Tue. Mar 10th, 2026

ଯୋଗାଣ ବିଭାଗ ପକ୍ଷରୁ ପିଆଜ ବିକ୍ରି ଆରମ୍ଭ, ବିନା ଲାଭରେ ୧୭ଟି ଜିଲ୍ଲାରେ ମୈତ୍ରୀ ଷ୍ଟୋରରେ ବିକ୍ରି ଚାଲିଛି

220 Views

ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ ପିଆଜ ଦର ବଢ଼ୁଛି। ଖାଉଟିମାନଙ୍କୁ କିଛିଟା ଆଶ୍ବସ୍ତ କରିବା ପାଇଁ ରାଜ୍ୟ ସରକାର ବିନା ଲାଭରେ ପିଆଜ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗତକାଲିଠାରୁ ୧୭ଟି ଜିଲ୍ଲାରେ ମୈତ୍ରୀ ଓ ସୁଲଭ ଦୋକାନ ମାଧ୍ୟମରେ ପିଆଜ ବିକ୍ରି ସରକାର ଆରମ୍ଭ କରିଛନ୍ତି। ସବୁ ଜିଲ୍ଲାରେ ସୁଲଭ ଦୋକାନ ଖୋଲି ଖାଉଟିଙ୍କୁ ପିଆଜ ଯୋଗାଇଦେବାକୁ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଚିଠି ଲେଖିଛନ୍ତି। ବିଭିନ୍ନ ଜିଲ୍ଲାରେ ଖୋଲାଯାଇଥିବା ସୁଲଭ ଦୋକାନରେ ପିଆଜ କେତେ ଦରରେ ବିକ୍ରି ହେବ, ସେ ନେଇ ଦର ନିର୍ଦ୍ଧାରଣ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଥିଲେ, ପିଆଜ ଦର ବୃଦ୍ଧିକୁ ଆଖିରେ ରଖି ରାଜ୍ୟ ସରକାର ପିଆଜର କିଣା ଦର ଯେତିକି ସେତିକିରେ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯେଉଁମାନେ ପିଆଜ ହୋର୍ଡ଼ିଂ କରୁଛନ୍ତି, ସେମାନଙ୍କ ଉପରେ ଚଢ଼ାଉ କରାଯାଉଛି। ଅନୁଗୁଳରେ ୫୫ ଟଙ୍କା, ସମ୍ବଲପୁରରେ ୫୨, ବଲାଙ୍ଗୀରରେ ୫୫, ଝାରସୁଗୁଡ଼ାରେ ୫୮, ଖୋର୍ଦ୍ଧାରେ ୫୦, ବାରିପଦାରେ ୫୦, ଢେଙ୍କାନାଳରେ ୪୮, ଭଦ୍ରକରେ ୪୮, ନୂଆପଡ଼ାରେ ୫୦, ଜୟପୁରରେ ୫୨, ବ୍ରହ୍ମପୁରରେ ୪୨, ଭବାନୀପାଟଣାରେ ୫୫, ବାଲେଶ୍ବରରେ ୫୨, କେନ୍ଦ୍ରାପଡ଼ାରେ ୫୫, କେନ୍ଦୁଝରରେ ୫୨ ଏବଂ ରାୟଗଡ଼ାରେ କିଲୋ ପ୍ରତି ୪୩ ଟଙ୍କାରେ ବିକ୍ରି କରାଯାଉଛି। ସ୍ଥିତି ସ୍ବାଭାବିକ ହେବା ପର୍ଯ୍ୟନ୍ତ ସ୍ଥାନୀୟ ଅଞ୍ଚଳରୁ ପିଆଜ କିଣି ବିନା ଲାଭ ଓ କ୍ଷତିରେ ମେତ୍ରୀ ଓ ସୁଲଭ ଦୋକାନ ମାଧ୍ୟମରେ ଖାଉଟିମାନଙ୍କୁ ପିଆଜ ଯୋଗାଇଦିଆଯିବ ବୋଲି ମନ୍ତ୍ରୀ କହିଥିଲେ।

By amfnews

Related Post