Fri. Mar 6th, 2026

ନରେନ୍ଦ୍ର ଜଳରେ ଚାପ ଖେଳିବାକୁ ଆସିବେନି ମହାପ୍ରଭୁ , ଝୁରୁଛି ନରେନ୍ଦ୍ର ପୁଷ୍କରିଣୀ

332 Views

ପୁରୀ : ପ୍ରତିବର୍ଷ ଭଳି ଚଳିତବର୍ଷ ଆଉ ଶ୍ରୀମନ୍ଦିର ଛାଡ଼ି ଆସିବେନି ମହାପ୍ରଭୁ। ନରେନ୍ଦ୍ର ଜଳରେ ଖେଳିବେନି ଚାପ। କରୋନା କଟକଣା ମହାପ୍ରଭୁ ଓ ନରେନ୍ଦ୍ର ପୁଷ୍କରିଣୀ ଭିତରେ ଏପରି କିଛି ଅନ୍ତରାୟ ସୃଷ୍ଟି କରିଛି। ଯେଉଁଥି ପାଇଁ ଶହ ଶହ ବର୍ଷ ଧରି ପବିତ୍ର ଅକ୍ଷୟ ତୃତୀୟାରେ ପାଳିତ ହୋଇ ଆସୁଥିବା ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା ତଥା ନରେନ୍ଦ୍ରରେ ଚାପ ଖେଳକୁ ବନ୍ଦ କରି ଦିଆଯାଇଛି। ଶ୍ରୀମନ୍ଦିର ଭିତରେ ଏହାକୁ ସୀମିତ ରଖାଯାଇଛି। ଯାହାକୁ ଝୁରି ହେଉଛି ନରେନ୍ଦ୍ର ପୁଷ୍କରିଣୀ। ସେପଟେ ନନ୍ଦା-ଭଦ୍ରା ଓ ବୈଜୟନ୍ତୀଙ୍କ ଚଳିତ ବର୍ଷର ସ୍ବପ୍ନ ବି ଅଧାରେ ରହିଯାଇଛି। ପ୍ରତିବର୍ଷ ଭଳି ତିନି ଡଙ୍ଗା ଚଳିତବର୍ଷ ମହାପ୍ରଭୁଙ୍କ ଚରଣ ସ୍ପର୍ଶରୁ ବଞ୍ଚିତ ହୋଇଛନ୍ତି।

ପରମ୍ପରା ମୁତାବକ, ପ୍ରତିବର୍ଷ ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ସହ ମହାପ୍ରଭୁ ୨୧ ଦିନିଆ ବାହାର ଚନ୍ଦନଯାତ୍ରାରେ ବାହାରିଥାନ୍ତି। ଶ୍ରୀମନ୍ଦିରରୁ ସୁସଜ୍ଜିତ ବିମାନରେ ମହାପ୍ରଭୁଙ୍କ ଚଳନ୍ତୀ ପ୍ରତିମା ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ରାମକୃଷ୍ଣ, ପଞ୍ଚ ମହାଦେବ ଶ୍ରୀ ଜମ୍ବେଶ୍ବର, ଶ୍ରୀ ଲୋକନାଥ, ଶ୍ରୀ ମାର୍କଣ୍ଡେଶ୍ବର, ଶ୍ରୀ ନୀଳକଣ୍ଠ ଓ ଶ୍ରୀ କପାଳମୋଚନ ଏକତ୍ର ବିମାନ ବିଜେ କରି ନରେନ୍ଦ୍ରକୁ ଜଳକ୍ରୀଡ଼ା ପାଇଁ ଯାଇଥାନ୍ତି। ଜଳସ୍ନାନ ପାଇଁ ସ୍ବତନ୍ତ୍ର କୁଣ୍ଡ ରହିଥାଏ। ଏହି କୁଣ୍ଡରେ ମହାପ୍ରଭୁ ସୁବାସିତ ଜଳ ଭିତରେ ଆକଣ୍ଠ ବୁଡ଼ି ରହିବା ପରେ ଶୀତଳତା ଉପଭୋଗ କରନ୍ତି। ନରେନ୍ଦ୍ରରେ ମାଣ୍ଡୁଅ ଭୋଗ ସହ ଅନ୍ୟାନ୍ୟ ନୀତି ସଂପନ୍ନ ପରେ ପୂର୍ବ ପ୍ରସ୍ତୁତ ନନ୍ଦା-ଭଦ୍ରା ଓ ବୈଜୟନ୍ତୀ ଡଙ୍ଗାରେ ନୌକା ବିହାର କରିଥାନ୍ତି। ବୈଜୟନ୍ତୀ ଆଗରେ ରହିଥାଏ ଓ ପଛରେ ନନ୍ଦା-ଭଦ୍ରାରେ ବିଜେ ହୋଇ ମହାପ୍ରଭୁ ନୌକା ବିହାର କରିଥାନ୍ତି। ପରମ୍ପରା ମୁତାବକ ଚଳିତବର୍ଷ ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା। ନରେନ୍ଦ୍ର ପୁଷ୍କରିଣୀର ଚତୁଃପାର୍ଶ୍ବକୁ ରଙ୍ଗ ଦିଆଯାଇ ସୁସଜ୍ଜିତ କରାଯାଇଥିଲା। ପାର୍ଶ୍ବ ଦେବାଦେବୀଙ୍କ ଚିତ୍ର ଅଙ୍କା ସରିଥିଲା। ନନ୍ଦା-ଭଦ୍ରା ଓ ବୈଜୟନ୍ତୀ ବି ପ୍ରସ୍ତୁତ ସରିଥିଲେ। କେବଳ ମହାପ୍ରଭୁ ପହଞ୍ଚିଥିଲେ ଜଳସ୍ନାନ ଓ ନୌକାବିହାର ଆଦି ନୀତି ସଂପନ୍ନ ହୋଇଥାନ୍ତା। କିନ୍ତୁ କରୋନା କଟକଣା ପରେ ସବୁକିଛି ବନ୍ଦ ହୋଇଯାଇଛି। ଶ୍ରୀମନ୍ଦିର ଭିତରେ ସମସ୍ତ କାର୍ଯ୍ୟ ସଂପନ୍ନ ହେଉ ଥିବାରୁ ନରେନ୍ଦ୍ରର ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ଅଟକି ଯାଇଛି। ଆସନ୍ତାବର୍ଷକୁ ପୁଣି ଅପେକ୍ଷା।

By amfnews

Related Post