Wed. Nov 6th, 2024

ନଈରେ ବହୁଛି ନୀଳ ଜହର : ୧୬ ନଦୀ ସ˚ପୂର୍ଣ୍ଣ ପ୍ରଦୂଷିତ, ପିଇବା ଦୂରର କଥା, ଛୁଇଁଲେ ରୋଗ

By amfnews Jul 8, 2019 #Featured
131 Views

ଭୁବନେଶ୍ବର : ‘ନମାମୀ ‌ଗଙ୍ଗେ’ ଯୋଜନାରେ ମହାନଦୀର ସଫେଇ ହେବ। ମହାନଦୀକୁ ବି ଗଙ୍ଗା ଭଳି ପ୍ରଦୂଷଣ ମୁକ୍ତ କରାଯିବ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦରେ କହିଥିଲେ। ଏହାପରେ ମହାନଦୀ ଅବବାହିକାରେ ରହୁଥିବା ଲୋକଙ୍କ ମଧ୍ୟରେ ବିଶୁଦ୍ଧ ପାଣି ପାଇବାର ଆଶା ସଞ୍ଚରି ଉଠିଛି। କିନ୍ତୁ ଓଡ଼ିଶାରେ ଯେ କେବଳ ମହାନଦୀ ପ୍ରଦୂଷିତ ତାହା ନୁହେଁ; ରାଜ୍ୟରେ ଆଉ ୧୬ଟି ନଦୀର ପାଣି ବି ବ୍ୟବହାର ଉପଯୋଗୀ ନୁହେଁ। ଏଥି‌େର ମହାନଦୀର ସମସ୍ତ ଶାଖା ନଦୀ, ଉପନଦୀ ସମେତ ବ୍ରାହ୍ମଣୀ, ବୈତରଣୀ, ଋଷିକୂଲ୍ୟା, ଖରସ୍ରୋତା ଭଳି ନଦୀ ରହିଥିବା ଓଡ଼ିଶା ଜଳ ଯୋଗାଣ ଏବ˚ ସ୍ବେରେଜ୍‌ ବୋର୍ଡ ରିପୋର୍ଟ କହୁଛି।

ସ୍ବେରେଜ୍ ବୋର୍ଡ ବର୍ଜ୍ୟ ଜଳ ପରିଚାଳନା କରିବା ଏବଂ ବିଶୋଧନ କରିବା ପାଇଁ ଗଠନ ହୋଇଛି। ହେଲେ ଆଜି ପର୍ଯ୍ୟନ୍ତ ରାଜ୍ୟରେ ଗୋଟିଏ ବି ସ୍ବେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ ହୋଇପାରି ନ ଥିବାରୁ ସାରା ଓଡ଼ିଶାର ସମସ୍ତ ସହରାଞ୍ଚଳର ବର୍ଜ୍ୟ ଜଳ ନଦୀରେ ମିଶୁଛି। ଯାହା ନଦୀ ପ୍ରଦୂଷଣର ମୁଖ୍ୟ କାରଣ। କେତେକ ଅଞ୍ଚଳରେ ଶିଳ୍ପାନୁଷ୍ଠାନଗୁଡ଼ିକ ସେମାନଙ୍କ ବର୍ଜ୍ୟ ସାମଗ୍ରୀ ଓ ଜଳକୁ ନଦୀକୁ ସିଧା ଛାଡ଼ୁଥିବାରୁ ଏହାଦ୍ବାରା ପାଣି ଦୂଷିତ ହେଉଥିଲେ ହେଁ ଯେଉଁଠି ଶିଳ୍ପ ନାହିଁ ସେଠାରେ ଆବାସିକ ଘର ଏବଂ ବିଭିନ୍ନ ପ୍ରତିଷ୍ଠାନର ବର୍ଜ୍ୟ ଜଳ ହିଁ ନଈକୁ ଦୂଷିତ କରୁଛି।
ସ୍ଥିତି ଏପରି ହୋଇଛି ଯେ, ରାଜ୍ୟର ସବୁ ନଦୀରେ ଏବେ ଜହର ବହୁଛି। ନଦୀଜଳ ବିଷାକ୍ତ ହୋଇଯାଇଥିବାରୁ ଯିଏ ଏହାକୁ ବ୍ୟବହାର କରିବ ସେ ଧୀରେ ଧୀରେ ଏହାଦ୍ବାରା ପ୍ରଭାବିତ ହେବ। ଗାଧେଇଲେ ଚର୍ମ କର୍କଟ ହେବାର ଆଶଙ୍କା ବି ରହିଛି। ବିନା ବିଶୋଧନରେ ପିଇଲେ ଡାଏରିଆ, କିଡନି ଓ ଲିଭର ନଷ୍ଟ ହେବାର ଆଶଙ୍କା ରହିଛି। ଆଉ ଏହି ପାଣିରେ ବଢ଼ୁଥିବା ମାଛ ଖାଇଲେ ନାଁ ଶୁଣି ନଥିବା ରୋଗରେ ବି ଆକ୍ରାନ୍ତ ହେବାର ଆଶଙ୍କା ରହିଛି।

