Thu. Apr 3rd, 2025

ବ୍ୟାଡମିଣ୍ଟନ୍‌ ପାଇଁ ଅଭୁଲା ଦିନ:ସ୍ୱର୍ଣ୍ଣ ପାଇଁ ଲଢ଼ିବେ ସିନ୍ଧୁ

By amfnews Aug 28, 2018 #Featured
210 Views

ଜକାର୍ତା/ପାଲେମବାଙ୍ଗ: ଭାରତୀୟ ବ୍ୟାଡମିଣ୍ଟନ୍‌ ପାଇଁ ସୋମବାର ଥିଲା ଐତିହାସିକ ଦିନ। ଦେଶର ଦୁଇ ସଫଳତମ ମହିଳା ବ୍ୟାଡମିଣ୍ଟନ୍‌ ତାରକା ସାଇନା ନେହଓ୍ଵାଲ ଏବଂ ପିଭି ସିନ୍ଧୁ ଅଷ୍ଟାଦଶ ଏସୀୟ କ୍ରୀଡ଼ାରେ ଇତିହାସ ରଚିଥିଲେ। ସିନ୍ଧୁ ପ୍ରଥମ ଭାରତୀୟ ଭାବେ ଏକକ ବର୍ଗର ଫାଇନାଲରେ ପ୍ରବେଶ କରିଥିଲେ। ସାଇନା ସେମିଫାଇନାଲରେ ହାରିଥିଲେ ମଧ୍ୟ ଦୀର୍ଘ ୩୬ ବର୍ଷର ବ୍ୟବଧାନ ପରେ ପ୍ରଥମ ଭାରତୀୟ ପଦକ ବିଜୟିନୀ ହୋଇଥିଲେ।
ସୋମବାର ବିଶ୍ୱ ମାନ୍ୟତାର ତୃତୀୟ ସ୍ଥାନରେ ଥିବା ସିନ୍ଧୁ ଜାପାନର ଆକନେ ୟାମାଗୁଚିଙ୍କୁ ୨୧-୧୭, ୧୫-୨୧, ୨୧-୧୦ରେ ହରାଇ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଥିଲେ। ୬୫ ମିିନିଟ୍‌ ଧରି ଚାଲିଥିବା ଏହି ମୁକାବିଲାରେ ସିନ୍ଧୁ ପ୍ରଥମ ସେଟ୍‌କୁ ଜିତିବା ପରେ ୟାମାଗୁଚି ଦ୍ୱିତୀୟକୁ ହାତେଇ ନେଇ ସ୍ଥିତି ସମାନ ସ୍ତରକୁ ନେଇ ଆସିଥିଲେ।

ତେବେ ନିର୍ଣ୍ଣାୟକ ତୃତୀୟ ସେଟ୍‌କୁ ୧୧ ପଏଣ୍ଟ ବ୍ୟବଧାନରେ ଜିତି ସିନ୍ଧୁ ତାଙ୍କ ହାତରୁ ଫାଇନାଲ୍‌ ଟିକେଟ ଛଡ଼ାଇ ନେଇଥିଲେ। ୟାମାଗୁଚିଙ୍କ ବିପକ୍ଷରେ ମଧ୍ୟ ସେ ଦ୍ୱିତୀୟ ବିଜୟ ହାସଲ କରିଥିଲେ। ଫାଇନାଲରେ ସିନ୍ଧୁ ବିଶ୍ୱ ମାନ୍ୟତାର ପ୍ରଥମ ସ୍ଥାନରେ ଥିବା ଚାଇନିଜ୍‌ ତାଇପେର ତାଇ ଜୁ ଇଙ୍ଗଙ୍କୁ ଭେଟିବେ। ଫାଇନାଲରେ ହାରିଲେ ମଧ୍ୟ ଏସିଆଡ଼୍‌ରେ ବ୍ୟକ୍ତିିଗତ ରୌପ୍ୟ ଜିତିବାରେ ସେ ପ୍ରଥମ ଭାରତୀୟ ହେବେ।

ମହିଳା ଏକକ ବ୍ୟାଡମିଣ୍ଟନ୍‌ର ସେମିଫାଇନାଲରେ ପ୍ରବେଶ କରିଥିବା ଅନ୍ୟତମ ଭାରତୀୟ ସାଇନା ନେହଓ୍ଵାଲ ବିଶ୍ୱ ମାନ୍ୟତାର ପ୍ରଥମ ସ୍ଥାନରେ ଥିବା ତାଇ ଜୁ ଇଙ୍ଗଙ୍କଠାରୁ ୧୭-୨୧, ୧୪-୨୧ ସିଧାସଳଖ ସେଟ୍‌ରେ ହାରି ଯାଇଥିଲେ। ତେବେ ଏସିଆଡ଼୍‍ ବ୍ୟାଡମିଣ୍ଟନ୍‌ରେ ସେମିଫାଇନାଲର ଦୁଇ ପରାଜିତ ଖେଳାଳିଙ୍କୁ କାଂସ୍ୟ ମିଳୁଥିବାରୁ ସାଇନା ମଧ୍ୟ ପଦକ ଜିତିବାର ଗୌରବ ଅର୍ଜନ କରିଥିଲେ।

ଏହା କରି ସେ ବ୍ୟକ୍ତିଗତ ଏବଂ ଭାରତୀୟ ବ୍ୟାଡମିଣ୍ଟନ ଇତିହାସରେ ସଫଳତାର ନୂଆ ଅଧ୍ୟାୟ ଯୋଡ଼ିଥିଲେ। ୧୯୮୨ ଏସିଆଡ଼୍‍ରେ ସୟଦ ମୋଦି କାଂସ୍ୟ ପଦକ ଜିତିବା ପରେ ଭାରତ ପାଇଁ ଏକକ ବ୍ୟାଡମିଣ୍ଟନ୍‌ରୁ ପଦକ ଜିତିବାରେ ସାଇନା ପ୍ରଥମ ଭାରତୀୟ ହୋଇଥିଲେ। ସେ ମଧ୍ୟ ମହିଳା ଏକକ ବ୍ୟାଡମିଣ୍ଟନ୍‌ରେ ପଦକ ଜିତିବାରେ ପ୍ରଥମ ଭାରତୀୟ ହେବାର ଗୌରବ ଅର୍ଜନ କରିଥିଲେ। ତାଇ ଜୁଙ୍କଠାରୁ ପୂର୍ବରୁ ୯ ଥର ପରାଜିତ ହୋଇଥିବା ସାଇନା ଆଜି ବି ଆତ୍ମ ସମର୍ପଣ କରିଥିଲେ। ମାତ୍ର ୩୨ ମିନିଟରେ ମ୍ୟାଚ୍‌ ହାରି ତାଇ ଜୁଙ୍କଠାରୁ ଦଶମ ଥର ପାଇଁ ପରାଜିତ ହୋଇଥିଲେ।

By amfnews

Related Post