Sun. Mar 8th, 2026

ଭାଜପାର ପୂର୍ବତନ ବିଧାୟକଙ୍କ ହତ୍ୟା ପଛରେ ଭାଜପା ନେତା , ଗିରଫ ହେଲେ ଦୁଇ ଅଭିଯୁକ୍ତ

246 Views

ଅହମ୍ମଦାବାଦ:ଗୁଜୁରାଟର ପୂର୍ବତନ ବିଧାୟକ ଜୟନ୍ତୀଲାଲ ଭାନୁଶାଲୀଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୁଲିସ। ଜୟନ୍ତୀଲାଲଙ୍କ ହତ୍ୟାର ଷଡଯନ୍ତ୍ର ରଚିଥିଲେ ଭାରତୀୟ ଜନତା ପାର୍ଟିର ନେତା ଛବିଲ ପଟେଲ୍‌। ପଟେଲ୍‌ ହିଁ ସୁପାରି ଦେଇ ଜୟନ୍ତୀଙ୍କର ହତ୍ୟା କରାଇଥିଲେ। ପୁଲିସ ଏହି ମାମଲାରେ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏ ଦୁହେଁ ହେଲେ ଛବିଲ ପଟେଲ ଓ ମନୀଷା ଗୋସ୍ୱାମୀ।

ଭାଜପା ନେତା ଜୟନ୍ତୀ ଭାନୁଶାଲୀଙ୍କ ହତ୍ୟାର ଦୁଇ ସପ୍ତାହ ପରେ ଏହା ଉପରୁ ପରଦା ହଟିଛି। ସିଆଇଡିର ଡିଆଇଜି ଅଜୟ ତୋମରଙ୍କ ଅନୁଯାୟୀ ମନୀଷା ଗୋସ୍ୱମୀ ପୁନେର ସୁପାରି କିଲର୍‌ ଶଶୀକାନ୍ତ କାମ୍ବଲେ ଓ ଶେଖ୍‌ ଅନଓ୍ଵାରକୁ ହତ୍ୟାର ସୁପାରି ଦେଇଥିଲେ। ତା’ପରେ ଏ ଦୁହେଁ ଜୟନ୍ତୀଲାଲ ଭାନୁଶାଲୀଙ୍କ ସହିତ ଟ୍ରେନ୍‌ରେ ପ୍ରଥମ ଶ୍ରେଣୀରେ ଯାତ୍ରା କରିଥିଲେ। ସେ ଦୁହେଁ ଟ୍ରେନରେ ତିନି ରାଉଣ୍ଡ ଗୁଳି ଚଳାଇଥିଲେ ଜୟନ୍ତୀଙ୍କ ଉପରକୁ। ଗୁଳି ମାରିବା ପରେ ଦୁଇ ସୁପାରି କିଲର୍‌ ଟ୍ରେନର ଚେନ ପୁଲିଙ୍ଗ କରି ରାସ୍ତାରେ ଓହ୍ଲାଇ କେଉଁଆଡେ ଉଭାନ୍‌ ହୋଇ ଯାଇଥିଲେ। ମନୀଷା ଗୋସ୍ୱାମୀ ହେଉଛି ସେହି ଯୁବତୀ ଯିଏ କି ଜୟନ୍ତୀଲାଲ ଭାନୁଶାଲୀଙ୍କ ବିରୁଦ୍ଧରେ ଦୁଷ୍କର୍ମ ମାମଲା ରୁଜ୍ଜୁ କରିଥିଲା। ପରେ ମନୀଷା ଜୟନ୍ତୀଲାଲଙ୍କଠାରୁ ଟଙ୍କା ନେଇ ଗୁଜୁରାଟ ଉଚ୍ଚ ନ୍ୟାୟାଳୟରୁ ମକଦ୍ଦମା ପ୍ରତ୍ୟାହାର କରିଥିଲେ।

ଅପରପକ୍ଷରେ ଛବିଲ ପଟେଲ୍‌ ଗତ ନିର୍ବାଚନ ପୂର୍ବରୁ କଂଗ୍ରେସରେ ଥିଲେ ଓ ସେ ପରେ ଭାଜପାରେ ଯୋଗ ଦେଇଥିଲେ। ଏହାଫଳରେ ଜୟନ୍ତୀଙ୍କୁ କଚ୍ଛରୁ ଟିକେଟ୍‌ ମିଳିନଥିଲା। କିନ୍ତୁ ବିଧାନସଭା ନିର୍ବାଚନରେ ଜୟନ୍ତୀଲାଲ ଛବିଲଙ୍କୁ ପରାଜିତ କରି ନିର୍ବାଚିତ ହୋଇଥିଲେ। ସେବେଠାରୁ ସେ ଜୟନ୍ତୀଲାଲଙ୍କୁ ହତ୍ୟା କରିବାର ଷଡଯନ୍ତ୍ର ରଚିଥିଲେ।

By amfnews

Related Post