ଓଡ଼ିଶା ଜଳ ଯୋଗାଣ ଏବ˚ ସ୍ବେରେଜ୍‌ ବୋର୍ଡ ରିପୋର୍ଟ କହୁଛି, ମହାନଦୀରୁ ଆରମ୍ଭ କରି ତା’ର ସବୁ ଶାଖା, ଉପଶାଖା ନଦୀ, ବ୍ରାହ୍ମଣୀ, ବୈତରଣୀ, ଖରସ୍ରୋତା, ପର୍ଯ୍ୟନ୍ତ ସବୁଥିରେ ବହଳ ବହଳ ଜହର ବହୁଛି। ରାଜଧାନୀରେ ଗଙ୍ଗୁଆ ଅତିଶୟ ବିଷାକ୍ତ ହୋଇଯାଇଥିବାବେଳେ ଦୟା, କୁଆଖାଇ ବି ପୂରା ପ୍ରଦୂଷିତ। ଦିନେ କୋଟି କୋଟି ଓଡ଼ିଆଙ୍କ ଜୀବନରେଖା କୁହାଯାଉଥିବା ନଦୀ ଏବେ ମୃତ୍ୟୁଦୂତ ପାଲଟିଛି। ଆଶ୍ଚର୍ଯ୍ୟର ବିଷୟ ଓଡ଼ିଶା ଜଳ ଯୋଗାଣ ଏବ˚ ସ୍ବେରେଜ୍‌ ବୋର୍ଡ ଯଦିଓ ସବୁ ନଦୀର ପାଣି ପ୍ରଦୂଷଣ ମାତ୍ରାର ଊର୍ଦ୍ଧ୍ବରେ ଥିବା ଦର୍ଶାଇଛି କିନ୍ତୁ କେଉଁଠି ବି ଏହାର ବ୍ୟବହାର ଉପରେ ରୋକ୍‌ ଲଗାଇନି।

ଏହି ରିପୋର୍ଟ ଅନୁସାରେ ମହାନଦୀ ସମୁଦ୍ରର ଯେତେ ନିକଟବର୍ତ୍ତୀ ହେଉଛି ପାଣିରେ ସେତେ ଅଧିକ ଜହର ମିଶୁଛି। ଉପକୂଳ ଓଡ଼ିଶାରେ ସବୁ ନଦୀ ପ୍ରଦୂଷିତ। ବ୍ୟବହାର ଉପଯୋଗୀ ବି ନୁହେଁ। ନିକଟରେ ମହାନଦୀ ଓ ଏହାର ଶାଖା, ଉପଶାଖା ୨୬ଟି ନଦୀର ୫୫ଟି ଜାଗାରେ ପାଣିର ମାନ ମପା ଯାଇଥିଲା। ହେଲେ ୩୩ଟି ଜାଗାରେ ପାଣି ପିଇବା ଯୋଗ୍ୟ ନ ଥିବା ଜଣାପଡ଼ିଥିଲା। ସେହିପରି ବାକି ୧୬ଟି ନଦୀର ୪୧ଟି ସ୍ଥାନରେ ପାଣିର ମାନ ମପା ଯାଇଥିବାବେଳେ ଏଥିରୁ ୨୬ଟି ସ୍ଥାନରେ ପାଣି ପିଇବା ଯୋଗ୍ୟ କି ବ୍ୟବହାର ଉପାଯୋଗୀ ନୁହେଁ ବୋଲି ସୂଚନା ମିଳୁଛି।
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସୂଚନା ଅନୁଯାୟୀ, ଓଡ଼ିଶାରେ ଯେତେ ନଦୀ ବହୁଛି ସବୁ ‘ସି’ କ୍ୟାଟେଗୋରିର। ପାଣିରେ ପିଏଚ୍‌ ଭାଲ୍ୟୁ ଏବ˚ ଦ୍ରବୀଭୂତ ଅମ୍ଳଜାନ ମାତ୍ରା ବିପଦସଙ୍କୁଳ ହୋଇନଥିଲେ ବି ବାଇଓଲୋଜିକାଲ ଅକ୍ସିଜେନ ଡିମାଣ୍ତ (ବିଓଡି) ଏବ˚ କଲିଫର୍ମ ବ୍ୟାକ୍ଟେରିଆ (ଟିସି) ଏତେ ଅଧିକ ରହିଛି ଯେ, ପାଣି ସ˚ସ୍ପର୍ଶରେ ଆସୁଥିବା ବ୍ୟକ୍ତି, ଜୀବଜନ୍ତୁ ରୋଗାକ୍ରାନ୍ତ ହୋଇଯାଉଛନ୍ତି। ଏହାର ନିରାକରଣ ପାଇଁ ରାଜ୍ୟ ସରକାରଙ୍କୁ ବାରମ୍ବାର ସତର୍କ କରାଯାଇଛି, ହେଲେ କିଛି ସୁଫଳ ମିଳୁନି। ପାଣିରେ ଏବେ ରାଜ୍ୟର ସମସ୍ତ ସହରାଞ୍ଚଳର ବର୍ଜ୍ୟଜଳ ସିଧାସଳଖ ମିଶୁଛି, ବିଭିନ୍ନ ଶିଳ୍ପାନୁଷ୍ଠାନର ବର୍ଜ୍ୟ ଜଳ ମଧ୍ୟ। ଏହାର ବିଶୋଧନ ପାଇଁ ଆବଶ୍ୟକ ଟ୍ରିଟମେଣ୍ଟ ପ୍ଲାଣ୍ଟ ନଥିବାରୁ ସାରା ଓଡ଼ିଶାରେ ଏବେ ନୀଳ ଜହର ପ୍ରବାହିତ ହେଉଛି।

