Sat. Mar 7th, 2026

ଧରାପଡ଼ିଲା ଦୁଷ୍କର୍ମ ମାମଲା ଅଭିଯୁକ୍ତ:୧୮ ବର୍ଷ ଧରି ଫେରାର ଥିଲା

301 Views

ନବରଙ୍ଗପୁର/ପାପଡାହାଣ୍ଡି/ମାଥିଲି : ଦୁଷ୍କର୍ମ ମାମଲା ରୁଜୁ ହେବାପରେ ୧୯ବର୍ଷ ହେଲା ଫେରାର ଥିଲା। ରାଜ୍ୟ ବାହାରେ ବହୁ ବର୍ଷ ରହିବା ପରେ ଗତ ୧୩ବର୍ଷ ହେଲା ଠିକଣା ବଦଳାଇ ନବରଙ୍ଗପୁର ଜିଲ୍ଲାରେ ରହି ଆସୁଥିଲା। ଏଠାରେ ନିଜ ପରିଚୟ ବଦଳାଇ ସ୍ବାଭାବିକ ଜୀବନ ବିତାଉଥିଲା। ତେବେ ପୁଲିସର ସନ୍ଦେହୀ ନଜରରୁ ବଞ୍ଚି ପାରି ନଥିଲା। ଶେଷରେ ପୁଲିସ ଦ୍ବାରା ଗିରଫ ହୋଇଛି ୧୮ବର୍ଷ ତଳର ଦୁଷ୍କର୍ମ ମାମଲା ଅଭିଯୁକ୍ତ ପ୍ରଦୀପ କୁମାର ମହାନ୍ତି।
ସୂଚନା ଅନୁଯାୟୀ, ୨୦୦୧ ମସିହାରେ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ସହ ଦୁଷ୍କର୍ମ ହୋଇଥିଲା। ଏନେଇ ପୀଡ଼ିତାଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା। ପୁଲିସ ମାମଲା ରୁଜୁ କରିଥିବା ବେଳେ ଏହି ଘଟଣାର ଅଭିଯୁକ୍ତ ପ୍ରଦୀପ କୁମାର ମହାନ୍ତି ଫେରାର ହୋଇଯାଇଥିଲା। ପରବର୍ତୀ ସମୟରେ ଏହି ମାମଲା ମାଲକାନଗିରି ଏସଡିଜେଏମଙ୍କ କୋର୍ଟରେ ଜିଆର କେସ ନମ୍ବର ୨୯୫/୨୦୦୧ରେ ବିଚାରାଧୀନ ରହିଥିଲା। ଅନ୍ୟପଟେ ଅଭିଯୁକ୍ତ ପ୍ରଦୀପ ରାଜ୍ୟ ବାହାରକୁ ଚାଲି ଯାଇଥିଲା।

କେରଳ ସହ ଅନ୍ୟ କିଛି ରାଜ୍ୟରେ ପ୍ରାୟ ୫ବର୍ଷ ରହିବା ପରେ ୧୩ବର୍ଷ ତଳେ ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ସିରିଶି ପଞ୍ଚାୟତ ଅନ୍ତର୍ଗତ ସୋରିଷପଦର ଗାଁକୁ ଚାଲି ଆସିଥିଲା। ନିଜ ପରିଚୟ ବଦଳାଇ ଦେଇ ସେ ପରିବାର ସହ ଏଠାରେ ରହୁଥିଲା। ତେବେ କିଛି ଦିନ ତଳେ ପାପଡ଼ାହାଣ୍ଡି ପୁଲିସକୁ ସନ୍ଦେହ ହୋଇଥିଲା। ତେଣୁ ଥାନାକୁ ନେଇ ପଚରା ଉଚୁରା କରିବା ପରେ ମାଥିଲି ଥାନାରେ ପ୍ରଦୀପ ନାଁରେ ଦୁଷ୍କର୍ମ ମାମଲା ରହିଥିବା ଜଣାପଡ଼ିଥିଲା। ତେଣୁ ଏନେଇ ମାଥିଲି ଥାନାକୁ ଖବର ଦିଆଯାଇଥିଲା। ଏହାପରେ ମାଥିଲି ଥାନା ଏସଆଇ ଦିଲ୍ଲୀପ କୁମାର ଦାସ ଓ କର୍ମଚାରୀ ପାପଡାହାଣ୍ଡି ଆସି ପ୍ରଦୀପକୁ ମାଥିଲି ନେଇଯାଇଥିଲେ। କୋର୍ଟ ଚାଲାଣ କରାଯିବ ବୋଲି ମାଥିଲି ଥାନା ଆଇଆଇସି ଜନ୍ ଖୁଜୁର ସୂଚନା ଦେଇଛନ୍ତି। ପାପଡାହାଣ୍ଡି ଥାନା ଅଧିକାରୀ ତାରିକ ଅହମ୍ମଦଙ୍କ ନିର୍ଦ୍ଦେଶରେ ହୋଇଥିବା ଏହି ଚଢ଼ାଉରେ ପଞ୍ଚାନନ ପରିଡା, ଶିବଜୀ କୁମାର ପଣ୍ଡା, ପୂର୍ଣ୍ଣିମା ଟାଟେ, ମନରଂଜନ ପଣ୍ଡା ପ୍ରମୁଖ ଭାଗ ନେଇଥିଲେ।

By amfnews

Related Post