Tue. Mar 11th, 2025

ବିଚ୍ଛିନ୍ନାଞ୍ଚଳରେ ରାସ୍ତା ପାଇଁ ତତ୍‌ପରତା : ଘୋଡ଼ାରେ ବୁଲି ସର୍ଭେ କଲେ ଯନ୍ତ୍ରୀ

By amfnews Nov 25, 2019 #Featured
103 Views

ମାଲକାନଗିରି : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ଅଞ୍ଚଳରେ ରାସ୍ତା ନିର୍ମାଣ ପାଇଁ ତତ୍‌ପରତା ଦେଖାଇଛନ୍ତି ଜଣେ ଯନ୍ତ୍ରୀ। ପାହାଡ଼ିଆ ରାସ୍ତା ଦେଇ ଯାତାୟାତ କରିବା ପାଇଁ ଅନ୍ୟ କିଛି ବ୍ୟବସ୍ଥା ନ ଥିବାରୁ ଘୋଡ଼ାରେ ବସି ସର୍ଭେ କରିଛନ୍ତି। ଏହି ଯୁବ ଯନ୍ତ୍ରୀ ହେଲେ ପ୍ରଶାନ୍ତ ବେହେରା।

ଗତ ୨୦୧୮ ଜୁଲାଇ ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ଗୁରୁପ୍ରିୟା ସେତୁକୁ ଉଦ୍‌ଘାଟନ କରି ବିଚ୍ଛିନ୍ନାଞ୍ଚଳକୁ ସ୍ବାଭିମାନ ଅଂଚଳ ବୋଲି ଘୋଷଣା କରିଛନ୍ତି। ବିଚ୍ଛିନ୍ନା଼ଞ୍ଚଳର ବିକାଶ ପାଇଁ ୧୦୦ କୋଟି ଟଙ୍କାର ପ୍ୟାକେଜ ବି ଘୋଷଣା କରିଛନ୍ତି । ବିଚ୍ଛିନ୍ନାଞ୍ଚଳର ବିକାଶ ପାଇଁ ପ୍ରଶାସନ ବି ଅଣ୍ଟା ଭିଡ଼ିଥିବା ବେଳେ ସୁରକ୍ଷା ଏଠାରେ ମୁଖ୍ୟ ବାଧକ ପାଲଟିଛି । ଗୁରୁପ୍ରିୟା ସେତୁ ଏବଂ ଏହାର କିଛି ଦୂର ପର୍ଯ୍ୟନ୍ତ ବିଏସ୍‌ଏଫ୍ ଯବାନ ସୁରକ୍ଷା ଦାୟିତ୍ବରେ ରହିଛନ୍ତି । ବିଚ୍ଛିନ୍ନାଞ୍ଚଳର ଯେତେ ଭିତରକୁ ଗଲେ ସେତେ ଦୁର୍ଗମ ଏବଂ ସେତେ ବିପଦ । ଏହି ଅଂଚଳରେ ରାସ୍ତାଘାଟ ନିର୍ମାଣ କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ କାମ ଆରମ୍ଭ କରିଥିବା ବେଳେ ଦାୟିତ୍ବରେ ରହିଛନ୍ତି କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ । ଦୁର୍ଗମ ତଥା ଅପହଞ୍ଚ ଇଲାକା ହୋଇଥିବା ଯୋଗୁଁ ରାସ୍ତା କାମର ତଦାରଖ ଏବଂ ଏହାକୁ ତ୍ବରାନ୍ବିତ କରିବା ପାଇଁ ସେ ଘୋଡ଼ା ଜରିଆରେ ଗସ୍ତ କରୁଥିବା ସୂଚନା ମିଳିଛି ।

କନିଷ୍ଠଯନ୍ତ୍ରୀ ଭାବେ ପ୍ରଶାନ୍ତ କେବଳ ରାସ୍ତାଘାଟ କାମକୁ ତଦାରଖ କରୁନାହାନ୍ତି ବରଂ ଦୁର୍ଗମ ଅଂଚଳକୁ ଯିବା ବେଳେ ଘୋଡା ପିଠିରେ କମ୍ବଳ, ପୋଷାକ ଓ ଖାଦ୍ୟ ଧରି ଉକ୍ତ ଅଂଚଳର ଗରିବ ଲୋକଙ୍କୁ ପ୍ରଦାନ ବି କରୁଛନ୍ତି । ପ୍ରଶାନ୍ତଙ୍କ ଏଭଳି କାର୍ଯ୍ୟକୁ ବିଚ୍ଛିନ୍ନାଞ୍ଚଳବାସୀ ବି ବେଶ୍‌ ଖୁସି ରହିବା ସହ ଅଂଚଳବାସୀଙ୍କ ପାଇଁ ପ୍ରିୟପାତ୍ର ହୋଇପାରିଛନ୍ତି । ପ୍ରଶାନ୍ତଙ୍କ କାର୍ଯ୍ୟକୁ ଜିଲ୍ଲାରେ ପ୍ରଶଂସା କରାଯାଉଥିବା ବେଳେ ତାଙ୍କ ଘୋଡ଼ଯାତ୍ରା ଏବେ ଚର୍ଚ୍ଚାରେ ରହିଛି । ଯୁବ ଇଞ୍ଜିନିୟର୍‌ ପ୍ରଶାନ୍ତ କୁହନ୍ତି, ଏହା ତାଙ୍କ ଦୈନନ୍ଦିନ କାର୍ଯ୍ୟ । ପ୍ରଶାସନ ଯେଉଁ ଦାୟିତ୍ବ ଦେଇଛି, ତାହାକୁ ନିଷ୍ଠାର ସହ କରୁଥିବା ସେ କହିଛନ୍ତି ।

By amfnews

Related Post