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସୂଚନା ଅନୁଯାୟୀ, ଆମ ରାଜ୍ୟରେ ବହିଥିବା ନଦୀରେ ପିଏଚ୍‌ ଭାଲ୍ୟୁ ୬.୫ରୁ ୮.୫ ରହିବା ଦରକାର। ସେହିପରି ଦ୍ରବୀଭୂତ ଅମ୍ଳଜାନ ପରିମାଣ ପ୍ରତି ଏକ ଲିଟର ପାଣିରେ ୪ମିଲିଗ୍ରାମ ବା ଏହାଠାରୁ ଅଧିକ ରହିବା ଦରକାର। ବିଓଡି ୩ କିମ୍ବା କମ୍‌, ଟିସି ୫୦୦୦ରୁ କମ୍‌ ରହିବା ଦରକାର। କିନ୍ତୁ ବିଓଡି ଓ ଟିସି ସବୁ ନଦୀରେ ସ୍ବାଭାବିକଠାରୁ ଯଥେଷ୍ଟ ଅଧିକ ରହିଛି।

କେଉଁ ନଦୀ କେଉଁଠି ଅଧିକ ପ୍ରଦୂଷିତ

ମହାନଦୀ ବେସିନ୍‌ର ଇବ୍‌ ନଦୀ ଝାରସୁଗୁଡ଼ାରେ ଅଧିକ ପ୍ରଦୂଷିତ ହୋଇଥିବାବେଳେ ମହାନଦୀ ସମ୍ବଲପୁରର ଉପରମୁଣ୍ତ ଓ ତଳମୁଣ୍ତ, ହୁମା, କଟକର ତଳ ମୁଣ୍ତ, କାଠଯୋଡ଼ି କଟକର ତଳ ମୁଣ୍ତ, କତଗଞ୍ଜପୁର, କାମ ଶାସନ, ସେରୁଆ ନଦୀ ସାନକ୍ଷତ୍ରସାରେ, କୁଆଖାଇ ଭୁବନେଶ୍ବରର ଉପର ଓ ତଳ ମୁଣ୍ତରେ ଏବଂ ଦୟା ନଦୀ ସ˚ପୂର୍ଣ୍ଣ ପ୍ରଦୂଷିତ ତାଲିକାରେ ରହିଛି। ଗଙ୍ଗୁଆ ନାଳ ଭଳି ବିରୁପା, କୁଶଭଦ୍ରା, ଭାର୍ଗବୀ, ମଙ୍ଗଳା, ଗୋବରୀ, କୁସୁମୀ, କ˚ସାରୀ, ସବୁଳିଆ, ବଡ଼ଶଙ୍ଖ, ଲୁଣା, ରତ୍ନ ଚିରା ସ˚ପୂର୍ଣ୍ଣ ପ୍ରଦୂଷିତ। ସେହିପରି ମହାନଦୀ ବାଦ୍‌ ଯେଉଁ ଅନ୍ୟ ମୁଖ୍ୟ ନଦୀ ଓ ଶାଖା ନଦୀ ସ˚ପୂର୍ଣ୍ଣ ପ୍ରଦୂଷିତ ସେଗୁଡ଼ିକ ହେଲା ଶଙ୍ଖ, କୋଏଲ୍‌, ଋଷିକୂଲ୍ୟା ପ୍ରମୁଖ। ବ୍ରାହ୍ମଣୀ ତାଳଚେର, କବାଟବନ୍ଧ, ଭୁବନକୁ ଛାଡ଼ିଦେଲେ ସବୁଠି ପ୍ରଦୂଷିତ। ନଦିରାର ତଳମୁଣ୍ତ, ଖରସ୍ରୋତା ବିଞ୍ଝାରପୁରରେ ଦୂଷିତ, ଗୁରାଡ଼ିନାଳ ନଦୀ ବଡ଼ଝୋର ନାଳ, ବାଙ୍ଗୁରୁ ନାଳ, ବଙ୍ଗରୁ ସିଙ୍ଗଡା ଝୋର, କରୋ ନଦୀ ବଡ଼ବିଲରେ ପୂରା ପ୍ରଦୂଷିତ ବୋଲି ଓଡ଼ିଶା ଜଳ ଯୋଗାଣ ଏବ˚ ସ୍ବେରେଜ୍‌ ବୋର୍ଡ ରିପୋର୍ଟ କହୁଛି।

By amfnews

Related Post