Sat. May 11th, 2024

ନୋଟ୍ ବନ୍ଦୀର ଶିକାର

By amfnews Apr 19, 2019 #Featured
319 Views

ପ୍ରଶାନ୍ତ ପଟ୍ଟନାୟକ

ଦେଶରୁ କଳା ଟଙ୍କା ମୂଳୋତ୍ପାଟନ ସହିତ ସନ୍ତ୍ରାସବାଦୀ ଓ ନକ୍ସଲ କାର୍ଯ୍ୟକଳାପ ଅନ୍ତ ଘଟାଇବା ପାଇଁ ୨୦୧୬ ମସିହା ନଭେମ୍ବର ମାସ ୮ତାରିଖ ଦିନ କେନ୍ଦ୍ର ସରକାର ନୋଟ୍ବନ୍ଦୀ ଘୋଷଣା କରିଥିଲେ । ଏହା ଫଳରେ ଦେଶର ଆଇନ୍ଶୃଙ୍ଖଳା ପରିସ୍ଥିତିର ଉନ୍ନତି ଘଟିବା ସହ ଅର୍ଥନୈତିକ ସ୍ଥତି ସୁଦୃଢ଼ ହେବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ । ସେତେବେଳେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏବଂ ଅର୍ଥମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ମଣ୍ଡଳର ବିଭିନ୍ନ ସଦସ୍ୟଙ୍କ ଘୋଷଣାକୁ ବିରୋଧି ଦଳର ନେତାମାନେ କଟୁ ସମାଲୋଚନା କରିବାକୁ ପଛାଇନଥିଲେ ।

ଏହି ନୋଟ୍ ବନ୍ଦୀ ପଛରେ ଅର୍ଥନୈତକ ସଂସ୍କାର ଅପେକ୍ଷା ରାଜନୈତିକ ଫାଇଦା ଉଠାଇବାର ଆଗ୍ରହ ପ୍ରବଳଭାବେ ରହିଥିଲା ବୋଲି ସମାଲୋଚନା ପ୍ରକାଶ ପାଇଥିଲା ।ନୋଟ୍ ବନ୍ଦୀ ଘୋଷଣା ହେବା ପରେ ବହୁ ସଂଖ୍ୟକ ଜନସାଧାରଣ ବ୍ୟକ୍ତିଗତ ଭାବେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ମଧ୍ୟ ଏହା ସାମୂହିକ ଏବଂ ଖୁବ୍ଶୀଘ୍ର ସୁଫଳ ପାଇବେ ବୋଲି ଦୃଢ଼ ଆଶା କରିଥିଲେ । ପ୍ରଧାନମନ୍ତ୍ରୀ, ଅର୍ଥମନ୍ତ୍ରୀ ଏବଂ ସରକାରୀ ଦଳର ବହୁ ପଦସ୍ତକର୍ତ୍ତା ନୋଟ୍ବନ୍ଦୀ ପାଇଁ ସରକାରଙ୍କୁ ପ୍ରଶଂସାରେ ଶତମୁଖ ହୋଇଉଠିଥିଲେ । ମାତ୍ର ନୋଟ୍ବନ୍ଦୀ ବା ବିମୁଦ୍ରା ଆଇନ ଲାଗୁହେବା ପରେ ଦେଶରେ ୫୦ଲକ୍ଷ ଲୋକ ରୋଜଗାର ହରାଇଛନ୍ତି ବୋଲି ନିକଟରେ ହୋଇଥିବା ଏକ ନିର୍ଭର ଯୋଗ୍ୟ ସର୍ବେକ୍ଷଣ ସମସ୍ତଙ୍କୁ ଚକିତ କରିଦେଇଛି ।

