Mon. Apr 21st, 2025

ରିମାଣ୍ଡ ପରେ ଜେଲ୍‌ ଫେରିଲେ ବାଘ ଛାଲ ବେପାରୀ

By amfnews Mar 24, 2019 #Featured
255 Views

ଭୁବନେଶ୍ବର : ସମ୍ବଲପୁର କୁଚିଣ୍ଡା ସ୍ରିଷ୍ଟି ଲଜ୍‌ରୁ ବାଘ ଛାଲ ଜବତ ମାମଲାରେ ଗିରଫ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ଶେଷ ହୋଇଛି। ତିନିଦିନିଆ ରିମାଣ୍ଡ ସରିବା ପରେ ସେମାନେ ପୁଣି ଜେଲ୍‌ ହାଜତ୍‌କୁ ଫେରିଛନ୍ତି। ତେବେ ତିନିଦିନ ଭିତରେ ହୋଇଥିବା ମାରାଥନ୍‌ ‌ଜେରାରେ ଏସ୍‌ଟିଏଫ୍‌ (ସ୍ପେସାଲ ଟାସ୍କ ଫୋର୍ସ) ଅନେକ ତଥ୍ୟ ସଂଗ୍ରହ କରିଛି। ତେବେ ଶିକାର ବାବଦରେ ଏହି ବେପାରୀମାନେ ଜାଣି ନଥିବା କହିଥିବା ବେଳେ କେଉଁ ଜଙ୍ଗଲରୁ ଏହା ଶିକାର କରାଯାଇଛି ତାହା ମଧ୍ୟ ସ୍ପଷ୍ଟ ହୋଇ ନାହିଁ। କିନ୍ତୁ ଏଥିରେ ସଂଶ୍ଳିଷ୍ଟ ଅନ୍ୟ କେତେକ ଅଭିଯୁକ୍ତଙ୍କୁ ଏସ୍‌ଟିଏଫ୍ ଠାବ କରିଥିବା ଏକ ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ତା ଛଡ଼ା ଅଧିକ ତଥ୍ୟ ପାଇଁ ଏମାନଙ୍କୁ ଆଉ ଥରେ ଆଣିବା ପାଇଁ ରିମାଣ୍ଡ ଆବେଦନ କରାଯାଇ ପାରେ ବୋଲି କୁହାଯାଉଛି। ଅନ୍ୟପଟେ ବନବିଭାଗ ବାଘ ଶିକାରକୁ ନେଇ ତଥ୍ୟ ପ୍ରମାଣ ଯୋଗାଡ଼ କରିବାରେ ଲାଗିଛି। ଏ ନେଇ ଗୁଇନ୍ଦା ସୂଚନା ସଂଗ୍ରହ କରିବା ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ତନାଘନା କରୁଛି। ଆଉ ବାଘ ମରିଛନ୍ତି କି ନାହିଁ ସେ ନେଇ ଜଙ୍ଗଲରେ ଅନୁସନ୍ଧାନ ସହ ଏହି ମରିଥିବା ବାଘ ସମ୍ବନ୍ଧରେ ପାଖ ଗ୍ରାମରୁ ଖବର ସଂଗ୍ରହ କରିଛି। ଏଥିସହ ସମ୍ପୃକ୍ତ ଡିଏଫ୍‌ଓ ଓ ସମ୍ବଲପୁର ଆରସିସିଏଫ୍‌ଙ୍କଠାରୁ ରିପୋର୍ଟ ସଂଗ୍ରହ କରିଛି।

ଅନ୍ୟ ପଟେ ଜବତ ବାଘ ଛାଲରେ ଗୁଳି ଦାଗ ରହିଛି। ଗୁଳିରେ ବାଘକୁ ଶିକାର କରାଯାଇଥିବା ସ୍ପଷ୍ଟ ହୋଇଛି। ବାଘଛାଲରେ ଏହି ପ୍ରମାଣ ମିଳିବା ପରେ ବନବିଭାଗ ହରଡ଼ ଘଣାରେ ପଡ଼ିଛି। ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଶୁଭେନ୍ଦୁ ମଲ୍ଲିକ ଛାଲରେ ଥିବା ଗୁଳିଦାଗକୁ ମାପିଛନ୍ତି। ଏହାର ତର୍ଜମା କରାଗଲେ ଶିକାରରେ କେଉଁ ବନ୍ଧୁକ ବ୍ୟବହାର ହୋଇଛି ଓ ଗୁଳିର ଆକାର ମଧ୍ୟ ସ୍ପଷ୍ଟ ହୋଇଯିବ ବୋଲି ଶୁଭେନ୍ଦୁ କହିଛନ୍ତି। ଜବତ ୪ଟି ଯାକ ଚମଡ଼ାରେ ଗୁଳିଦାଗ ରହିଥିବାରୁ ଏହାର ତଦନ୍ତ ଦାବି କରିଛନ୍ତି।

By amfnews

Related Post