ୍ତି । ଫଳରେ ସେଠାରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।
ଭୁବନେଶ୍ୱର ସାଲିଆସାହିର ଜଣେ ମହିଳା ଅହଲ୍ୟା ଭଞ୍ଜ ଶ୍ୱାସ ରୋଗରେ ଆକ୍ରାନ୍ତ ହୋଇ ଇଏସ୍ଆଇ ହସ୍ପିଟାଲରେ ଭର୍ତି ହୋଇଥିଲେ । ପ୍ରଥମେ ଜଣେ ଡାକ୍ତର ତାଙ୍କୁ ଦୁଇଟି ଇଞ୍ଜେକସନ୍ ଦେବାକୁ କହିଥିଲେ । ଏହା ପରେ କୌଣସି ଡାକ୍ତରଙ୍କ ଆଉ ଦେଖା ଦର୍ଶନ ମିଳି ନ ଥିଲା । ଏହା ପରେ ଡାକ୍ତରଙ୍କୁ ଡାକିବାରୁ କେବଳ ନର୍ସକୁ ପଠାଇ ଦେଉଥିଲେ । ଡାକ୍ତର ଆସିବାରେ ବିଳମ୍ବ କରିବାରୁ ଅହଲ୍ୟା ପ୍ରାଣ ହରାଇଥିଲେ । ଏହା ପରେ ପୁଣି ଥରେ ଡାକ୍ତର ସେ ଗୁରୁତର ଥିବା ଦର୍ଶାଇ ଅନ୍ୟ ମେଡ଼ିକାଲକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ ବୋଲି ତାଙ୍କ ପରିବାର ଲୋକ କହିଛନ୍ତି ।
ତୁରନ୍ତ ସଂପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ କ୍ଷତିପୂରଣ ଦାବି ଜୟଦେବ ବିହାର ରାସ୍ତା ଅବରୋଧ କରିଛନ୍ତି । ଫଳରେ ମେଁ ଫେୟାରରୁ ଜୟଦେବ ବିହାର ପର୍ଯ୍ୟନ୍ତ ଯାତାୟତ ବାଧାପ୍ରାପ୍ତ ହୋଇଛି । ପୋଲିସ ଘଟଣ ସ୍ଥଳରେ ପହଁଚି ଲୋକଙ୍କୁ ବୁଝାସୁଝା କରିବା ସହିତ ତଦନ୍ତ ଆରମ୍ଭ କରିଛନ୍ତି ।