ଦେଶରେ ସମ୍ପ୍ରତି ସାଧାରଣ ନିର୍ବାଚନ ଚାଲୁଥିବା ବେଳେ ବେକାରୀ ସଂଖ୍ୟାରେ ଏଭଳି ବୃଦ୍ଧି ଘଟିଥିବା ନେଇ ରିପୋର୍ଟରେ ପ୍ରକାଶ ପାଇଛି । ବର୍ତ୍ତମାନ ନିର୍ବାଚନରେ ବେକାରୀ ଏକ ମୁଖ୍ୟ ପ୍ରସଙ୍ଗ ହୋଇଥିବା ଯୋଗୁ ଏହି ରିପୋର୍ଟ ସମସ୍ତଙ୍କୁ ହତଚକିତ କରିଛି । ତେବେ ଚିନ୍ତାର ବିଷୟ ହେଉଛି ରିପୋର୍ଟ ଅନୁଯାୟୀ, ଦେଶରେ ଅଧିକାଂଶ ଉଚ୍ଚ ଶିକ୍ଷିତ ଅଧିକ ବେକାରୀ ହୋଇଥିବା ବେଳେ ୨୦ରୁ ୨୪ବର୍ଷ ବୟସ ବର୍ଗରେ ବେରୋଜଗାର ସଂଖ୍ୟା ସର୍ବାଧିକ ।

୨୦୧୪ରେ କ୍ଷମତାକୁ ଆସିବା ସମୟରେ ବିଜେପି ନେତୃତ୍ୱାଧୀନ ଏନ୍ଡ଼ିଏ ସରାକର ଦେଶରେ ୧କୋଟିରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେବା ନେଇ ପ୍ରତିଶ୍ରୁତି ଦେଇଥିଲେ । ୨୦୧୬ରୁ ୨୦୧୮ ଦୁଇ ବର୍ଷ ମଧ୍ୟରେ ଦେଶର ୫୦ଲକ୍ଷ ଲୋକ ନିଯୁକ୍ତି ହୋଇଥିବା ନେଇ ଅଜ୍ମୀ ପ୍ରେମ୍ଜୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ୧୪୬ପୃଷ୍ଠା ସମ୍ବଳିତ ଗବେଷଣାତ୍ମକ ରିପୋର୍ଟରେ କୁହାଯାଇଛି । ଏହି ରିପୋର୍ଟରେ ସରକାରୀ ସଂସ୍ଥା ସେଣ୍ଟର ଫର ମନିଟରିଂ ଇଣ୍ଡିଆନ୍ ଇକୋନୋମି (ସିଏମ୍ଇଆଇ) ର ଉପଭୋକ୍ତା ପିରାମିଡ଼ର୍ ସର୍ଭେରେ ରହିଥିବା ତଥ୍ୟକୁ ବ୍ୟବହାର କରାଯାଉଛି । ସିଏମ୍ଆଇ-ସିପିଡ଼ିଏକ୍ସରେ ଦେଶର ୨୦୧୬ରୁ ୨୦୧୮ ମଧ୍ୟରେ ରହିଥିବା ନିଯୁକ୍ତି ସ୍ଥିତିକୁ ପରଖାଯାଇଛି । ଏହି ସର୍ଭେରେ ୧,୬,୦୦୦ପରିବାର ଏବଂ ୫,୨୨,୦୦୦ ବ୍ୟକ୍ତିବିଶେଷଙ୍କୁ ସାମିଲ କରାଯାଇଛି ।

ରିପୋର୍ଟ ଅନୁଯାୟୀ ୨୦୧୧ ପରଠାରୁ ଧୀରେ ଧୀରେ ନିଯୁକ୍ତିରେ ହ୍ରାସ ଘଟିଚାଲିଛି । ୨୦୧୮ରେ ଦେଶରେ ବେକାରୀ ହ୍ରାସ ୬% ରହିଥିଲେ, ଏହା ୨୦୦୦ରୁ ୨୦୧୧ମଧ୍ୟରେ ସର୍ବାଧିକ । ବେକାରୀ କ୍ଷେତ୍ରରେ ପୁରୁଷଙ୍କ ତୁଳନାରେ ମହିଳା ସର୍ବାଧିକ ପ୍ରଭାବିତ । ନିଯୁକ୍ତି କ୍ଷେତ୍ରରେ ମହିଳାଙ୍କ ଅଂଶୀଦାରିତା କମ୍ ରହିଥିବା ବେଳେ ମହିଳାଙ୍କ କ୍ଷେତ୍ରରେ ବେକାରୀ ହାର ସର୍ବାଧିକ ରହିଥିବା ରିପୋର୍ଟରେ କୁହାଯାଇଛି । ଦେଶରେ ଅଧିକାଂଶ ଉଚ୍ଚଶିକ୍ଷିତ ଅଧିକ ବେକାରୀ ହୋଇଥିବା ବେଳେ ୨୦ରୁ ୨୪ବର୍ଷ ବୟସ ବର୍ଗରେ ବେରୋଜଗାରକାରୀଙ୍କ ସଂଖ୍ୟା ସର୍ବାଧିକ ରହିଛି । ପୁରୁଷଙ୍କ ମଧ୍ୟରେ ୨୦ରୁ ୨୪ ବର୍ଷ ବୟସର କର୍ମଜୀବୀ ବର୍ଗରେ ୧୩.୫% ରହିଛି ।

