Tue. May 21st, 2024

ନିର୍ବାଚନ କମିଶନ ଏବଂ କେନ୍ଦ୍ରସରକାରଙ୍କ ମଧ୍ୟରେ କ୍ଷମତା ନା ନ୍ୟାୟ ପାଇଁ ଲଢ଼େଇ?

By amfnews Apr 4, 2019 #Featured
195 Views

ପ୍ରଶାନ୍ତ ପଟ୍ଟନାୟକ

ଭାରତ ଇତିହାସରେ ପ୍ରଥମ ଥରପାଇଁ ମୋଦି ସରକାର ଇଲେକ୍ଟ୍ରୋରାଲ୍ ବଣ୍ଡ ପ୍ରଚଳନ ପାଇଁ ଘୋଷଣା କରିବା ପରେ ଏହାର ସାମ୍ବିଧାନିକ ଓ ଅଇନ୍ଗତ ବୈଧତା କୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚିମାନ ଦେଖାଦେଇଛି । ଇଲେକ୍ଟ୍ରୋରାଲ ବଣ୍ଡ ସମ୍ପର୍କରେ ମୁଖ୍ୟନିର୍ବାଚନ କମିଶନ ଆପତ୍ତି ଉଠାଇ ଏହାକୁ ବନ୍ଦ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ମଧ୍ୟ ନିଜ ନିଷ୍ପତିରେ ମୋଦି ସରକାର ଅଟଳ ରହିଥିବାରୁ ନିର୍ବାଚନ କମିଶନ ସୁପ୍ରିମକୋର୍ଟଙ୍କ ଆଶ୍ରୟ ନେଇଛନ୍ତି ।

ମୋଦି ସରକାରଙ୍କର ଇଲେକ୍ଟ୍ରୋରାଲ ବଣ୍ଡକୁ ନେଇ ବୁଧବାର ସୁପ୍ରିମ୍କୋର୍ଟରେ ମୁହାଁମୁହିଁ ହେଉଛନ୍ତି କେନ୍ଦ୍ର ସରକାର ଓ ନିର୍ବାଚନ କମିଶନ । ଇଲେକ୍ଟ୍ରୋରାଲ ବଣ୍ଡକୁ ବିରୋଧ କରି ଏହାକୁ ବନ୍ଦ କରିବା ପାଇଁ ନିର୍ବାଚନ କମିଶନ ସୁପ୍ରିମ୍କୋର୍ଟରେ ନିଜର ସତ୍ୟପାଠ ଦାଖଲ କରିବା ପରେ ବୁଧବାର ଏହା ଉପରେ ନିଜର ଉତ୍ତର ରଖିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ ପକ୍ଷରୁ ଅର୍ଥ ମନ୍ତ୍ରାଳୟ ସୁପ୍ରିମ୍କୋର୍ଟରେ ଏକ ସତ୍ୟପାଠ ଦାଖଲ କରି କହିଛନ୍ତି ଯେ ଉଲେକ୍ରେ୍ଟାରାଲ ବଣ୍ଡ ପ୍ରସଙ୍ଗରେ ନିର୍ବାଚନ କମିଶନ ତାଙ୍କ ସତ୍ୟପାଠରେ ଯାହା ସବୁ କହିଛନ୍ତି ଏବଂ ଯାହା ସବୁ ଆଶଙ୍କା କରିଛନ୍ତି, ସେସବୁ ଆଧାରହୀନ ଏବଂ ଏହାର କୌଣସି ପ୍ରକାରର ଆଇନଗତ ବା ତଥ୍ୟଗତ ଭିତ୍ତି ନାହିଁ ।

