Wed. Mar 11th, 2026

ଡକାୟତ ଗ୍ୟାଙ୍ଗର ୪ ଗିରଫ: ୪ ଲକ୍ଷର ସୁନା ଅଳଙ୍କାର, ୨ କାର୍‌, ୪ ବାଇକ୍‌ ସହ, ଗୁଳି ବନ୍ଧୁକ ଓ ଲ୍ୟାପ୍‌ଟପ୍‌ ଜବତ

215 Views

ଭୁବନେଶ୍ୱର  : କମିସନରେଟ୍‌ ପୁଲିସକୁ ଆଜି ଆଉ ଏକ ସଫଳତା ମିଳିଛି। ସ୍ପେସାଲ୍‌ ସ୍କ୍ବାଡ୍‌ ଏକ ଡକାୟତ ଗ୍ୟାଙ୍ଗ୍‌ର ୪ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ତିନି ରାଉଣ୍ଡ ଗୁଳି, ଗୋଟିଏ ମାଉଜର୍‌, ଦୁଇଟି ଲୁଟ୍‌ କାର୍‌, ୪ଟି ବାଇକ୍‌, ଦେଢ଼ଶହ ଗ୍ରାମ୍‌ର ସୁନା ଅଳଙ୍କାର, ୫ଟି ଏଲ୍‌ସିଡି ଟିଭି, ଲ୍ୟାପ୍‌ଟପ୍‌ ଓ ସାଉଣ୍ଡ ସିଷ୍ଟମ୍‌ ଜବତ କରିଛି। ଅଭିଯୁକ୍ତମାନେ ହେଲେ, ସହିଦନଗର ଆଖଣ୍ଡଳମଣି ବସ୍ତିରେ ରହୁଥିବା ବାଲେଶ୍ବର ସଦର ଥାନା ବର୍ଦ୍ଧନପୁର ସହଜନଗର ଗ୍ରାମର ଗଣେଶ ପୂର୍ତ୍ତି, ଝରଣା ବସ୍ତିରେ ରହୁଥିବା ପୁରୀ ଡେଲାଙ୍ଗ ଘୋରଡ଼ିଆ ମୁସଲିମ୍‌ ସାହିର ସେକ୍‌ ସଦ୍ଦାମ ହୁସେନ୍‌, ବାଲିଅନ୍ତା ଭିଙ୍ଗାରପୁର ଶାସନର ବଳରାମ ନାୟକ ଓ ସାଲିଆସାହି ମଇଳା ଟାଙ୍କି ଛକରେ ରହୁଥିବା ଖୋର୍ଦ୍ଧା ବୋଲଗଡ଼ ସିଆଳିଆ ନୂଆସାହିର ପ୍ରଦୀପ କୁମାର ସାହୁ। ଖଣ୍ଡଗିରି, ତମାଣ୍ଡୋ, ଏୟାରଫିଲ୍ଡ, ସାଲିଆ ସାହି ପ୍ରଭୃତି ଅଞ୍ଚଳରେ ଚଢ଼ଉ କରି ଏମାନଙ୍କୁ ଗିରଫ କରାଯାଇଛି। ଚୋରା ଜିନିଷ ବିକ୍ରି କରୁଥିବା ବେଳେ ସେକ୍‌ ସଦ୍ଦାମ ଧରାପଡ଼ିବା ପରେ ସମସ୍ତ ଅଭିଯୁକ୍ତ ପୁଲିସ୍‌ ପଞ୍ଝାକୁ ଆସିଥିବା ଡିସିପି ଅନୁପ କୁମାର ସାହୁ କହିଛନ୍ତି।

ଗଣେଶ ଜଣେ ଅଭ୍ୟାସଗତ ଅପରାଧୀ। ସିନ୍ଧିଚୋରି ମାମଲାରେ ସେ ଦୁଇଥର ବନ୍ଧା ହୋଇଥିବା ବେଳେ ଭୁବନେଶ୍ବରର ବିଭିନ୍ନ ଥାନାରେ ୭ଟି ମାମଲାରେ ସମ୍ପୃକ୍ତ ଅଛି। ସେହିଭଳି ସଦ୍ଦାମ ଓ ବଳରାମ ନାମରେ ଖଣ୍ଡଗିରି ଓ ଏୟାରପୋର୍ଟ ଥାନା ସମେତ ପୁରୀ ଜିଲ୍ଲାର ବିଭିନ୍ନ ଥାନା‌ରେ ମାମଲା ରହିଛି। ପ୍ରଦୀପ୍ତ ସାହୁ ଏମାନଙ୍କଠାରୁ ଚୋରି ଏଲ୍‌ସିଡି ଟିଭି କିଣି ବନ୍ଧା ହୋଇଛି। ତା’ଠାରୁ ଚୋରା ଟିଭି ଜବତ କରାଯାଇଛି। ଉଦ୍ଧାର କାର୍‌ ଦୁଇଟି ମଧ୍ୟରୁ ଗୋଟିଏ ଏୟାରଫିଲ୍ଡ ଥାନା ଅଞ୍ଚଳରୁ ଚୋରି ହୋଇଥିବା ବେଳେ ଅନ୍ୟଟି ଖଣ୍ଡଗିରି ଥାନା ଅଞ୍ଚଳରୁ ଚୋରି ହୋଇଥିବା ଜଣାପଡ଼ିଛି। ଚାଳକକୁ ମାଡ଼ ମାରି ଏମାନେ ଗାଡ଼ି ଛଡ଼ାଇ ନେଉଥିବା ନେଇ ଦୁଇଟି ଥାନାରେ ଅଭିଯୋଗ ରହିଛି। ଜବତ ସୁନା ଗହଣା ଚୋରି ନେଇ ଖଣ୍ଡଗିରି ଓ ଏୟାରପୋର୍ଟ ଥାନାରେ ଅଭିଯୋଗ ରହିଛି। ଜବତ ଦୁଇଚକିଆ ଯାନ ଭିତରେ ଗୋଟିଏ ଆର-୧୫ ବାଇକ୍‌, ସିବିଜେଡ୍‌ ଏକ୍ସଟ୍ରିମ୍‌, ବଜାଜ୍‌ ପଲସର୍‌ ଓ ଏକ ହୋଣ୍ଡା ଆକ୍ଟିଭା ରହିଛି। ଏଗୁଡ଼ିକୁ ଗ୍ୟାରେଜ୍‌ରୁ ଚୋରି ହୋଇଥିବା ଅଭିଯୋଗ ରହିଛି। ପୂର୍ବରୁ ପୁଲିସ ଦୁଇଟି କାର୍‌ ଲୁଟେରା ଗ୍ୟାଙ୍ଗକୁ ଧରିଛି। କିନ୍ତୁ ଏହି ଗ୍ୟାଙ୍ଗ୍‌ର ପୁରୁଣା ଗ୍ୟାଙ୍ଗ୍‌ ସହ ସମ୍ପର୍କ ନାହିଁ। ତଦନ୍ତ ଚାଲିଛି, ଆଉ କିଛି ଚୋରି ସାମଗ୍ରୀ ଜବତ ହେବା ସହ କେତେକ ଅପରାଧୀ ପୁଲିସ ପଞ୍ଝାକୁ ଆସିପାରନ୍ତି ବୋଲି ଡିସିପି କହିଛନ୍ତି।

By amfnews

Related Post