ବଲାଙ୍ଗିର, ୧୩/୧୧ : କଣ୍ଟାବାଞ୍ଜିର ବିଜେଡି ବିଧାୟକ ଅାୟୁବ ଖାନ୍ଙ୍କ ପୁଣି ଔଦ୍ଧତ୍ୟ। ପୁଣି ତୋଡ଼ ଦେଖାଉଛନ୍ତି ସଭା ମଝିରେ। ଜିଲ୍ଲାପାଳ, ସାଂସଦଙ୍କ ସହ ଅନ୍ୟ ଜନପ୍ରତିନିଧି ଓ କର୍ମଚାରୀଙ୍କ ଉପସ୍ଥିତିରେ ମୁରିବାହାଲ ବ୍ଲକ୍ ଅଧ୍ୟକ୍ଷ ହଂସରାଜ ଜୈନଙ୍କୁ ଚୋର ବୋଲି କହୁଛନ୍ତି ଆୟୁବ ଖାନ୍।
କଣ୍ଟାବାଞ୍ଜି ଏନ୍ଏସି ଅଫିସରରେ ଅନୁଷ୍ଠିତ ଦିଶା ମିଟିଂରେ ମୁରିବାହାଲ ବ୍ଲକ୍ରେ ଶିଶୁ ଶ୍ରମିକ କାମ କରୁଛନ୍ତି ବୋଲି ଅଭିଯୋଗ ଅାଣି ଏକ ଚିତ୍ର ଦେଖାଇଥିଲେ ବିଧାୟକ। କିନ୍ତୁ ଏହାକୁ ଖଣ୍ଡନ କରିଥିଲେ ବ୍ଲକ୍ ଅଧ୍ୟକ୍ଷ। ଅାଉ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ବାକ୍ବିତଣ୍ଡା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ବ୍ଲକ୍ ଅଧ୍ୟକ୍ଷଙ୍କୁ ଚୋର ବୋଲି ଅାକ୍ଷେପ କରିଥିଲେ ଅାୟୁବ ଖାନ୍। ପରିସ୍ଥିତି ଏପରି ହେଲା ଯେ, ପୁଲିସ ଅାସି ଉଭୟଙ୍କୁ ବୁଝାସୁଝା କରିଥିଲା।
ଏଭଳି ଗୋଟିଏ ପରେ ଗୋଟିଏ ଅାପତ୍ତିଜନକ ଉଚ୍ଚାରଣ ଏବଂ ଅାଚରଣ ଯେ କେବଳ ଅାୟୁବ ଖାନ୍ଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରୁଛି ତାନୁହେଁ, ଦଳୀୟ ସୁପ୍ରିମୋଙ୍କୁ ମଧ୍ୟ ଅଡୁଅାରେ ପକାଉଛି। ଗତ କିଛି ଦିନ ତଳେ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ପଡିକାର୍ଡ ବଣ୍ଟନ ସମୟରେ, ଜଣେ ବୟସ୍କ ମହିଳାଙ୍କୁ ବିଧାୟକ ଅାୟୁବ ଖାନ ଦୁର୍ବ୍ୟବହାର କରିଥିଲେ। ଯାହାର ଭିଡ଼ିଓ ଭାଇରାଲ୍ ହୋଇଥିଲା।
ଏପରିକି କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ସହ ମଧ୍ୟ ତୁତୁ ମେମେ ହୋଇଥିଲା। ତେବେ ପଡ଼ିକାର୍ଡ ବଣ୍ଟନ ସମୟରେ ଘଟିଥିବା ଘଟଣାରେ ଅଡୁଅାରେ ପଡ଼ିବା ଅାଶଙ୍କା କରି ବିଜେଡି ସୁପ୍ରିମୋଙ୍କ ଚାପରେ ବଲାଙ୍ଗିର ବିଜେଡି ସାଂସଦ କଳିକେଶ ନାରାୟଣ ସିଂଦେଓ , ସଂପୃକ୍ତ ମହିଳାଙ୍କ ଘରକୁ ଯାଇ କ୍ଷମା ମାଗିଥିବା କହିଛନ୍ତି। ତାସହ ବିଭିନ୍ନ ଯୋଜନାରେ ତାଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିବା କହିଛନ୍ତି ।