ଇଲେକ୍ଟ୍ରୋରାଲ ବଣ୍ଡ ଯୋଜନା ଦ୍ୱାରା ଦେଶର ରାଜନୈତିକ ଦଳଗୁଡ଼ିକୁ ମିଳୁଥିବା ପାଣ୍ଠିର ସ୍ୱଚ୍ଛତା ରକ୍ଷା ଗଭୀର ଭାବେ ପ୍ରଭାବିତ ହେବ ଏବଂ ରାଜନୈତିକ ଦଳଗୁଡ଼ିକୁ ବେନାମି ଚାନ୍ଦା ବୃଦ୍ଧି ପାଇବା ସହ ବିଦେଶୀ କମ୍ପାନିମାନଙ୍କ ଦ୍ୱାରା ଦେଶର ରାଜନୀତି ପ୍ରଭାବିତ ଓ ପରିଚାଳିତ ହେବ ବୋଲି ନିର୍ବାଚନ କମିଶନଙ୍କ ଆଶଙ୍କା ସଂପୂର୍ଣ୍ଣ ଅମୂଳକ । କାରଣ ରାଜନୈତିକ ଦଳଗୁଡ଼ିକୁ ମିଳୁଥିବା ପାଣ୍ଠିର ଅର୍ଥିକ ସ୍ୱଚ୍ଛତା ରକ୍ଷା ପାଇଁ ସରକାର ଇଲେକ୍ଟ୍ରୋରାଲ ବଣ୍ଡ କାର୍ଯ୍ୟକାରୀ କରାଯାଇଛି ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସୁପ୍ରିମ୍କୋର୍ଟଙ୍କୁ କୁହାଯାଇଛି ।

ଉଲ୍ଲେଖଯୋଗ୍ୟ, ମୋଦି ସରକାର ଗତ ୨୦୧୭ ଜାନୁୟାରୀ ୨ତାରିଖରେ ଏହି ଇଲେକ୍ଟ୍ରୋରାଲ ବଣ୍ଡ ସ୍କିମ୍ ଯୋଜନାକୁ ଦେଶରେ କାର୍ଯକାରୀ କରିଥିଲେ । ଏହି ଯୋଜନା ଅନୁସାରେ ଯେ କେହି ଭାରତିୟ ନାଗରିକ ବା କର୍ପୋରେଟ୍ ହାଉସ୍ ବା ଭାରତରେ ରହି ବ୍ୟବସାୟ କରୁଥିବା ଯେ କେହି ବିଦେଶୀ ସଂସ୍ଥା ଏହି ବଣ୍ଡ କିଣିପାରିବେ । ବଣ୍ଡ କିଣୁଥିବା ବ୍ୟକ୍ତିଙ୍କ ପରିଚୟ କେବଳ ବ୍ୟାଙ୍କ ନିକଟରେ ସମ୍ପର୍ଣ୍ଣ ଗୋପନୀୟ ହୋଇ ରହିବ । କେବଳ ମାତ୍ର ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ ଏହି ବଣ୍ଡ ଉପଲବ୍ଧ ହେବ । ୧ ହଜାର ଠାରୁ ଆରମ୍ଭ କରି ୧୦ ହଜାର, ୧ଲକ୍ଷ, ୧୦ ଲକ୍ଷ ଏପରିକି ୧କୋଟି ଟଙ୍କା ମୂଲ୍ୟର ବଣ୍ଡ ଉପଲବ୍ଧ ହେବ । ଜଣେ ବ୍ୟକ୍ତି ଚାହିଁଲେ ଯେତେ ଇଚ୍ଛା ସେତେ ମୂଲ୍ୟର ବଣ୍ଡ କିଣି ପାରିବ । ତେବେ, ଏହି ବଣ୍ଡରେ କିଣୁଥିବା ବ୍ୟକ୍ତି ଚାନ୍ଦା ଦେଉଥିବା ବ୍ୟକ୍ତାର ନାମ ବା ଅନ୍ୟ କିଛି ଉଲ୍ଲେଖ ରହିବ ନାହିଁ ।

