Fri. Jan 24th, 2025

ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ବନ୍ଦ ନେଇ ବିଧାୟକଙ୍କ ଉଦ୍ବେଗ

By amfnews Nov 24, 2018 #Featured
127 Views

ଭୁବନେଶ୍ୱର, ୨୩ା୧୧ : ରାଉରକେଲା ନିକଟରେ ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ କାର୍ଯ୍ୟ ସମ୍ପ୍ରତି ବନ୍ଦ ରହିଛି । ଜମି ନ ମିଳିବାରୁ କାମ ବନ୍ଦ ରଖାଯାଇଥିବା କର୍ତ୍ତୃପକ୍ଷ ସଫେଇ ଦେଇଛନ୍ତି । ଏହି ସେତୁ ନିର୍ମାଣ ପ୍ରସଙ୍ଗରେ ବିଧାୟକ ଦିଲୀପ ରାୟ ବିଧାନସଭାରେ ପଚାରିଥିବା ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ଯେଉଁ ତଥ୍ୟ ରଖିଛନ୍ତି ସେଥିରୁ ସେତୁର ଅନିଶ୍ଚିତତା ଦେଖାଯାଉଛି ।

ତେଣୁ ବିଧାୟକ ଶ୍ରୀ ରାୟ ଉଦ୍ବେଗ ପ୍ରକାଶ କରିଛନ୍ତି । ରାଉରକେଲା ନିକଟରେ ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ସହିତ ଜାତୀୟ ରାଜପଥର ସମ୍ପ୍ରସାରଣ ଲାଗି କେବେ ଶୁଭ ଦିଆଯାଇଛି ଏବଂ ଏହି ପ୍ରକଳ୍ପ ଲାଗି କେତେ ଅର୍ଥ ବରାଦ ହୋଇଛି, ଶୁଭ ଦିଆଯିବା ପରଠାରୁ ଏହି ପ୍ରକଳ୍ପଗୁଡ଼ିକର ନିର୍ମାଣ କାର୍ଯ୍ୟ କେତେ ଆଗେଇଛି ଏବଂ କେବେସୁଦ୍ଧା ଏହାର କାମ ସମ୍ପୂର୍ଣ୍ଣ ହେବ ବୋଲି ବିଧାୟକ ଶ୍ରୀ ରାୟ ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ ।

ଏହାର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ କହିଛନ୍ତି ଯେ ଜାତୀୟ ରାଜପଥ ପ୍ରାଧିକରଣ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ବ୍ରାହ୍ମଣୀ ସେତୁର ଶୁଭ ୨୦୧୭ ଜୁଲାଇ ୨୧ ତାରିଖରେ ଦିଆଯାଇଥିଲା ଓ ଏହି ପ୍ରକଳ୍ପ ପାଇଁ ୬୭୮ କୋଟି ୯୨ ଲକ୍ଷ ବ୍ୟୟ ଅଟକଳ କରାଯାଇଛି । ଜମି ଓ ଜଙ୍ଗଲ ଜମି ଅନୁମତି ମିଳିବା ବିଳମ୍ବ ଯୋଗୁ ପ୍ରକଳ୍ପ କାର୍ଯ୍ୟ ଡେରିରେ ଆରମ୍ଭ ହୋଇଛି । ଜଙ୍ଗଲ ଜମିର ଷ୍ଟେଜ୍-୧ ଅନୁମତି ଗତ ମଇ ମାସରେ ମିଳିଥିବା ବେଳେ ବୃକ୍ଷଛେଦନ ଓ କାମ ପାଇଁ ଅନୁମତି ଗତ ଅଗଷ୍ଟ ମାସରେ ମିଳିଛି ।

୧୪୩ ନମ୍ବର ଜାତୀୟ ରାଜପଥର ବୀରମିତ୍ରପୁର-ବ୍ରାହ୍ମଣୀ ରାସ୍ତାର ସମୁଦାୟ ୨୯.୧୦ କିମି ପ୍ରକଳ୍ପରୁ ୨୧.୩ କିମି ରାସ୍ତା ହସ୍ତାନ୍ତରିତ ହୋଇଛି । ତେବେ ସେତୁ ପ୍ରକଳ୍ପ ଗତ ମଇ ମାସରେ ଆରମ୍ଭ କରାଯାଇ ୨୦୨୦ ନଭେମ୍ବର ୧୮ରେ ପୂର୍ଣ୍ଣାଙ୍ଗ ପାଇଁ ସ୍ଥିର ହୋଇଛି । କିନ୍ତୁ ଜମି ମିଳୁନଥିବାରୁ ଦ୍ୱିତୀୟ ବ୍ରାହ୍ମଣୀ ସେତୁର ମୂଳଦୁଆ କାମ ବନ୍ଦ ରହିଛି । ଦ୍ୱିତୀୟ ବ୍ରାହ୍ମଣୀ ସେତୁ ପାଇଁ କେନ୍ଦ୍ରମନ୍ତ୍ରୀ ନିତିନ୍ ଗଡ଼କରୀ ୨୦୧୭ ଜୁଲାଇ ମାସରେ ଶୁଭ ଦେଇ ୧୫ ଦିନ ଭିତରେ କାମ ଆରମ୍ଭ କରିବେ ବୋଲି ଘୋଷଣା କରିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଲା ନାହିଁ ।

ସେତୁ ପ୍ରକଳ୍ପ କାମ ଆଗେଇ ପାରୁନଥିବା ବେଳେ ତାଳଚେର-ବିମଳାଗଡ଼ ରେଳପଥ ପ୍ରକଳ୍ପ ଯେପରି ଧିମାରେ ଚାଲିଛି ତାହା ସରିବାକୁ ଆଉ ଶହେ ବର୍ଷ ଲାଗିପାରେ । କେନ୍ଦ୍ର ସରକାର ତାଳଚେର-ବିମଳାଗଡ଼ା ରେଳପଥ ସହ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଓ ଆଇଜିଏଚ୍କୁ ମେଡ଼ିକାଲ କଲେଜରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣାକୁ ସାକାର କରିବା ଲାଗି ବିଧାୟକ ଶ୍ରୀ ରାୟ ପୁଣି ଦାବି କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏ ପ୍ରସଙ୍ଗରେ ଶ୍ରୀ ରାୟ ପୂର୍ବରୁ ବହୁବାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖିବା ସହ ପ୍ରଧାନମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ ଓ ଅନ୍ୟ ଅଧିକାରୀମାନଙ୍କୁ ଭେଟିଛନ୍ତି ।

By amfnews

Related Post