116 Views
ନୂଆଦିଲ୍ଲୀ: କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ ଟୁଇଟ୍ ଜରିଆରେ ସୂଚନା ଦେଇଛନ୍ତି ଏବେ ଜେନେରାଲ ବଗିରେ ଯାତ୍ରା କରିବାକୁ ସମ୍ମାନଜନକ କରିବାପାଇଁ ବାୟୋମେଟ୍ରିକ ବ୍ୟବସ୍ଥା ଲାଗୁ କରାଯିବ। ଏହି ବ୍ୟବସ୍ଥା ଲାଗୁ ହେବା ଦ୍ୱାରା ଯାତ୍ରୀମାନେ ଲାଭବାନ୍ ହୋଇ ପାରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ମୁମ୍ବାଇରୁ ଲକ୍ଷ୍ନୌ ମଧ୍ୟରେ ଚଳାଚଳ କରୁଥିବା ପୁଷ୍ପକ ଏକ୍ସପ୍ରେସରେ ଏହାର ଶୁଭାରମ୍ଭ କରାଯାଇଛି । ଏଥିରେ ପ୍ରଥମେ ଆସ ପ୍ରଥମେ ପାଅ ଆଧାରରେ ସିଟ୍ ପ୍ରଦାନ କରାଯିବ ।
ପୁଷ୍ପକ ଏକ୍ସପ୍ରେସରେ ବାୟୋମେଟ୍ରିକ୍ ବ୍ୟବସ୍ଥା ସଫଳ ହେବା ପରେ ଖୁବ୍ ଶୀଘ୍ର ଏହାକୁ ଅନ୍ୟ ରେଳଗାଡିର ଜେନେରାଲ ବଗିରେ ଲାଗୁ କରାଯିବ ବୋଲି ଜଣାଯାଇଛି । ଟିକେଟପାଇଁ ଯାତ୍ରୀମାନଙ୍କୁ ବାୟୋମେଟ୍ରିକ୍ ମେସିନରେ କେବଳ ଟିପ ଦେବାକୁ ପଡିବ । ଏହାପରେ ଆପେଆପେ ଟୋକନ ଜେନେରେଟ ହୋଇଯିବ । ଯାତ୍ରୀମାନଙ୍କୁ ପ୍ଲାଟଫର୍ମରେ କ୍ରମାଙ୍କ ଅନୁସାରେ ଠିଆ ହେବାକୁ ପଡିବ । ଟ୍ରେନର ଜେନେରାଲ ବଗି ପାଖରେ ଜଣେ ଆରପିଏଫ ଷ୍ଟାଫ୍ ଟୋକନ କ୍ରମାଙ୍କ ଦେଖି ଯାତ୍ରୀମାନଙ୍କୁ କ୍ରମାନ୍ୱୟରେ କୋଚରେ ଚଢ଼ିବାକୁ ଅନୁମତି ଦେବେ ବୋଲି ଜଣାଯାଇଛି ।