ଏହି ବଣ୍ଡ ଗୁଡ଼ିକ ୧୫ ଦିନ ପର୍ଯ୍ୟନ୍ତ କାର୍ଯ୍ୟକାରୀ ରହିବ । ଏହି ସମୟ ମଧ୍ୟରେ ଯେଉଁ ରାଜନୈତିକ ଦଳଗୁଡ଼ିକୁ ଏହି ବଣ୍ଡ ମିଳିଥିବ କେବଳ ସେମାନେ ସେମାନଙ୍କ ବ୍ୟାଙ୍କର ଜମାଖାତାରେ ବଣ୍ଡଗୁଡ଼ିକୁ ଜମା କଲାପରେ ବଣ୍ଡର ମୂଲ୍ୟ ଅନୁଯୋୟୀ ଅର୍ଥରାଶି ସେମାନଙ୍କ ଜମାଖାତାରେ ଜମା ହୋଇଯିବ । ତେବେ ଇଲେକ୍ଟ୍ରୋରାଲ ବଣ୍ଡ ସ୍କିମ୍ କୁ ବିରୋଧ କରି ନିର୍ବାଚନ କମିଶନ ସୁପ୍ରିମ୍କୋର୍ଟରେ ଏକ ସତ୍ୟପାଠ ଦାଖଲ କରିଥିଲେ । ନିର୍ବାଚନ କମିଶନ କହିଥିଲେ ଯେ, ଏହି ଯୋଜନା ଦ୍ୱାରା ଦେଶର ରାଜନୈତିକ ଦଳଗୁଡ଼ିକୁ ବେନାମି କର୍ପୋରେଟ ଚାନ୍ଦା ମିଳିବା ବୃଦ୍ଧି ପାଇବା ସହ କଳାଧନ ସବୁ ଧଳା ହୋଇ ରାଜନୈତିକ ଦଳଗୁଡ଼ିକର ଜମାଖାତାରେ ଜମାହେବ । ଅନ୍ୟପକ୍ଷରେ ରାଜନୈତିକ ଦଳଗୁଡ଼ିକ ସଂଗ୍ରହ କରୁଥିବା ପାଣ୍ଠି ବା ସେମାନଙ୍କୁ ମିଳୁଥିବା ଆର୍ଥିକ ଚାନ୍ଦା ଉପରେ ନିର୍ବାଚନ କମିଶନଙ୍କର କୌଣସି ପ୍ରକାରର କର୍ତ୍ତୃତ୍ୱ ରହିବ ନାହିଁ ବୋଲି ନିର୍ବାଚନ କମିଶନ ମଧ୍ୟ ଦର୍ଶାଇଥିଲେ ।

ସୁକ୍ଷ୍ମ ଭାବରେ ଅନୁଧ୍ୟାନ କଲେ ଅନୁଭୂତ ହୁଏ ଯେ, ନିର୍ବାଚନ କମିଶନ ଯେଉଁ ଯୁକ୍ତି ପାଢ଼ିଛନ୍ତି ତାହା ଯଥାର୍ଥ । କଳାଧନକୁ ଧଳା କରିବା ଲାଗି ଏବଂ ରାଜନୈତିକ ଦଳଗୁଡ଼ିକୁ ବିଶେଷ ଭାବରେ ପ୍ରଭାବିତ କରିବା ପାଇଁ ଇଲେକ୍ଟ୍ରୋରାଲ ବଣ୍ଡକୁ ମାଧ୍ୟମ ରୂପେ ବ୍ୟବହାର କରିବା ନିଶ୍ଚିତ ଭାବରେ ସହଜ ସାଧିତ ହେବ । ଏହି ବଣ୍ଡ କ୍ରୟ କରିବା ଏବଂ ଏଥିରୁ ଉପକୃତ ହେବା ବ୍ୟକ୍ତି ବା ଦଳଗୁଡ଼ିକ ଉପରେ କାହାର ନିୟନ୍ତ୍ରଣ ନଥିବାରୁ ପ୍ରଭାବଶାଳୀ ରାଜନୈତିକ ଦଳ ଓ ବ୍ୟକ୍ତିମାନେ ଏଥିରୁ ବ୍ୟାପକ ଫାଇଦା ଉଠାଇବେ ଯାହାଫଳରେ କି ପ୍ରିୟାପ୍ରୀତି ତୋଷଣ, ଦୁର୍ନିତି ଓ ଭ୍ରଷ୍ଟାଚାର ବହୁ ପରିମାଣରେ ବୃଦ୍ଧି ପାଇବାର ସମ୍ଭାବନାକୁ ଏଡ଼ାଇ ଦେଇହେବ ନାହିଁ ।

By amfnews

Related Post