Sat. Mar 7th, 2026

ଭୂତଳ ରେଳପଥ କାମ ପାଇଁ କୋଲ୍‌କାତାରେ ନଷ୍ଟ ହେଲା ବହୁ କୋଠାବାଡ଼ି

278 Views

କୋଲ୍‌କାତା  : ଇଷ୍ଟ୍‍ େଓ୍ଵଷ୍ଟ୍‍ ମେଟ୍ରୋ ପ୍ରକଳ୍ପ ନିମନ୍ତେ ଭୂତଳ ରେଳପଥ ପାଇଁ ଚାଲିଥିବା ସୁଡ଼ଙ୍ଗ କାର୍ଯ୍ୟ ଯୋଗୁଁ କେନ୍ଦ୍ରୀୟ କୋଲ୍‌କାତାର ଅନ୍ୟତମ ପୁରାତନ ଅଞ୍ଚଳ ବାଓବଜାରରେ ମଙ୍ଗଳବାର ରାତିରୁ ବହୁକୋଠାବାଡ଼ି ଫାଟି ଯିବାରୁ ଜଣେ ମନ୍ତ୍ରୀଙ୍କ ସମେତ ଶହ ଶହ ଲୋକ ସ୍ଥାନାନ୍ତରିତ ହୋଇଛନ୍ତି।

ପ୍ରତିଷେଧ ପଦକ୍ଷେପ ସ୍ୱରୂପ ଯେଉଁମାନଙ୍କୁ ଘର ଖାଲି କରିବାକୁ କୁହାଯାଇଥିଲା, ସେମାନଙ୍କ ମଧ୍ୟରେ ଅଛନ୍ତି ସଂସଦୀୟ ରାଷ୍ଟ୍ରମନ୍ତ୍ରୀ ତାପସ ରାୟ। କୋଲ୍‌କାତା ମେଟ୍ରୋ ରେଲ୍‌ କର୍ପୋରେସନ୍‌ ଲିମିଟେଡ୍‌ର ଟିମ୍‌ ପର୍ଯ୍ୟବେକ୍ଷଣ କରିବା ପରେ ଘର ଖାଲି କରିବା ନୋଟିସ୍‌ ଦେଇଥିଲେ। ଗତ ସପ୍ତାହରେ ପ୍ରାୟ ୪୦୦ ଲୋକଙ୍କୁ ହୋଟେଲ୍‌ରେ ରଖାଯାଇଥିଲା।

ବୁଧବାର ଦିନ ଦୁର୍ଗା ପିତୁରି ଲେନ୍‌ ଏବଂ ଶକ୍ରପଡ଼ା ଲେନ୍‌ରେ ଘରଦ୍ୱାର ନଷ୍ଟ ହୋଇଥିବା ବେଳେ ଭୂତଳ ଓ ଭୂପୃଷ୍ଠରେ ଇଞ୍ଜିନିୟର୍‌ମାନେ କରିଥିବା ଅନୁସନ୍ଧାନରୁ ଜଣାପଡ଼ିଛି ଯେ ହିଦରାମ୍‌ ବାନାର୍ଜୀ ଲେନ୍‌, ଗୌର ଦେ ଲେନ୍‌ ଏବଂ ତତ୍‌ସଂଲଗ୍ନ ବି ବି ଗାଙ୍ଗୁଲି ଷ୍ଟ୍ରିଟ୍‌ ମଧ୍ୟ ପ୍ରଭାବିତ ହୋଇପାରେ।
ଅଗଷ୍ଟ ୩୧ ତାରିଖ ଦିନ କେଏମ୍‌ଆର୍‌ସିଏଲ୍‌ର ବୋରିଙ୍ଗ୍‌ ମେସିନ୍‌ ଦୈବାତ୍‌ ଜଳସ୍ତର ଉପରେ ଥିବା ଗୋଟାଏ ଶିଳାଖଣ୍ଡକୁ ଆଘାତ ଦେବାରୁ ସୁଡ଼ଙ୍ଗ ମଧ୍ୟକୁ ପାଣି ପଶି ଆସି ମାଟି ଫାଟି ଯିବାରୁ ଭୂପୃଷ୍ଠକୁ ପାଣି ଉଠିଆସିଥିଲା। ବାଓବଜାର ଅଞ୍ଚଳର ବହୁ ଲୋକେ  ଶରଣାର୍ଥୀମାନଙ୍କ ଭଳି ଚଳୁଛନ୍ତି।

ସରକାର ଏବଂ କେଏମ୍‌ଆର୍‌ସିଏଲ୍‌ ବାସିନ୍ଦାମାନଙ୍କୁ ଥଇଥାନ କରିବା ଏବଂ କ୍ଷତିପୂରଣ ଦେବା ଉପରେ ଗୁରୁତ୍ୱ ଦେବେ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ ବି ନିର୍ମାଣ ଦାୟିତ୍ୱରେ ଥିବା କମ୍ପାନି ବଡ଼ ଭୁଲ୍‌ କରିଛି ବୋଲି ଗୁରୁବାର ଦିନ ସହରାଞ୍ଚଳ ବିକାଶ ମନ୍ତ୍ରୀ ଏବଂ କୋଲ୍‌କାତା ମେୟର୍‌ ଫିର୍‌ହାଦ ହକିମ୍‌ କହିଛନ୍ତି।

By amfnews

Related Post