Sat. Nov 23rd, 2024

ଯୁକ୍ତ୨ ପରୀକ୍ଷା ପ୍ରସ୍ତୁତି : ପରୀକ୍ଷା ଦେବେ ୩.୭୦ ଲକ୍ଷ ଛାତ୍ରଛାତ୍ରୀ

By amfnews Jan 1, 2019 #Featured
175 Views

ଭୁବନେଶ୍ବର, ୧ ଜାନୁଆରୀ  : ମାର୍ଚ୍ଚ ୬ରୁ ଯୁକ୍ତ୨ ପରୀକ୍ଷା। ଏହାପୂର୍ବରୁ ଜାନୁଆରି ୨୮ରୁ ଆରମ୍ଭ ହେବ ପ୍ରାକ୍ଟିକାଲ ପରୀକ୍ଷା। ହାତରେ କମ୍‌ ସମୟ ଥିବାରୁ ପରୀକ୍ଷା ପାଇଁ ପ୍ରସ୍ତୁତି ପ୍ରକ୍ରିୟାକୁ ତ୍ବରାନ୍ବିତ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ପ୍ରଥମ ଥର ପାଇଁ ସିସିଟିଭି କ୍ୟାମେରା ନଜରରେ ଏଥର ପରୀକ୍ଷା ହେବ। ଏହାକୁ ଦୃଷ୍ଟିରେ ରଖି ଭିତ୍ତିଭୂମି ସୁଦୃଢ଼ କରିବାକୁ ପରିଷଦ ପକ୍ଷରୁ ସମସ୍ତ କଲେଜ ତଥା ପରୀକ୍ଷା କେନ୍ଦ୍ରଗୁଡ଼ିକୁ ନିର୍ଦେଶ ଦିଆଯାଇଛି। ପରୀକ୍ଷା କେନ୍ଦ୍ର ହେବାକୁ ଥିବା ସମସ୍ତ କଲେଜରେ ଡିସେମ୍ବର ୩୧ ସୁଦ୍ଧା ସିସିଟିଭି ଲଗାଇବାକୁ କୁହାଯାଇଥିବା ବେଳେ ପରୀକ୍ଷାର୍ଥୀଙ୍କ ବସିବା ପାଇଁ ଅତିକମ୍‌ରେ ୫ଟି ହଲ୍‌ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି।

ପ୍ରତିବର୍ଷ ପ୍ରାୟ ୧୧୦୦ କେନ୍ଦ୍ରରେ ପରୀକ୍ଷା ହେଉଛି। ଯେଉଁ ସବୁ କଲେଜରେ କେନ୍ଦ୍ର ହେଉଛି ସେଠାରେ ସିସିଟିଭି ଲଗାଇବାକୁ କୁହାଯାଇଥିଲା। ଇତିମଧ୍ୟରେ ପ୍ରାୟ ୬୦ ପ୍ରତିଶତ କଲେଜ ସିସିଟିଭି ଲଗାଇବା ସହ ଏସମ୍ପର୍କରେ ତଥ୍ୟ ପରିଷଦ ନିକଟରେ ଦାଖଲ କରିଥିବା ସୂଚନା ମିଳିଛି। ଆହୁରି ୪୦ ପ୍ରତିଶତ କଲେଜ ଏଦିଗରେ କୌଣସି ପଦକ୍ଷେପ ନେଇନାହାନ୍ତି। ତେଣୁ ସେମାନଙ୍କ ନିକଟକୁ ପୁଣିଥରେ ଏକ ଚିଠି କାରାଯିବ ବୋଲି ପରିଷଦର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଅଧିକାରୀଙ୍କ ସୂଚନା ଅନୁଯାୟୀ ଅକ୍ଟୋବରରୁ ଏପର୍ଯ୍ୟନ୍ତ କଲେଜଗୁଡ଼ିକୁ ୩ ଥର ଚିଠି ଲେଖାଯାଇଛି।

ଏହାପରେ ବି କେତେକ କଲେଜ ନିଜ ଆଡ଼ୁ ଆଗ୍ରହ ଦେଖାଇ ନାହାନ୍ତି। ତେଣୁ ସେମାନଙ୍କୁ ଖୁବ୍‌ଶୀଘ୍ର କଡ଼ା ଭାଷାରେ ଚିଠି ଲେଖାଯିବ। ଏପରିକି ଯଦି କୌଣସି କଲେଜ ସିସିଟିଭି ନ ଲଗାନ୍ତି ତେବେ ସେଠାରେ ପରୀକ୍ଷା କେନ୍ଦ୍ର ହେବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି। ସମସ୍ତ ଉପ ପରୀକ୍ଷା କେନ୍ଦ୍ରରେ ଇତି ମଧ୍ୟରେ ସିସିଟିଭି ଲାଗିସାରିଛି। ଜାନୁଆରି ୨୮ରୁ ପ୍ରାକ୍ଟିକାଲ ପରୀକ୍ଷା ହେବାକୁ ଥିବାରୁ ସେଲ୍‌ଫ ଫାଇନାନ୍ସ କଲେଜଗୁଡ଼ିକ ଆସନ୍ତା ୨୫ ତାରିଖ ସୁଦ୍ଧା ସିସିଟିଭି ଲଗାଇବା ତଥା କାର୍ଯ୍ୟକ୍ଷମ କରିବାକୁ କୁହାଯାଇଛି। ପରୀକ୍ଷାର ଦୁଇ ଦିନ ପୂର୍ବରୁ କେନ୍ଦ୍ରଗୁଡ଼ିକରେ ମାର୍କ ଫୁଏଲ୍‌ ସମତେ ପରୀକ୍ଷା ସମ୍ପର୍କିତ ସାମଗ୍ରୀ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ପରୀକ୍ଷା ହେଉଥିବା କେନ୍ଦ୍ରଗୁଡ଼ିକର ଭିତ୍ତିଭୂମି ଠିକ୍‌ ଅଛି କି ନାହିଁ, ହଲ୍‌ଗୁଡ଼ିକରେ କେତେ ପିଲା ବସିପାରିବେ ସେନେଇ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିବାକୁ କୁହାଯାଇଛି। ଏନେଇ ଡିସେମ୍ବର ଦ୍ବିତୀୟ ସପ୍ତାହରେ ୧୯୩ ବେସରକାରୀ ଅନୁଦାନପ୍ରାପ୍ତ ଜୁନିଅର କଲେଜ ସମେତ ୧୮୬ ମହିଳା କଲେଜ, ୫୧ଟି ସରକାରୀ ଜୁନିଅର କଲେଜ, ୪୮୦ ଅଣଅନୁଦାନପ୍ରାପ୍ତ କଲେଜ ଓ ୪୦ ବ୍ଲକଗ୍ରାଣ୍ଟ କଲେଜକୁ ଚିଠି ପଠାଯାଇଥିଲା। ଇତି ମଧ୍ୟରେ କେତେକ କଲେଜ ତଥ୍ୟ ଦେଇଥିବା ବେଳେ ଆଉ କିଛି କଲେଜ ଦେଇନାହାନ୍ତି।

ଚଳିତବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗରେ ପ୍ରାୟ ୩ ଲକ୍ଷ ୭୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଛନ୍ତି। କଳା ବିଭାଗରେ ସବୁଠାରୁ ଅଧିକ ପିଲା ରହିଛନ୍ତି। ତେଣୁ ଗତଥର ପରି ଏଥର ମଧ୍ୟ ପ୍ରାୟ ୧୧୦୦ ପରୀକ୍ଷା କେନ୍ଦ୍ର କରାଯିବ।

By amfnews

Related Post