Tue. Apr 29th, 2025

ମାଡ଼ିଗଲା ଡମ୍ପର: ମାଆ ମୃତ, ଅଳ୍ପକେ ବର୍ତିଲା ଝିଅ

By amfnews Jan 3, 2019 #Featured
208 Views

ବାହାନଗା/ଅ˚ଜି/ଗୋପାଳପୁର, ଜାନୁୟାରୀ ୦୩ : ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଥାନା ଅଧୀନ ଜାଗେଶ୍ବରପଦା-ଆରୁହାବାଡ଼ ଆର‌୍‌ଡି ରାସ୍ତାର ଆପିତିରା ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ମହିଳା ପ୍ରାଣ ହରାଇଥିବା ବେଳେ ତାଙ୍କ ଝିଅ ଅଳ୍ପକେ ବର୍ତିଯାଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ; ଆରୁହବାଡ଼ ଗ୍ରାମର ଡମ୍ବରୁଧର ବେହେରାଙ୍କ ପତ୍ନୀ ଜ୍ୟୋତ୍ସ୍ନାରାଣୀ (୩୬) ଓ ତାଙ୍କର ବଡ଼ଝିଅ ରିମା ଏକ ସ୍କୁଟି (ଓଡି-୦୧-ଏଲ୍‌-୪୦୩୩)ରେ ଗୋପାଳପୁର ବଜାରକୁ ଯାଉଥିଲେ। ଆପିତିରା ନିକଟରେ ଗାଡ଼ି ଚଳାଉଥିବା ରିମା ଭାରାସାମ୍ୟ ହରାଇବାରୁ ଦୁହେଁ ତଳେ ପଡ଼ିଥିଲେ। ଏତିକିବେଳେ ସମ୍ମୁଖରୁ ଆସୁଥିବା ଏକ ଡମ୍ପର ଜ୍ୟୋତ୍ସ୍ନାରାଣୀଙ୍କ ଉପରେ ଚଢ଼ିଯାଇଥିଲା। ଫଳରେ ତାଙ୍କର ଘଟଣାସ୍ଥଳରେ ପ୍ରାଣ ଚାଲିଯାଇଥିବା ବେଳେ ରିମା ଅଳ୍ପକେ ବର୍ତିଯାଇଥିଲେ।

ଖବର ପାଇ ଗୋପାଳପୁର ଫାଣ୍ତି ଏଏସ୍‌ଆଇ ପ୍ରକାଶ କୁମାର ଗୋସ୍ବାମୀ ଘଟଣାସ୍ଥଳରେ ପହ˚ଚିଥିଲେ। ହେଲେ ପରିବାର ଲୋକ ମୃତଦେହ ଜବତ କରିବାକୁ ଦେଇ ନଥିଲେ। କ୍ଷତିପୂୂରଣ ଦାବିରେ  ଶବ ରଖି ସେମାନେ ରାସ୍ତା ଉପରେ ବସି ରହିଥିଲେ। ଅପରାହ୍ନ ୪ଟା ବେଳେ ବାହାନଗା ତହସିଲର ବରିଷ୍ଠ କିରାଣି ମନୋର˚ଜନ ବେହେରା ପହଞ୍ଚି ଗୋପାଳପୁର ଫାଣ୍ତି ଅଧିକାରୀ ବନମାଳି ପରଡ଼ା, ଏସ୍‌ଆଇ ପ୍ରକାଶ କୁମାର ଗୋସ୍ବାମୀଙ୍କ ଉପସ୍ଥିତିରେ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିବା ପରେ ମୃତଦେହ ଉଠାଯିବା ସହ ରାସ୍ତାରୋକ ହଟିଥିଲା। ଅନ୍ୟପଟେ ଦୁର୍ଘଟଣା ଘଟାଇ ଡ୍ରାଇଭର ଗାଡ଼ିକୁ ରାସ୍ତା କଡ଼ରେ ରଖି ଗୋପାଳପୁର ଫାଣ୍ତିରେ ଆତ୍ମସମର୍ପଣ କରିଛନ୍ତି। ସେହିପରି ମୃତ ମହିଳାଙ୍କ ଭାଇଙ୍କ ଅଭିଯୋଗ କ୍ରମେ ଖନ୍ତାପଡ଼ା ଥାନାରେ ଏକ ମାମଲା ରୁଜୁ ହୋଇଛି।

ମୃତ ମହିଳାଙ୍କ ସ୍ବାମୀ ଡମ୍ବରୁଧର ଦୁଇବର୍ଷ ତଳେ ନାଗାଲ୍ୟାଣ୍ତର ଏକ ହୋଟେଲ୍‌ରେ କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିଲା। ବଡ଼ଝିଅ ରିମା ଓ ସାନଝିଅ ବାପା ମାଆ ଛେଉଣ୍ତ ହୋଇଯାଇଥିବା ବେଳେ ସେମାନଙ୍କୁ ସରକାରୀ ସହାୟତା ପ୍ରଦାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

By amfnews

Related Post