ଭୁବନେଶ୍ବର , ଜାନୁଆରୀ ୬ : ସାଧାରଣ ନିର୍ବାଚନ ପାଇଁ ରାଜ୍ୟର ରାଜନୈତିକ ପରିବେଶ ଚଳଚଞ୍ଚଳ ହୋଇଗଲାଣି। ଗୋଟିଏ ପଟେ ରାଜନୈତିକ ଦଳଗୁଡ଼ିକ ପ୍ରସ୍ତୁତି ଚଳାଇଥିଲା ବେଳେ ନିର୍ବାଚନ ପରିଚାଳନା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ଜୋର୍ଦାର୍ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ନିର୍ବାଚନ ପରିଚାଳନାରେ ସର୍ବାଧିକ ଗୁରୁତ୍ବପୂଣ୍ଣ ଭୂମିକା ନେଉଥିବା ଆରକ୍ଷୀ, ଆୟକର ଓ ଅବକାରୀ ବିଭାଗର ଉଚ୍ଚପଦସ୍ଥ ଅଧିକାରୀମାନଙ୍କୁ ନେଇ ସିଇଓ ସୁରେନ୍ଦ୍ର କୁମାରଙ୍କ ଅଧ୍ୟକ୍ଷତାରେ ଆଜି ଏକ ବୈଠକ ଆୟୋଜନ କରାଯାଇଥିଲା। ନିର୍ବାଚନକୁ ମୁକ୍ତ, ଅବାଧ ଓ ସୁପରିଚାଳନା ନିମନ୍ତେ ଆରକ୍ଷୀ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ତାଲିମ ପ୍ରଦାନ ପାଇଁ ଏକ ‘ତାଲିମ ଖସଡ଼ା’ ପ୍ରସ୍ତୁତ କରାଯାଇଛି। ଏହାକୁ ପୁଲିସ୍ ଡିଜିଙ୍କୁ ସିଇଓ ପ୍ରଦାନ କରିଥିଲେ।
ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ନିର୍ବାଚନ ସମୟରେ ପୁଲିସ ଡିଜିଙ୍କ ଦ୍ବାରା ଦୁଇ ଜଣ ଉଚ୍ଚପଦସ୍ଥ ଅଧିକାରୀ ନୋଡାଲ ଅଧିକାରୀ ଭାବେ ନିୟୋଜିତ ହେବେ। ସେମାନେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ଯୋଗସୂତ୍ର ରକ୍ଷା କରି ଦୈନିକ ଆଇନଶୃଙ୍ଖଳା ଓ ନିର୍ବାଚନ ଖର୍ଚ୍ଚ ସମ୍ପର୍କିତ ରିପୋର୍ଟ ପ୍ରଦାନ କରିବେ। ଏହି ରିପୋର୍ଟକୁ ଭାରତର ନିର୍ବାଚନ କମିସନ୍ଙ୍କ ନିକଟକୁ ପଠାଯିବ। ନିର୍ବାଚନକୁ ଆଖିରେ ରଖି ଭିଡିଓ ସର୍ଭିଲାନ୍ସ, ଷ୍ଟାଟିକ ସର୍ଭିଲାନ୍ସ, ଫ୍ଲାଇଂ ସ୍କ୍ବାର୍ଡ଼, ଅବକାରୀ ମନିଟରିଂ, ଆଇନ ଶୃଙ୍ଖଳା ପାଇଁ ସ୍ବତନ୍ତ୍ର ଟିମ୍ ଗଠନ କରାଯିବ।
ଏହି ବୈଠକରେ ରାଜ୍ୟ ଉନ୍ନୟନ କମିସନର ତଥା ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ଭାରତ ନିର୍ବାଚନ କମିସନଙ୍କ ନିର୍ବାଚନ ଖର୍ଚ୍ଚ ତଦାରଖ ନିର୍ଦ୍ଦେଶକ ବିକ୍ରମ ବାତ୍ରା, ପୁଲିସ ଡିଜି ରାଜେନ୍ଦ୍ର କୁମାର ଶର୍ମା, ଅବକାରୀ କମିସନର ଦେବେନ୍ଦ୍ର ନାଥ ମହାପାତ୍ର, ଭୁବନେଶ୍ବର-କଟକ ପୋଲିସ କମିସନର ସତ୍ୟଜିତ ମହାନ୍ତିଙ୍କ ସମେତ ବହୁ ବରିଷ୍ଠ ପୁଲିସ୍ ଅଧିକାରୀ ଉପସ୍ଥିତ ଥିଲେ।