Tue. Jan 7th, 2025

ରମ୍ଭା କଲେଜ ‌ଡେମନଷ୍ଟ୍ରେଟର ହତ୍ୟା ମାମଲା : ମୁଖ୍ୟ ଅଭିଯୁକ୍ତ ଦନା ସହ ଛାତ୍ର ଗିରଫ

By amfnews Jul 5, 2019 #Featured
121 Views

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ରମ୍ଭା ଜଗନ୍ନାଥ ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗ ପ୍ରୟୋଗଶାଳା ସହାୟକ(ଡେମନଷ୍ଟ୍ରେଟର) ଅଶ୍ବିନୀ ମିଶ୍ର(୫୧) ହତ୍ୟା ଘଟଣା ଉପରୁ ପରଦା ଉଠାଇଛି ରମ୍ଭା ଥାନା ପୁଲିସ। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ମଧୁରଚୁଆ ଗ୍ରାମର ଜନାର୍ଦ୍ଦନ ନାୟକ ଓରଫ ଦନା ଏବଂ ବୁରୁଡି ଗ୍ରାମର ଯୁକ୍ତ ୩ ପ୍ରଥମ ବର୍ଷର ବିଜ୍ଞାନ ଛାତ୍ର ପ୍ରଦୀପ ନାହାକଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ମୁଖ୍ୟ ଅଭିଯୁକ୍ତ ଦନା ତା’ର ଦ୍ବିତୀୟ ପତ୍ନୀ ସହ ଅନୈତିକ ସଂପର୍କ ସନ୍ଦେହରୁ ଅଶ୍ବିନୀଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ‌ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲା।

ଆଉ ଯୁକ୍ତ ତିନିର ଛାତ୍ର ପ୍ରଦୀପ ସହ ଅଶ୍ବିନୀଙ୍କ ଘନିଷ୍ଠତା ଥିବାରୁ ଅଶ୍ବିନୀଙ୍କୁ ହତ୍ୟା କରିବାକୁ ପ୍ରଦୀପର ସହଯୋଗ ନେଇଥିଲା। ଅଶ୍ବିନୀଙ୍କୁ ହତ୍ୟା କରିବା ଲାଗି ଯୁକ୍ତ ତିନି ଛାତ୍ର ପ୍ରଦୀପକୁ ଲକ୍ଷେ ଟଙ୍କାର ଲୋଭ ଦେଖାଇ ରାଜି କରିଥିଲା ଦନା। ଘଟଣାର କିଛି ସମୟ ପରେ ପୁଲିସ ମୁଖ୍ୟ ଅଭିଯୁକ୍ତ ଦନାକୁ କାବୁ କରି ୩ ଦିନ ଧରି ମାରାଥନ୍‌ ଜେରା କରିଥିଲା। ଜେରାରୁ ପୁଲିସ ହତ୍ୟାକାଣ୍ଡ ସମ୍ପର୍କରେ ସବିଶେଷ ତଥ୍ୟ ପାଇ ଯାଇଥିଲା। ପ୍ରଦୀପ ତା’ ଗ୍ରାମ ହାଇସ୍କୁଲ ପଡ଼ିଆରେ କ୍ରିକେଟ ଖେଳୁଥିବା ବେଳେ ପୁଲିସ ତାକୁ ଗିରଫ କରିଥିଲା। ହତ୍ୟାକାଣ୍ଡରେ ବ୍ୟବହୃତ ୨ ବାଇକ ଓ ଅଶ୍ବିନୀଙ୍କ ଦୁଇଟି ମୋବାଇଲ ଫୋନ୍‌ ପୁଲିସ ଅଭିଯୁକ୍ତଙ୍କଠାରୁ ଜବତ କରିଛି। ଅନ୍ୟ ଦୁଇ ଜଣ ଫେରାର ଥିବା ସାମ୍ବାଦିକ ସମ୍ମିଳନୀରେ ଛତ୍ରପୁର ଏସ୍‌ଡିପିଓ ଉତ୍କଳ କେଶରୀ ଦାସ ସୂଚନା ଦେଇଛନ୍ତି।

By amfnews

Related Post