Sat. Mar 7th, 2026

ପୁଲିସ କବ୍‌ଜାରେ ୨ ଗାଡ଼ି ଚୋର:ଚୋରା ଗାଡ଼ିରେ କାଠ ଚୋରି ବେଳେ ଧରାପଡ଼ିଲେ

256 Views

ଝାରସୁଗୁଡ଼ା: ଜଙ୍ଗଲରୁ କାଠ ଚୋରି କରୁଥିବା ବେଳେ ବନ ବିଭାଗ ହାତରେ ଧରାପଡ଼ିଛନ୍ତି ଦୁଇ ମାଫିଆ। ଏହି କାଠ ଚୋରି ପାଇଁ ବ୍ୟବହାର କରିବାକୁ ସେମାନେ ବଲେରୋ ପିକ୍‌ଅପ୍‌କୁ ମଧ୍ୟ ଚୋରି କରିଥିବା ଜଣାପଡ଼ିଛି। ବଲେରୋ ପିକ୍‌ଅପ୍‌ (ଓଆର୍‌ ୨୩ସି ୫୫୮୦)ଟି ଝାରସୁଗୁଡ଼ା ମଙ୍ଗଳବଜାର ଅଞ୍ଚଳର ଦେବେନ୍ଦ୍ର ଲୋକଚନ୍ଦାନିଙ୍କ ବୋଲି ଜଣାପଡ଼ିଛି।

ଘଟଣାରେ ସଂପୃକ୍ତ ସମ୍ବଲପୁର ଧନୁପାଲି ଥାନା ସୁନାପାଲିର ମହମ୍ମଦ ଇର୍‌ଫାନ୍‌ ଓ ବଲେରୋ କିଣିଥିବା ବ୍ୟକ୍ତି କ୍ଷେତରାଜପୁର ଥାନା ମୁଙ୍ଗାପଡ଼ାର ରାଜା ଯୋଗୀ ନାମରେ ପୁଲିସ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି। ଗତ ୩.୬.୧୮ରେ ସ୍ଥାନୀୟ କାଳୀ ମନ୍ଦିର ରୋଡ଼୍‍ରୁ ମୋହନ ଗୁହା ଓ ୩.୮.୧୮ରେ ମଙ୍ଗଳବଜାରରୁ ଦେବେନ୍ଦ୍ର ଲୋକଚନ୍ଦାନିଙ୍କ ବୋଲେରୋ ପିକ୍‌ଅପ୍‌ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏହାର କିଛି ଦିନ ପରେ ସମ୍ବଲପୁର ବନ ବିଭାଗ କାଠ ଚୋରି କରୁଥିବା ଇରଫାନ୍‌ ଓ ରାଜାକୁ ଗୋଡ଼ାଇ ଗୋଡ଼ାଇ ଧରିଥିଲା।

କାଠ ଲୋଡ୍‌ ଥିବା ପିକ୍‌ଅପ୍‌ର କାଗଜପତ୍ର ମାଗିବା ବେଳେ ଏହି ଚୋରମାନେ ଦେଇ ପାରି ନଥିବାରୁ ଗାଡ଼ି ସଂପର୍କରେ ସୂଚନା ପାଇଁ ବନ ବିଭାଗ ଝାରସୁଗୁଡ଼ା ପୁଲିସକୁ ଯୋଗାଯୋଗ କରିଥିଲା। ଏହି ଗାଡ଼ି ଚୋରି ହୋଇଥିବା ଜଣାପଡ଼ିବା ପରେ ପୁଲିସର ସଂଦେହ ଘନୀଭୂତ ହୋଇଥିଲା ଏବଂ ଅଧିକ ପଚରାଉଚରା କରିଥିଲା। ସେମାନେ ଏହା ଚୋରି କରିଥିବା ସ୍ୱୀକାର କରିଥିଲେ। ଇରଫାନ୍‌ ଏହି ରାକେଟ୍‌ ମୁଖ୍ୟ ହୋଇଥିବା ବେଳେ ଏମାନେ ବଲାଙ୍ଗୀରରୁ ୨ଟି, ବରଗଡ଼ରୁ ୩ଟି, କଳାହାଣ୍ଡିରୁ ଗୋଟିଏ ଏବଂ ଝାରସୁଗୁଡ଼ାରୁ ୨ଟି ପିକ୍‌ଅପ୍‌ ଚୋରି କରିଥିଲେ। ଏନେଇ ଅଧିକ ସୂଚନା ସେମାନଙ୍କଠାରୁ ମିଳି ପାରିନାହିଁ।

By amfnews

Related Post