119 Views
ନୂଆଦିଲ୍ଲୀ, ଅଗଷ୍ଟ ୧୦ : କରୋନା ମାଡ଼ରେ ଲଗାତର ବଢୁଛି ସୁନା ଦର । ଭାରତରେ କ୍ରମାଗତ ଭାବେ ବୃଦ୍ଧି ପାଉଛି ସୁନାଦର । ଚଳିତ ବର୍ଷ ଜାନୁୟାରୀ ଠାରୁ ନିବେଶକଙ୍କୁ ବିପୁଳ ପରିମାଣର ରିଟର୍ଣ୍ଣ ଅର୍ଥ ଦେଇଛି ସୁନା । କିଛି ବିଶେଷଜ୍ଞ ମତ ଅନୁସାରେ ଦୀପାବଳି ବେଳକୁ ସୁନା ଦର ୧୦ ଗ୍ରାମ ପ୍ରତି ୭୦ ହଜାର ଟଙ୍କାରେ ପହଞ୍ଚିପାରେ । ଏପରି ପରିସ୍ଥିତିରେ ଏହି କ୍ଷେତ୍ରରେ ଅଧିକ ନିବେଶ କରିବାକୁ ବିଶେଷଜ୍ଞ ମାନେ ମତ ଦେଇଛନ୍ତି ।
ନିବେଶକ ସଂସ୍ଥା ଜେପି ମୋର୍ଗାନଙ୍କ ଏକ ରିପୋର୍ଟ ଅନୁଯାୟୀ, ଆସନ୍ତା ଦୁଇ ମାସ ମଧ୍ୟରେ ୧୦ ଗ୍ରାମ ପ୍ରତି ସୁନା ୭୦ ହଜାର ଟଙ୍କା ସ୍ତରରେ ପହଞ୍ଚିପାରେ । ବିଶ୍ୱରେ କୋଭିଡ -୧୯ ସଙ୍କଟ ସମାପ୍ତ ହୋଇଗଲେ ମଧ୍ୟ ବିଶ୍ୱ ଅର୍ଥନୀତି ଏତେ ଶୀଘ୍ର ସ୍ଥିର ହେବ ନାହିଁ । ଏପରି ପରିସ୍ଥିତିରେ ଯେତେବେଳେ ଅର୍ଥନୈତିକ ସଙ୍କଟ ରହିବ, ସୁନାର ଚାହିଦା ସ୍ଥିର ରହିବା ସହ ଦର ବୃଦ୍ଧି ପାଇବ । କେବଳ ସୁନା ନୁହେଁ ରୁପା ଦର ମଧ୍ୟ ବୃଦ୍ଧି ପାଇବ ।
ଆନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଯଥାକ୍ରମେ ୨,୦୬୨ ଡଲାର ଏବଂ ୨୮.୩୬ ଡଲାରରେ କାରବାର କରୁଛନ୍ତି । ଆଜି ରାଜଧାନୀ ଦିଲ୍ଲୀରେ ସୁନା ଦର ୫୭ ହଜାର ୪୧୫ ରହିଛି ।