Sat. Mar 7th, 2026

ରାଜଧାନୀରେ ମାତିଛନ୍ତି କାର୍ ଲୁଟେରା, ଚାଳକକୁ ଫୁଲନଖରାରେ ଫୋପାଡ଼ି କାର୍ ନେଇଗଲେ

167 Views

ଖଣ୍ଡଗିରି : ରାଜଧାନୀରେ ମାତିଛନ୍ତି କାର୍ ଲୁଟେରା। ରବିବାର ରାତି ପ୍ରାୟ ୧୧ଟା ସମୟରେ ସ୍ଥାନୀୟ ଜୟଦେବ ବାଟିକା ଛକରୁ ଦୁର୍ବୃତ୍ତମାନେ ଜଣେ କାର୍ ଚାଳକଙ୍କୁ ଅପହରଣ କରିବା ପରେ ତାଙ୍କୁ ରାସ୍ତାରେ ଫିଙ୍ଗି କାର୍ ନେଇ ଚମ୍ପଟ୍‌ ମାରିଛନ୍ତି। ଅଭିଯୋଗ ପରେ ଖଣ୍ଡଗିରି ଥାନା ପୁଲିସ ମାମଲାର ଛାନ୍‌ଭିନ୍ କରୁଛି। ଅନୁଗୁଳ ପାଲଲହଡ଼ା ଅଞ୍ଚଳର ଦିଲ୍ଲୀପ ଦେହୁରୀ ନାମକ ଜଣେ ଯୁବକ ଖଣ୍ଡଗିରି ଅଞ୍ଚଳର ଜଣେ ମାଲିକଙ୍କ ଇନୋଭା ଗାଡ଼ି ଚଳାଉଛନ୍ତି। ଗତକାଲି ରାତି ପ୍ରାୟ ୧୧ଟାବେଳେ ସେ ଗାଡ଼ି ନେଇ ମାଲିକଙ୍କ ଘରକୁ ଫେରୁଥିଲେ। ଜୟଦେବ ବାଟିକା ଛକ ପାର୍ ହେବା ପରେ ପରେ ୨ ଜଣ ଯୁବକ ତାଙ୍କ ଗାଡ଼ି ସମ୍ମୁଖକୁ ଆସି ଅଟକାଇବା ପରେ ଜଣେ ଯୁବକ ହଠାତ୍ ଏକ ମାଉଜର୍‌ କାଢ଼ି ତାଙ୍କ ମୁଣ୍ଡରେ ଲଗାଇଥିଲା ଓ ଡ୍ରାଇଭର ସିଟ୍‌ରୁ ଉଠି ପଛ ସିଟ୍‌କୁ ଯିବାକୁ ନିର୍ଦେଶ ଦେଇଥିଲା। ଏତିକିବେଳେ ଅନ୍ୟ ଜଣେ ଦୁର୍ବୃତ୍ତ ଦିଲ୍ଲୀପଙ୍କ ପକେଟ୍‌ରୁ ମୋବାଇଲ୍‌ ଫୋନ୍‌କୁ ବାହାର କରି ନେଇଥିଲା। ମୋବାଇଲ୍ ଛଡ଼ାଇଥିବା ଦୁର୍ବୃତ୍ତ କାର୍ ଚଳାଇଥିଲା। ଆମ୍ରି ହସ୍ପିଟାଲ ଛକରୁ କାର୍ ବୁଲାଇ ସେମାନେ ପୁଣି ଜୟଦେବ ବାଟିକା ଚାରିଛକ ଦେଇ ୧୬ ନମ୍ବର ଜାତୀୟ ରାଜପଥକୁ ଉଠିଥିଲେ। ସେମାନେ ଫୁଲନଖରା ଛକ ପାର୍ ହେବା ପରେ ଏକ ନିଛାଟିଆ ସ୍ଥାନରେ କାର୍ ରଖିଥିଲେ ଓ ଦିଲ୍ଲୀପଙ୍କୁ କାର୍ ଭିତରୁ ବାହାରକୁ ଠେଲି ଦେଇ ପୁଣି ଦ୍ରୁତବେଗରେ କଟକ ଦିଗରେ ଚାଲି ଯାଇଥିଲେ। ସେଠାରୁ ଦିଲ୍ଲୀପ ଅନ୍ୟ ଏକ ଗାଡ଼ି‌ରେ ଭୁବନେଶ୍ବର ଫେରିବା ପରେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ଥାନା ସୂତ୍ରରୁ ମିଳିଥିବା ସୂଚନାନୁସାରେ ଉଭୟ ଗାଡ଼ି ମାଲିକ ଓ ଚାଳକ ଦିଲ୍ଲୀପଙ୍କୁ ପୁଲିସ ପଚରାଉଚରା କରୁଛି। ଉଲ୍ଲେଖଯାଗ୍ୟ ଯେ ଦୁଇ ଦିନ ପୂର୍ବେ ଚନ୍ଦ୍ରଶେଖରପୁର ଅଞ୍ଚଳରୁ ଦୁର୍ବୃତ୍ତମାନେ ଏକ କାର୍ ସହ ମାଲିକଙ୍କୁ ଅପହରଣ କରି ନେଉଥିବାବେଳେ ନୂଆପଲ୍ଲୀ ଛକରେ କାର୍ ଦ୍ବୟ ଏକ ଟ୍ରକ୍‌ ସହ ପିଟି ହୋଇଯାଇଥିଲା। ଫଳରେ ଦୁର୍ବୃତ୍ତମାନେ କାର୍ ଦୁଇଟିକୁ ଛାଡ଼ି ଫେରାର୍ ହୋଇ ଯାଇଥିଲେ। ଏହି ମାମଲାରେ ପୁଲିସ ଏ ପର୍ଯ୍ୟନ୍ତ କାର୍ ଲୁ‌ଟେରାମାନଙ୍କ ପତ୍ତା ପାଇନାହିଁ।

By amfnews

Related Post