ଏମାନଙ୍କ ମଧ୍ୟରୁ ୬୦%ବେକାରୀ । ସେହିଭଳି ସହରାଞ୍ଚଳରେ ବସବାସ କରୁଥିବା ମହିଳା ଜନସଂଖ୍ୟା୧୦% ହେଉଛନ୍ତି ସ୍ନାତକଧାରୀ ମହିଳା, ଏମାନଙ୍କ ମଧ୍ୟରୁ ୩୪% ବେକାରୀ ବୋଲି ରିପୋର୍ଟରେ ଦର୍ଶାଯାଇଛି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ସ୍ୱଳ୍ପଶିକ୍ଷିତ କର୍ମଜୀବୀମାନେ ୨୦୧୬ ଠାରୁ ଅଧିକ ଚାକିରୀ ହରାଇଛନ୍ତି । ଅଜ୍ମୀ ପ୍ରେମ୍ଜୀ ବିଶ୍ୱବିଦ୍ୟାଳୟର ଏହି ରିପୋର୍ଟ ପ୍ରକାଶ ପାଇବା ପରେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍ ଟ୍ୱିଟ୍ କରି ମୋଦି ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ।

ଚିଦାମ୍ବରମ୍ କହିଛନ୍ତି ଯେ, ଏହି ରିପୋର୍ଟ ନୋଟ୍ବନ୍ଦୀ ପରେ ଦେଶରେ ଲକ୍ଷାଧିକ ଲୋକ ଚାକିରୀ ହରାଇଥିବା ଅଧିକ ସ୍ପଷ୍ଟ କରୁଛି । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ବେକାରୀ ସ୍ଥିତି ନଥିବା କହୁଥିବା ନେଇ ଚିଦାମ୍ବରମ୍ ସମାଲୋଚନା କରିଛନ୍ତି । ଅନ୍ୟ ପକ୍ଷରେ ଦେଶର କର୍ପୋରେଟ୍ କ୍ଷେତ୍ରରେ ନିଯୁକ୍ତିରେ ହ୍ରାସ ଘଟୁଥିବା ମଧ୍ୟ ସିଏମ୍ଇଆଇ କହିଛି ।

କ୍ଷମତା ଗାଦିରେ ଥିବା ବିଜେପି ଦଳ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ବିମୁଦ୍ରାକରଣ ସପକ୍ଷରେ ଯେତେ ଡିଣ୍ଡିମ ପିଟିଲେ ମଧ୍ୟ ଯେଉଁ ୫୦ଲକ୍ଷ ଲୋକ ରୋଜଗାର ହରାଇଛନ୍ତି ସେମାନଙ୍କ ଉପରେ ନିର୍ଭର କରୁଥିବା ସେମାନଙ୍କ ପରିବାରର ପ୍ରତ୍ୟେକଟି ବ୍ୟକ୍ତି କେତେ ଯେ ଶାରୀରିକ ଓ ମାନସିକ ଯନ୍ତ୍ରଣା ଭୋଗୁଥିବ ତାହା ହୁଏତ ବିମୁଦ୍ରାକରଣ ସମର୍ଥନ କରୁଥିବା ବ୍ୟକ୍ତିମାନେ କିଞ୍ଚିତ ମାତ୍ର ଅନୁଭବ କରୁନଥିବେ । ସେମାନେ ଅସହାୟ ହୋଇଥିଲେ ମଧ୍ୟ ସେମାନଙ୍କ ଅନ୍ତଃଜ୍ୱାଳା ଯେ କେତେବେଳେ ବିସ୍ଫୋରଣ ଘଟାଇବ ନାହିଁ ଏକଥା କେହି ଜୋର୍ ଦେଇ କହିପାରିବେ ନାହିଁ ।

By amfnews

Related Post