Tue. Dec 24th, 2024

ରାଉରକେଲା ସ୍ମାର୍ଟସିଟି ପ୍ରକଳ୍ପ ନିର୍ମାଣରେ ବିଳମ୍ବ : ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଲେ ବିଧାୟକ

By amfnews Sep 13, 2018 #Featured
198 Views

ରାଉରକେଲା, ୧୩ା୯  :  ସ୍ମାର୍ଟସିଟି ରାଉରକେଲା ଠାରେ ନିର୍ମିତ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ବିଳମ୍ବ ଘେନି ବିଧାୟକ ଦିଲିପ ରାୟ କ୍ଷୋଭ ପ୍ରକାଶ କରିବା ସହିତ ରାଜ୍ୟ ସରକାର ଏ ବ୍ୟାପାରରେ ହସ୍ତକ୍ଷେପ କରି ବର୍ଷକ ମଧ୍ୟରେ ଯେପରି ପ୍ରକଳ୍ପଗୁଡ଼ିକର ନିର୍ମାଣ କାର୍ଯ୍ୟ ଶେଷ ହୁଏ ସେ ଦିଗରେ ଦୃଷ୍ଟି ଦେବାକୁ କହିଛନ୍ତି । ପ୍ରାୟ ୭ କୋଟି ଟଙ୍କା ବ୍ୟୟ ଅଟକଳରେ ରାଉରକେଲା ସିଭିଲ୍ ଟାଉନ୍ସିପ୍, ଉଦିତ୍ନଗର ଓ ପୌର ନିଗମ ନିକଟରେ ନିର୍ମିତ ହେବାକୁ ଥିବା ୬ଟି ସିଟିଜେନ୍ ଫ୍ରେଣ୍ଡଲୀ ପାର୍କ କାମକୁ ତ୍ୱରାନ୍ୱିତ କରିବା ଲାଗି ସେ କହିଛନ୍ତି ।

ଏହାଛଡ଼ା ୮୮ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ହେବାକୁ ଥିବା ବିର୍ଶାମୁଣ୍ଡା ଷ୍ଟାଡିୟମ୍, ୪୫ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟରେ ବହୁତଳ ବିଶିଷ୍ଟ କାର୍ ପାର୍କିଂ, ୨୭ କୋଟି ଟଙ୍କା ବ୍ୟୟରେ ସ୍ମାର୍ଟ ରୋଡ୍ ଓ ୧୭୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କ୍ରିମେଟୋରିୟମ୍ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହିତ ସ୍ମାର୍ଟସିଟି ରାଉରକେଲାରେ ଅତ୍ୟାଧୁନିକ ଅଡିଟୋରିୟମ୍, କନ୍ଭେନ୍ସନ୍ ସେଣ୍ଟର, ବ୍ରାହ୍ମଣୀ ନଦୀ କୂଳର ବିକାଶ, ସ୍ମାର୍ଟ ବସ୍ ଟର୍ମିନାଲ୍, ଭୂତଳ ବିଦ୍ୟୁତ୍ ଯୋଗାଣ, ପାନ୍ପୋଷ ମାର୍କେଟ୍ର ବିକାଶ, ଛାତ ଉପରେ ସୌର ବିଦ୍ୟୁତ୍ ଉତ୍ପାଦନ ଆଦି ପ୍ରକଳ୍ପ ପାଇଁ ଯେଉଁସବୁ ପରିକଳ୍ପନା ରହିଛି ସେଗୁଡ଼ିକର ନିର୍ମାଣ କାର୍ଯ୍ୟ ଆରମ୍ଭ ହେଉନଥିବାରୁ ବିଧାୟକ ଶ୍ରୀ ରାୟ ଏ ବ୍ୟାପାରରେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ।

ବିଧାନସଭାରେ ଏ ପ୍ରସଙ୍ଗରେ ସେ ଯେଉଁ ପ୍ରଶ୍ନ ଉଠାଇଥିଲେ ବିଭାଗୀୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ତାହାର ଉତ୍ତରରେ କହିଛନ୍ତି ଯେ ସ୍ମାର୍ଟସିଟି ରାଉରକେଲାରେ ୬ କୋଟି ୫୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୬ଟି ପାର୍କ ହେବାକୁ ଯାଉଛି ଏହାଛଡ଼ା ବିର୍ଶାମୁଣ୍ଡା ଷ୍ଟାଡିୟମ୍, ବହୁତଳ କାର୍ ପାର୍କିଂ ଓ ସ୍ମାର୍ଟ ରାସ୍ତା ନିର୍ମାଣ ଲାଗି ଟେଣ୍ଡର ଡକା ସରିଛି । ଆସନ୍ତା ଅକ୍ଟୋବର-ନଭେମ୍ବର ସୁଦ୍ଧା ଏହି ତିନୋଟି ପ୍ରକଳ୍ପର କାମ ଆରମ୍ଭ କରି ୨୦୧୯ ଅକ୍ଟୋବରରୁ ୨୦୨୦ ନଭେମ୍ବର ମଧ୍ୟରେ ଏଗୁଡ଼ିକର ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ରହିଛି ।

କ୍ରିମେଟୋରିୟମ୍ ନିର୍ମାଣ କାର୍ଯ୍ୟ ୨୦୧୭ ଡିସେମ୍ବରରୁ ଆରମ୍ଭ ହୋଇଥିଲେ ମଧ୍ୟ କେତେକ ବୈଷୟିକ କାରଣରୁ ଏହି କାର୍ଯ୍ୟ ଅଟକିଛି । ଅତ୍ୟାଧୁନିକ ଅଡ଼ିଟୋରିୟମ୍, କନ୍ଭେନ୍ସନ୍ ସେଣ୍ଟର, ସ୍ମାର୍ଟ ବସ୍ ଟର୍ମିନାଲ୍, ପାନ୍ପୋଷ ମାର୍କେଟ୍ର ଆଧୁନିକୀକରଣ, ବ୍ରାହ୍ମଣୀ ନଦୀକୂଳର ବିକାଶ ଆଦି କାର୍ଯ୍ୟ ୨୦୧୯ରେ ଆରମ୍ଭ କରାଯାଇ ସୀମିତ ସମୟ ମଧ୍ୟରେ ଶେଷ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ପ୍ରକଳ୍ପ ୱାରୀ ତଥ୍ୟ ଦେଇଛନ୍ତି ।

By amfnews

Related Post