Thu. Dec 26th, 2024

ମାଓ କ୍ୟାମ୍ପରେ ମିଳିତ ଚଢଉ, ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ସମେତ ଅନ୍ୟାନ୍ୟ ଜିନିଷ ଜବତ

rklsanchar@gmail.com' By J.N. Pradhan Jul 14, 2018 #Featured
339 Views

ରାଉରକେଲା, ୧୪/୭  : ରାଉରକେଲା ପୁଲିସ୍, ଡିଭିଏଫ୍, ଏସ୍ଓଜି ଓ ସିଆର୍ପିଏଫ୍ ପକ୍ଷରୁ ଗତ ୧୨ ତାରିଖ ଦିନ ମିଳିତ ଭାବେ ମାଓ କ୍ୟାମ୍ପ ଉପରେ ଚଢଉ କରାଯାଇଛି । ଚଢଉ ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ । ଏହି ମିଳିତ ଚଢଉ ବେଳେ ସେମାନଙ୍କ ଆଡ୍ଡାରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ସମେତ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରାଯାଇଛି । ସୁନ୍ଦରଗଡ, ଦେବଗଡ ଓ ସମ୍ବଲପୁର (ଏସ୍ଡିଏସ୍) ଡିଭିଜନର ମାଓଗୋଷ୍ଠୀଙ୍କ ଏହି କ୍ୟାମ୍ପ ଥିବା ପଶ୍ଚିମାଞ୍ଚଳ ଡିଆଜି କବିତା ଜଲାନ ଗତକାଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଗତକାଲି ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡିଆଜି ଶ୍ରୀମତୀ ଜଲାନ କହିଲେ ଯେ, ଚାନ୍ଦିପୋଷ ଥାନା ଅନ୍ତର୍ଗତ ଚମ୍ପାଝରନ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ୨୦ରୁ ୨୫ ମାଓବାଦୀ କ୍ୟାମ୍ପ କରିଥିବା ପୁଲିସ୍କୁ ସୂଚନା ମିଳିଥିଲା । ସେମାନଙ୍କୁ ଧରିବା ପାଇଁ ଅଭିଯାନ ଆରମ୍ଭ କରାଯାଇଥିଲା । ଏଥିରେ ରାଉରକେଲା ପୁଲିସ୍, ଏସ୍ଓଜି, ଡିଭିଏଫ୍ ଓ ସିଆର୍ପିଏଫ୍ ଯବାନମାନେ ସାମିଲ୍ ହୋଇ ସମ୍ପୃକ୍ତ ଅଞ୍ଚଳକୁ ପ୍ରଥମେ ଘେରିଯାଇ  ଖାନତଲାସ କରିଥିଲେ ।

କିନ୍ତୁ ମାଓବାଦୀମାନେ କୌଶଳକ୍ରମେ ସେଠାରୁ ଖସିଯାଇଥିଲେ । ମାତ୍ର ସେମାନଙ୍କ ଆଡ୍ଡାରୁ ୪ଟି କେନ୍ ବମ୍, ୨୧ ବଣ୍ଡଲ କୋଡେକ୍ସ ତାର, ୨ ବଣ୍ଡଲର ଖୋଲା ବିଦ୍ୟୁତ୍ ତାର, ୨୦ ଲିଟରର ପାଣି ଡ୍ରମ୍, ହ୍ୱିସିଲ କୋଡ ଗୋଟିଏ, ହଳେ ମାଓ ପୋଷାକ, ବ୍ୟାଗ, ତାରପୁଲିନ ଓ ମାଓ ପୁସ୍ତିକା କ୍ୟାମ୍ପରୁ ମିଳିଥିଲା । ମାଓବାଦୀମାନେ କୌଣସି ବଡଧରଣର ଅଘଟଣ ଘଟାଇବା ଯୋଜନାରେ ଥିଲେ ବୋଲି ଡିଆଇଜି ଶ୍ରୀମତୀ ଜଲାନ କହିଛନ୍ତି । ମାତ୍ର ପୁଲିସ୍ ସେମାନଙ୍କ ଯୋଜନାକୁ ପଣ୍ଡ କରିଦେଇଥିବା ଶ୍ରୀମତୀ ଜଲାନ ସୂଚନା ଦେଇଛନ୍ତି । ଏମାନେ ଝାଡଖଣ୍ଡ, ଛତିଶଗଡ କ୍ୟାଡର ହୋଇଥିବା ଅନୁମାନ କରାଯାଉଥିବା ବେଳେ ଏଥିରେ ମାଓନେତା ଅନମୋଲର ହାତ ଥିବା କୁହାଯାଉଛି ।

ମାଓବାଦୀମାନଙ୍କୁ ପ୍ରତିରୋଧ କରିବା ପାଇଁ ରାଉରକେଲା ପୁଲିସ୍ ସବୁବେଳେ ପ୍ରସ୍ତୁତ ଥିବା ରାଉରକେଲା ଏସ୍ପି ଡ.ଉମାଶଙ୍କର ଦାଶ କହିଛନ୍ତି । ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକ ସମ୍ମିଳନୀରେ ଡିଆଇଜି କବିତା ଜଲାନଙ୍କ ସମେତ ରାଉରକେଲା ଏସପି ଡ. ଉମାଶଙ୍କର ଦାଶ, ଅତିରିକ୍ତ ଏସପି ପି.କେ. ମହାପାତ୍ର, ସିଆରପିଏଫ ମୁଖ୍ୟ ଅଧିକାରୀ ଏସ୍.ପି. ଉପାଧ୍ୟାୟ ଓ ରିଜର୍ଭ ଫରେଷ୍ଟ ଅଫିସର କର୍ଣ୍ଣଲ ସିଂଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

Related Post