Sun. Jun 8th, 2025

ବାପା ଫାଶରେ ପୁଅ, ସାଙ୍ଗ ମୃତ : ୪ ଅଭିଯୁକ୍ତ ଗିରଫ

By amfnews Nov 17, 2018 #Featured
192 Views

ପାଇକସାହି, ନଭେମ୍ବର ୧୭ : ଠାକୁରଗଡ଼ ଥାନା ହତାଶିମିଳି ଗ୍ରାମର ଦୁଇ ନାବାଳକ ସିପୁନ ନାୟକ (୧୪) ଓ ଅମୂଲ୍ୟ ନାୟକ (୧୭)ଙ୍କ ମୃତ୍ୟୁ ଘଟଣା ଉନ୍ମୋଚିତ ହୋଇଛି। ଅନ୍ୟ କେହି ନୁହେଁ, ଖୋଦ୍ ବାପା ବାର‌୍‌ହା ଶିକାର ପାଇଁ ବସାଇଥିବା ବିଦ୍ୟୁତ ଫାଶରେ ପଡ଼ି ପୁଅ ଓ ତା’ ସାଙ୍ଗର ମୃତ୍ୟୁ ଘଟିଛି। ତେବେ ଅଭିଯୁକ୍ତ ବାପା ପୁଲିସ ପଞ୍ଝାରୁ ନିଜକୁ ମୁକୁଳାଇବା ଉଦ୍ଦେଶ୍ୟରେ ମାଟିତଳେ ଉଭୟଙ୍କ ଶବ ପୋତି ଦେଇ ଘଟଣାକୁ ଭିନ୍ନ ମୋଡ଼ ଦେବାକୁ ଉଦ୍ୟମ କରିଥିଲେ। ଥାନାରେ ଏତଲା ଦେଇ ପୁଲିସର ସଂଦେହ ବଳୟରୁ ନିଜକୁ ଦୂରେଇ ରଖିବା ଲାଗି ବୃଥା ପ୍ରୟାସ ମଧ୍ୟ କରିଥିଲେ।

ହେଲେ ତାଙ୍କର ସବୁ ଚାଲ୍ ଧରାପଡ଼ିଯାଇଛି। ତଦନ୍ତ କାଳରେ ଅଭିଯୋଗକାରୀ ବାପା ହିଁ ନିଜେ ଅଭିଯୁକ୍ତ ବୋଲି ସ୍ପଷ୍ଟ ହେବା ପରେ ଆଜି ପୁଲିସ ଅଭିଯୁକ୍ତ ବାପା ଭୀମସେନ ନାୟକଙ୍କ ସମେତ ତାଙ୍କର ୩ ସହଯୋଗୀ ଠାକୁରଗଡ଼ ଥାନା ତେନ୍ତୁଳିପଥର ଗାଁର ଲୋକନାଥ ନାୟକ, ସୁଶାନ୍ତ ନାୟକ ଓ ଚିନୁ ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଠାକୁରଗଡ଼ ଥାନା ଆଇଆଇସି ଗବାକ୍ଷ ନାୟକଙ୍କ ସୂଚନା ଅନୁସାରେ, ଭୀମସେନ ଜଙ୍ଗଲ ଗୁଡ଼ିକରେ ବିଭିନ୍ନ ଜନ୍ତୁ ଶିକାର କରି ମା˚ସ ବିକ୍ରି କରୁଥିଲେ। ଗତମାସ ୨୩ ତାରିଖ ରାତିରେ ସେ ଏକ ବାର‌୍‌ହା ମାରି ଖାଇବା ସହ ଏହାର ମାଂସ ବାହାରେ ବିକ୍ରି କରିଥିଲେ। ପୁଣି ୨୪ ତାରିଖରେ ବାର‌୍‌ହା ଶିକାର ପାଇଁ ରାଣୀବନ୍ଧ ନାଳ ଠାରେ ଏକ ୧୧ କେଭି ବିଦ୍ୟୁତ୍‌ ତାରରୁ ହୁକ ଦ୍ବାରା ଫାଶ ପକାଇଥିଲେ। ପରେ ବିଳମ୍ବିତ ରାତିରେ ଭୀମଙ୍କ ପୁଅ ଅମୂଲ୍ୟ ଓ ତାର ସହଯୋଗୀ ସିପୁନ ନାଳକୁ ମାଛ ମାରିବାକୁ ଯାଇଥିଲେ।

ଏହି ସମୟରେ ଫାଶରେ ପଡ଼ି ବିଦ୍ୟୁତ୍‌ ଆଘାତରେ ଉଭୟଙ୍କ ମୃତ୍ୟୁ ହୋଇଥିଲା। ଭୀମସେନ ୨୫ ତାରିଖ ଭୋର‌୍‌ରେ ବାର‌୍‌ହା ପଡ଼ିଥିବା ଆଶାରେ ନାଳ ନିକଟକୁ ଯାଇଥିଲେ। ହେଲେ ସେଠାରେ ତାଙ୍କ ପୁଅ ସହ ସିପୁନର ଶବ ପଡ଼ିଥିବା ଦେଖିବାକୁ ପାଇଥିଲେ। ଉକ୍ତ ଘଟଣାକୁ ଚପାଇ ଦେବାପାଇଁ ଭୀମସେନ ତାଙ୍କ ସହଯୋଗୀ ଲୋକନାଥ, ସୁଶାନ୍ତ ଓ ଚିନୁଙ୍କୁ ଘଟଣାସ୍ଥଳକୁ ଡାକି ନିକଟ ନାଳରେ ଦୁଇ ବାଳକଙ୍କ ଶବକୁ ପୋତି ଦେଇଥିଲେ। ପରେ ସିପୁନ ଓ ଅମୂଲ୍ୟ କେଉଁଆଡେ଼ ପଳାଇ ଯାଇଥିବା ଗ୍ରାମରେ ପ୍ରଚାର କରିଥିଲେ। ପରେ ନିଜେ ଭୀମସେନ ଏ ସଂକ୍ରାନ୍ତରେ ଠାକୁରଗଡ଼ ଥାନାରେ ନିଖୋଜ ରିପୋର୍ଟ ମଧ୍ୟ ଦରଜ କରାଇଥିଲେ। ତେବେ ବେଶି ଦିନ ଏ କଥା ଲୁଚି ରହିନଥିଲା। ଜେରା କାଳରେ ଭୀମସେନ ନିଜେ ଦୁଇ ନାବାଳକଙ୍କ ମୃତ୍ୟୁ ରହସ୍ୟ ଖୋଲି ଦେଇଥିଲେ।

By amfnews

Related Post