କଟକ, ଜାନୁଆରୀ ୭ : ମାହାଙ୍ଗରେ ବରିଷ୍ଠ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟାକୁ ନେଇ ବିଜେପିର ପ୍ରତିବାଦ ଜୋର ଧରୁଥିବା ବେଳେ ଏବେ ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ଆଉ ଜଣଙ୍କୁ ଗିରଫ କରିଛି ମାହାଙ୍ଗା ପୋଲିସ୍ ।
ବର୍ତମାନ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଥିବା ବେଳେ ସ୍ୱର୍ଗତ କୁଳମଣି ବରାଳଙ୍କ ପୁଅ ୧୩ ଜଣଙ୍କ ନାମରେ ମାମଲା ଦାଏର କରିଥିଲେ ଓ ଯେଉଁ ପର୍ଯ୍ୟନ୍ତ ସେହି ୧୩ ଜଣଙ୍କୁ ଗିରଫ କରା ନଯାଇଛି ସେ ପର୍ଯ୍ୟନ୍ତ ବିଜେପିର ପ୍ରତିବାଦ ଜାରି ରହିବ ବୋଲି ରାଜ୍ୟ ବିଜେପି ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ ଦିଆଯାଇଛି ।
ଗତ ମଙ୍ଗଳବାର ଦିନ ଏହି ମାମଲାରେ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଗତ କାଲି (ବୁଧବାର) କଟକ ନୂଆପାଟଣାରୁ ଚୈତନ୍ୟ ସେଠୀ ନାମକ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି ।
ଅନ୍ୟପଟେ ରାଜ୍ୟରେ ରାଜନୈତିକ ରକ୍ତପାତ ଗତ କିଛି ବର୍ଷ ଧରି ବୃଦ୍ଧି ପାଇଥିବା ବେଳେ ମାହାଙ୍ଗା ଡବଲ ମର୍ଡରକୁ ନେଇ ଗତ କାଲି ଠାରୁ ଓଡିଶା ଗସ୍ତରେ ଆସିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ । ଏବଂ ଏହି ମାମଲାରେ ସିଧାସଳଖ ଆଇନ୍ ମନ୍ତ୍ରୀଙ୍କ ହାତ ଥିବା ଅଭିଯୋଗ ହେଉଥିବା ବେଳେ ବର୍ତମାନ ଏହି ମାମଲାକୁ ନେଇ ରାଜ୍ୟରେ ରାଜନୀତି ଜୋର ଧରିଛି ।