ଭୁବନେଶ୍ୱର : ପାଟକୁରା ଉପନିର୍ବାଚନରେ ବିଜେପି ଜିତିବ। ଏଥିରେ ଆମର ପୁରା ଆତ୍ମ ବିଶ୍ୱାସ ରହିଛି। ସେଠି ବିଜୟ ମହାପାତ୍ରଙ୍କ ପ୍ରତି ଗୋଟିଏ ଅନୁକମ୍ପା ରହିଛି। ବହୁ ଦିନ ହେଲା ବିଜୟ ଜିତି ପାରିନାହାନ୍ତି। କିନ୍ତୁ ଏଥର ଲୋକସଭାରେ ଜନସାଧାରଣ ଯେଉଁଭଳି ଭାବେ ବିଜେପିକୁ ସମର୍ଥନ ଦେଇଛନ୍ତି ସେଥିରୁ ବିଜୟ ମହାପାତ୍ର ସେଠାରେ ବିଜୟ ଲାଭ କରିବେ ବୋଲି ଆମେ ଅଶାବାଦୀ। ଆଜି ସାମ୍ବାଦିକଙ୍କ ପ୍ରଶ୍ନରେ ଉତ୍ତର ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି। ତେବେ ପାଟକୁରାରେ ମୁଖ୍ୟମନ୍ତ୍ରୀ ଦୁଇଦିନ ରହିବେ। ବିଜେଡି ବିଧାୟକମାନେ ଛାଇ ହୋଇଗଲେଣି।
ନିର୍ବାଚନ ପାଇଁ ବିଜେଡିର ପ୍ରସ୍ତୁତି ଜୋରଦାର ରହିଛି। ସେହି ତୁଳନାରେ ବିଜେପିର ପ୍ରସ୍ତୁତି କେମିତି ରହିଛି ବୋଲି ପ୍ରଶ୍ନ ହେବାରୁ ଧର୍ମେନ୍ଦ୍ର କହିଛନ୍ତି ଯେ, ସବୁ ରାଜନୈତିକ ଦଳର ନିଜସ୍ୱ ରଣନୀତି ରହିଛି। ଆମ ଦଳ ସେଠାରେ ପୁରା ତାକତରେ ଲଢ଼ିବ। ସେଠାରେ ବିଜୟ ବିଜେପିର ବୋଲି ଧର୍ମେନ୍ଦ୍ର କହିଛନ୍ତି। ତେବେ ବଜେଟ ପ୍ରସଙ୍ଗରେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ରୀୟ ବଜେଟକୁ ପ୍ରଶଂସା କରିବା ନେଇ ପ୍ରଶ୍ନ ହେବାରୁ ଧର୍ମେନ୍ଦ୍ର ଫିଡ଼ିକି ଯାଇଥିଲେ।
କହିଥିଲେ ଆପଣଙ୍କୁ କ’ଣ ଭୁଲ ଲାଗୁଛି। ସାମ୍ବାଦିକମାନଙ୍କୁ ନିଶାନା କରି କହିଥିଲେ ଯେ, ଆପଣମାନେ ଅଜଥା କଳି ଲଗାଇବା କାମ କରୁଛନ୍ତି। ରାଜନୀତି ପ୍ରତିଦ୍ୱନ୍ଦୀ ତା’ବାଟରେ ରହିବା ଉଚିତ୍। ଓଡ଼ିଶାର ବିକାଶ ପାଇଁ ଦଳମତ ନିର୍ବିଶେଷରେ ଭଲ କାମକୁ ପ୍ରଶଂସା କରିବା ଉଚିତ୍। କଂଗ୍ରେସ ମଧ୍ୟ ନରେନ୍ଦ୍ର ମୋଦି ସରକାରଙ୍କ ଭଲ କାମକୁ ପ୍ରଶଂସା କରିବା ଉଚିତ୍ ବୋଲି ଧର୍ମେନ୍ଦ୍ର କହିଛନ୍ତି।