Tue. Mar 18th, 2025

ପତ୍ନୀ ଭାରତ ଛାଡୁଥିବା ଦେଖି ସ୍ୱାମୀ ପୁଲିସକୁ ଫୋନ୍‌ କରି କହିଲେ: ସେ ଫିଦାୟୀନ୍‌, ବିମାନରେ ବିସ୍ଫୋରଣ କରିବାକୁ ଯାଉଛି

By amfnews Aug 17, 2019 #Featured
263 Views

ନୂଆଦିଲ୍ଲୀ : ଦିଲ୍ଲୀ ବିମାନ ବନ୍ଦରରେ ବୋମା ଖଞ୍ଜିବାକୁ ପତ୍ନୀ ଯାଉଛନ୍ତି ବୋଲି ଅଗଷ୍ଟ ୮ ତାରିଖ ଦିନ ପୁଲିସକୁ ମିଛରେ ଫୋନ୍‌ କରିଥିବା ଜଣେ ବ୍ୟକ୍ତିଙ୍କୁ ଦିଲ୍ଲୀ ପୁଲିସର ସ୍ପେସାଲ୍‌ ସେଲ୍‌ ଗିରଫ କରିଛି। ପୁଲିସ କହୁଛି ଯେ ଲୋକଟି ସରକାରୀ କର୍ତ୍ତୃପକ୍ଷଙ୍କୁ ଫୋନ୍‌ କରିବା ବେଳେ କହିଥିଲେ ଯେ ତାଙ୍କ ପତ୍ନୀ ଜଣେ ଫିଦାୟୀନ୍‌ ଏବଂ ସେ ବୋମା ବିସ୍ଫୋରଣ କରିବାକୁ ଯାଉଛନ୍ତି।

ତଦନ୍ତ କରି ପୁଲିସ ଜାଣିବାକୁ ପାଇଲା ଯେ ଦେଶ ଛାଡ଼ି ଯାଉଥିବା ପତ୍ନୀଙ୍କୁ ଅଟକାଇବାକୁ ଲୋକଟି ଏଭଳି କରିଥିଲା। ଅଭିଯୁକ୍ତ ୨୯ ବର୍ଷିୟ ନାସିରୁଦ୍ଦିନଙ୍କୁ ନୂଆଦିଲ୍ଳୀର ବାଓ୍ଵନା ଅଞ୍ଚଳରୁ ଗିରଫ କରାଯାଇଛି।

ଅଗଷ୍ଟ ୮ ତାରିଖ ଦିନ ସେ ଫୋନ୍‌ କରିବା ପରେ ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରର କର୍ତ୍ତୃପକ୍ଷମାନଙ୍କୁ ସାମୟିକ ଭାବେ ଆନ୍ତର୍ଜାତିକ ବିମାନ ଚଳାଚଳ ବନ୍ଦ ରଖିବାକୁ ପଡ଼ିଥିଲା।

ପୁଲିସ କହେ ସେ ଲୋକଟିର ପତ୍ନୀ ରଫିୟା ମଧ୍ୟପ୍ରାଚ୍ୟକୁ ଯିବା ଲାଗି ବିମାନ ଧରୁଥିଲେ ଏବଂ ସେ ତାଙ୍କୁ ଅଟକାଇବାକୁ ଚାହୁଁଥିଲେ। ସେ କୁଆଡ଼େ କହିଥିଲେ କି, ତାଙ୍କ ପତ୍ନୀ ଜଣେ ବୋମା ବିସ୍ଫୋରଣକାରିଣୀ। ଦୁବାଇ କିଂବା ସାଉଦି ଆରବ ଯାଉଥିବା ବିମାନକୁ ସେ ବୋମା ବିସ୍ଫୋରଣ କରି ନଷ୍ଟ କରି ଦେବେ। ପୁଲିସ ନାସିରୁଦ୍ଦିନଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିଛି।

ଅଭିଯୁକ୍ତଙ୍କର ଚେନ୍ନାଇରେ ଗୋଟାଏ ବ୍ୟାଗ୍‌ ତିଆରି କାରଖାନା ଅଛି। ସେ ତାଙ୍କର କର୍ମଚାରୀ ରଫିୟାକୁ ବାହା ହୋଇଥିଲେ। ଏବେ ସେ ଭାରତ ଛାଡ଼ି ଉପସାଗରରେ କାମ କରିବାକୁ ଯୋଜନା କରୁଥିଲେ।

By amfnews

Related Post