ରାଜନଗର : ଡାକ୍ତରଖାନାରେ ମିଳି ପାରିଲାନି ଠିକ ସମୟରେ ଆବଶ୍ୟକ ଚିକିତ୍ସା। ଫଳରେ ୪ ବର୍ଷର ଶିଶୁକନ୍ୟାର ମୃତ୍ୟୁ ଘଟିଲା। ପରିବାର ଲୋକେ ପୁଲିସ ପାଖରୁ ନ୍ୟାୟ ଆଶାରେ ପହଞ୍ଚିଲେ ଯେ କେବଳ ମାମଲା ରୁଜୁ କରିବାକୁ ଶିଶୁର ମୃତଦେହ ଧରି ସେମାନଙ୍କୁ ବୁଲିବାକୁ ପଡ଼ିଲା ଦୁଇଟି ଥାନା। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା। ରାଜ୍ୟ ସରକାର ‘୫-ଟି’ ଯୋଜନାରେ ଥାନା, ଡାକ୍ତରଖାନା ସୁଧାରିବାକୁ ଅଣ୍ଟା ଭିଡ଼ିଥିବା ବେଳେ ତଳସ୍ତରରେ ଏଭଳି ଅବସ୍ଥା ରାଜ୍ୟ ସରକାରଙ୍କ ସବୁ ଯୋଜନାକୁ ପ୍ରହସନରେ ପରିଣତ କରିଛି। ଆଜିର ଏହି ଘଟଣାକୁ ନେଇ ରାଜନଗର ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ ରାଜନଗର ବ୍ଲକ୍ ଡାଙ୍ଗମାଳ ପଂଚାୟତ ସାରଦାପ୍ରସାଦ ଗାଁର ସୁବ୍ରତ ଗିରିଙ୍କ ୪ବର୍ଷର ଝିଅ ଶୁଭଲକ୍ଷ୍ମୀ ଆଜି ସକାଳେ ଦାନ୍ତ ସଫା କରୁଥିବା ବେଳେ ଅସାବଧାନତାରୁ ପୋଖରୀରେ ଗଳି ପଡ଼ିଥିଲେ। ପରିବାର ଲୋକେ ଶୁଭଲକ୍ଷ୍ମୀଙ୍କୁ ନ ପାଇ ଖୋଜାଖୋଜି କରିଥିଲେ। ପୋଖରୀରେ ବ୍ରସ୍ ଭାସୁଥିବା ଦେଖି ପୋଖରୀ ଭିତରେ ଖୋଜାଖୋଜି କରିଥିଲେ। ଶୁଭଲକ୍ଷ୍ମୀଙ୍କୁ ପରିବାର ଲୋକେ ପୋଖରୀ ଭିତରୁ ଉଦ୍ଧାର କରି ଡାଙ୍ଗମାଳସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ। କିନ୍ତୁ ସ୍ବାସ୍ଥ୍ୟକେନ୍ଦ୍ରରେ ତାଲା ଝୁଲୁଥିବା ବେଳେ ସେଠାରେ ନିଯୁକ୍ତ ଡାକ୍ତର କି ଫାର୍ମାସିଷ୍ଟ ନ ଥିଲେ। ଗୋଟିଏ କ୍ବାର୍ଟରରେ ଥିବା ଏଏନ୍ଏମ୍ ଦିଦିଙ୍କୁ ପରିବାର ଲୋକେ ଡାକିବାର ୨୦/୨୫ ମିନିଟ ପରେ ସେ ଆସିଥିଲେ। ଶିଶୁକନ୍ୟାକୁ ଦେଖି ସ୍ବାସ୍ଥ୍ୟକେନ୍ଦ୍ରର ତାଲା ଖୋଲିବା କିମ୍ବା ପ୍ରାଥମିକ ଚିକିତ୍ସା କରିବା ବଦଳରେ ସ୍ଥାନୀୟ ଅଞ୍ଚଳର କ୍ବାକ୍ ଟୁକୁନାଙ୍କ ପାଖକୁ ନେଇଯିବାକୁ ସେ ପରାମର୍ଶ ଦେଇଥିଲେ। ପରିବାର ଲୋକେ କ୍ବାକ୍ଙ୍କ ନିକଟକୁ ଝିଅଟିକୁ ନେଇ ଯାଇଥିଲେ। କ୍ବାକ୍ ଜଣଙ୍କ ପ୍ରାଥମିକ ଚିକିତ୍ସା କରିବା ପରେ ଅବସ୍ଥା ଗୁରୁତର ଥିବା ଅନୁଭବ କରି ତାଙ୍କୁ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଯିବାକୁ କହିଥିଲେ। ପରିବାର ଲୋକେ ଶିଶୁକନ୍ୟାକୁ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନେଇ ପହଞ୍ଚିଲା ବେଳକୁ ଝିଅଟିର ମୃତ୍ୟୁ ଘଟିଥିଲା।
ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ସଂପର୍କରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ରାଜନଗର ଥାନାକୁ ଅବଗତ କରାଯାଇଥିଲା। ମୃତ ଶିଶୁକନ୍ୟାର ବଡବାପା ଦେବବ୍ରତ ଗିରି ରାଜନଗର ଥାନାରେ ତାଙ୍କ ଝିଆରୀ ପାଣିରେ ବୁଡ଼ି ପ୍ରାଣ ହରାଇଥିବା ନେଇ ଲିଖିତ ଅଭିଯୋଗ ଦେଇଥିଲେ। ମାତ୍ର ପୁଲିସ ବାବୁ କହିଥିଲେ ଯେ ଏ ଥାନାରେ ମାମଲା ରୁଜୁ ହୋଇପାରିବ ନାହିଁ। ତାଙ୍କ ଘର ତାଳଚୁଆ ସାମୁଦ୍ରିକ ଥାନା ଅଞ୍ଚଳରେ ହୋଇଥିବାରୁ ତାଳଚୁଆ ସାମୁଦ୍ରିକ ଥାନାକୁ ଯିବାକୁ ପରାମର୍ଶ ଦେଇଥିଲେ। ପରିବାର ଲୋକେ ଯେତେ ଅନୁରୋଧ କରିଥିଲେ ବି ପୁଲିସ କୌଣସି କଥା ଶୁଣିନଥିଲେ।
ନିୟମର ଦ୍ବାହି ଦେଇ ସେମାନଙ୍କୁ ଫେରାଇ ଦେଇଥିଲେ। ଶେଷରେ ପରିବାର ଲୋକେ ଶିଶୁକନ୍ୟାର ମୃତଦେହକୁ ଧରି ୪୦ କିମି ଦୂର ତାଳଚୁଆ ସାମୁଦ୍ରିକ ଥାନାରେ ପହଞ୍ଚିଥିଲେ। ସେଠାରେ ଅପମୃତ୍ୟୁ (ୟୁଡି କେସ ନଂ ୬/୨୦୧୯) ମାମଲା ରୁଜୁ ହେବାପରେ ଶବକୁ ବ୍ୟବଚ୍ଛେଦ ପାଇଁ ଆଳି ପଠାଯାଇଥିଲା। ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶିଶୁକନ୍ୟାଟି ପ୍ରାଣ ହରାଇଥିବା ବେଳେ ତାର ଶବ ବ୍ୟବଚ୍ଛେଦ ପାଇଁ ୪୦ କିମି ଦୂର ଆଉ ଏକ ଥାନାକୁ ପଠାଯିବା କ’ଣ ‘୫-ଟି’ର ନିୟମ କି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ବିପର୍ଯ୍ୟସ୍ତ ସରକାରୀ ଚିକିତ୍ସା ସେବା ଶିଶୁ ମୃତ୍ୟୁର କାରଣ ହୋଇଥିବା ବେଳେ ମୃତ୍ୟୁରେ ମ୍ରିୟମାଣ ପରିବାର ଲୋକେ ମାମଲା ରୁଜୁ କରିବାକୁ ଥାନାକୁ ଥାନା ଘୂରି ବୁଲିବା ଘଟଣା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି। ଏ ଘଟଣାରେ ଉଚ୍ଚ କର୍ତୃପକ୍ଷ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।