Wed. Mar 5th, 2025

ଦାରିଙ୍ଗବାଡ଼ିରେ ୯ ଡିଗ୍ରି, ବଢ଼ିବ ଜାଡ଼

By amfnews Nov 26, 2018 #Featured
164 Views

ଭୁବନେଶ୍ବର, ନଭେମ୍ବର ୨୬ : ଦୁଇ ‌ଦିନ ହେଲା ସାରା ଓଡ଼ିଶାରେ ତାପମାତ୍ରା ହ୍ରାସ ପାଇବା ପରେ ଲାଗିଛି। ଅଭ୍ୟନ୍ତରୀଣ ଓଡ଼ିଶା ସମେତ ଅଧିକାଂଶ ସ୍ଥାନରେ ପାରଦ ୧୫ ଡିଗ୍ରି ତଳକୁ ଖସି ଆସିଛି। ଖରା ସମୟରେ ଉତ୍ତପ୍ତ ସହର ପାଲଟୁଥିବା ଭୁବନେଶ୍ବର ତାପମାତ୍ରା ଇତି ମଧ୍ୟରେ ୧୪ ଡିଗ୍ରି ତଳକୁ ଖସିଛି। ଏଠାରେ ତାପମାତ୍ରା ଆଜି ଭୋର୍‌ରେ ୧୩.୬ ଡିଗ୍ରି ରେକର୍ଡ ହୋଇଥିଲା। ସେହିପରି ଓଡ଼ିଶାର କା‌ଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ିର ତାପମାତ୍ରା ୧୦ ଡିଗ୍ରି ତଳେ ରହିଛି। ରବିବାର ଭୋର ସମୟରେ ଦାରିଙ୍ଗବାଡ଼ି ବ୍ୟତୀତ ସମ୍ପୂର୍ଣ୍ଣ କନ୍ଧମାଳ ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରି ରହିଥିଲା।

ଧୀରେ ଧୀରେ ଶୀତ ବଢ଼ୁଥିବାରୁ ପାରଦ ଆହୁରି ଅଧିକ ଖସିବ। ଡିସେମ୍ବର ବେଳକୁ ଦାରିଙ୍ଗବାଡ଼ିର ତାପମାତ୍ରା ୫ ଡିଗ୍ରି ତଳକୁ ଖସି ଆସିବାର ଆଶଙ୍କା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର କହିବା କଥା ହେଲା, ଏଥର ଓଡ଼ିଶାରେ ଶୀତ ଆସିବାରେ ଟିକିଏ ବିଳମ୍ବ ହେଉଛି। ନଭେମ୍ବର ଦ୍ବିତୀୟ ସପ୍ତାହରେ ଓଡ଼ିଶାରେ ଶୀତ ଅନୁଭୂତ ହୋଇଥାଏ।

ହେଲେ ଚଳିତବର୍ଷ ବହୁ ଦିନ ଧରି ବର୍ଷା ଲାଗି ରହିଥିଲା। ଓଡ଼ିଶା ଉପକୂଳରେ ଅଧିକ ଘୂର୍ଣ୍ଣିବଳୟ, ଲଘୁଚାପ ସୃଷ୍ଟି ହେବା ଦ୍ବାରା ସାମାନ୍ୟ ବିଳମ୍ବରେ ଶୀତ ଛୁଇଁଛି। ଦୁଇ ଦିନ ହେଲା ରାତି ସମୟରେ ପାରଦ ହ୍ରାସ ପାଉଛି। ଯେଉଁଥିପାଇଁ ପ୍ରବଳ ଶୀତ ଅନୁଭୂତ ହେଉଛି। ଭୋର୍‌ ୫ଟାରେ ତାପମାତ୍ରା ସର୍ବନିମ୍ନ ସ୍ତରକୁ ଖସି ଆସୁଛି। ଆସନ୍ତା ୫ ଦିନ ଭିତରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଆଉ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ଖସିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।

By amfnews

Related Post