ରାଉରକେଲା, ୯ା୧୧: ପବିତ୍ର ଦୀପାବଳି ଦିନ ସହରର ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଘଟିଥିବା ଖବର ମିଳିଛି । ସୂଚନା ଅନୁଯାୟୀ, ରାଉରକେଲା ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ଡିଜେଲ କଲୋନୀ ଠାରେ ଥିବା ଏକ ବେଆଇନ ପେଟ୍ରୋଲ ଓ ଡିଜେଲ ଦୋକାନରେ ଅଗ୍ନିକାଣ୍ଡ ଘଟି ଦୋକାନ ସମ୍ପୂର୍ଣ୍ଣ ପୋଡି ଯାଇଛି । ଦୋକାନ ମାଲିକ ବିଜୟ ସାହୁ ପରିବାର ସହ ସନ୍ଧ୍ୟା ବେଳେ ନିକଟସ୍ଥ ମନ୍ଦିରକୁ ପୂଜା କରିବାକୁ ଯାଇଥିବା ବେଳେ ଦୋକାନରେ ଅଗ୍ନକାଣ୍ଡ ଘଟିଥିଲା ।
ତେବେ ଦୋକାନରେ ଥିବା ପେଟ୍ରୋଲ, ଡିଜେଲ ଓ ଅନ୍ୟାନ ଦହନଶୀଳ ପଦାର୍ଥରେ ନିଆଁ ଲାଗିଯାଇଥିଲା । ଘଟଣାସ୍ଥଳରେ ରାଜ୍ୟ ଅଗ୍ନିଶମ ବିଭାଗର ଦମକଳ ପହଞ୍ଚି ନିଆଁ ଆୟତ୍ତ କରିଥିଲା । ସେହିପରି ସହରର ପୁରୁଣା ଷ୍ଟେସନ ନିକଟ ରଜାକ ଗଳି ଥିବା ଏକ ହୋଟେଲରେ ମଧ୍ୟ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଥିଲା । ଏହି ଅଗ୍ନିକାଣ୍ଡରେ ଉଭୟ ହୋଟେଲ ଓ ନିକଟରେ ଥିବା ଏକ ଘରେ ନିଆଁ ଲାଗି ଯାଇଥିଲା । ତେବେ ସୌଭାଗ୍ୟବଶତଃ ଏଥିରେ କେହି ମୃତାହତ ହୋଇ ନଥିବା ଜଣାପଡ଼ିଛି ।
ଅନୁରୂପ ଭାବେ ନେତାଜୀ ମାର୍ଗ ସ୍ଥିତ ବନମାଳୀ ସାମନ୍ତ, ବାମଦେବ ସାଓ, ଏମଡି ନାୟରଙ୍କ ଘରେ ରକେଟ ପଶି ଯିବାରୁ ସେମାନଙ୍କର ଘରେ ନିଆଁ ଲାଗିବା ସହ ଘରର ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଥିବା ଖବର ମିଳିଛି । ତେବେ କ୍ଲବ ପକ୍ଷରୁ ଉକ୍ତ କ୍ଷତିଗ୍ରସ୍ତଙ୍କ ପରିବାରକୁ ନିର୍ମାଣର ପ୍ରତିଶ୍ରୁତି ଦିଆଯାଇଥିବା ଜଣାଯାଇଛି ।